ଏଣିକି ସୁପ୍ରିମକୋର୍ଟ ବୁଲି ଦେଖିପାରିବେ ସାଧାରଣ ଲୋକେ

0

ନୂଆଦିଲ୍ଲୀ : ସାଧାରଣ ନାଗରିକଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ ଏବଂ ଇତିହାସ ବଦଳାଇବା ପରି ହୋଇଥାଏ। ହେଲେ ସୁପ୍ରିମକୋର୍ଟ ପରିସର ଏବଂ କୋର୍ଟରୁମ୍‍ ବୁଲି ଦେଖିବା ସାଧାରଣ ଲୋକଙ୍କ ପାଇଁ ସମ୍ଭବ ହୋଇନାଥାଏ। କିନ୍ତୁ ଏହା ଏବେ ସାକାର ହେବାକୁ ଯାଉଛି। ଅର୍ଥାତ ଏଣିକି ସାଧାରଣ ଲୋକେ ଭାରତର ସର୍ବୋଚ୍ଚ ଅଦାଲତ (ସୁପ୍ରିମକୋର୍ଟ)ର କୋର୍ଟରୁମ୍‍ ବୁଲି ଦେଖିପାରିବେ। ଏଥିପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗଇ ଗୁରୁବାର ଏକ ପୋର୍ଟାଲର ଲୋକାର୍ପଣ କରିଛନ୍ତି। ଏହି ପୋର୍ଟାଲ ଜରିଆରେ ଅନୁମତି ନେଇ ବା ବୁକିଂ କରି ଲୋକେ ଘଣ୍ଟାଏ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ପରିସର ଏବଂ କୋର୍ଟରୁମ୍‍ ବୁଲି ଦେଖିପାରିବେ। ଏଥିପାଇଁ ଲୋକଙ୍କୁ ଏକ ଧାର୍ଯ୍ୟ ତାରିଖ ଓ ସମୟ ମିଳିବ। ସେହି ସମୟ ମଧ୍ୟରେ ଲୋକେ ସୁପ୍ରିମକୋର୍ଟ ପରିସରରେ ବୁଲି ପାରିବେ।
ବର୍ତ୍ତମାନ କେବଳ ଓକିଲ, ଓକିଲାତି କରୁଥିବା ଇଟର୍ଣ୍ଣ, ଆଇନ ଛାତ୍ର, ମହକିଲ ଏବଂ ଗଣମାଧ୍ୟମ ପ୍ରତିନିଧି କୋର୍ଟ ଭିତରକୁ ଯାଇ ପାରୁଛନ୍ତି। ସୁପ୍ରିମକୋର୍ଟ ଦ୍ୱାରା ଜାରି ଇଲେକ୍ଟ୍ରୋନିକ କାର୍ଡ଼ ଦ୍ୱାରା କୋର୍ଟ ପରିସରରେ ପ୍ରବେଶ କରିହୁଏ।
ସାଧାରଣ ଲୋକଙ୍କୁ ଏହି ସୁବିଧା ପ୍ରଦାନ ପାଇଁ ୱେବସାଇଟ୍‍ ପ୍ରସ୍ତୁତ କରାଯାଇଛି। ଏଥିରେ ଆଗନ୍ତୁକ ବୁଲି ଆସିବାର ତାରିଖ ଏବଂ ୬୦ ମିନିଟ୍‍ ସମୟର ଚୟନ କରିପାରିବେ। ତେବେ ସୁପ୍ରିମକୋର୍ଟ ବୁଲି ଦେଖିବା କାର୍ଯ୍ୟକ୍ରମ କେବଳ ଶନିବାର କରାଯିବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶନିବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହୁଏନାହିଁ। ଜଣେ ପ୍ରଶିକ୍ଷିତ ଗାଇଡ଼ଙ୍କ ଦ୍ୱାର ଏହା ସଂଚାଳିତ ହେବ। ବୁକିଂ ହେବା ପରେ ଏକ ବାରକୋଡ ମେସେଜ୍‍ ଫୋନ୍‍କୁ ଆସିବ। ଏହି ବାରକୋଡକୁ ରିସେପସନ୍‍ ଡେସ୍କରେ ସ୍କାନ କରାଯିବ। ଏପରିକି ଲୋକଙ୍କୁ ଜଜଙ୍କ ପାଠାଗାର ଏବଂ କରିଡ଼ର ବୁଲି ଦେଖିବାର ସୁଯୋଗ ମିଳିବ ବୋଲି କୁହାଯାଇଛି। ପ୍ରକାଶଯୋଗ ଯେ ୨୦୧୮ରେ ସୁପ୍ରିମକୋର୍ଟ ବିଲ୍ଡିଂ ୬୦ ବର୍ଷ ପୂରଣ କରିଛି।

Leave A Reply