ସୁରୁଖୁରୁରେ ଚାଲିଛି ତୀର୍ଥ ଯାତ୍ରା; ଯାତ୍ରୀ ମାନଙ୍କର ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା 

0

ସମ୍ବଲପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୬ ମସିହାରେ ଆରମ୍ଭ କରାଯାଇଥିବା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ଅନୁଯାୟୀ ଚଳିତ ବର୍ଷ ୯ମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଦଳ ୭ ତାରିଖ ଦିନ ସମ୍ବଲପୁର ରୁ ଦକ୍ଷିଣ ଭାରତର ତୀର୍ଥ ସ୍ଥାନ ଦର୍ଶନ ନିମନ୍ତେ ଆଧ୍ୟାତ୍ମିକ ଯାତ୍ରାରେ ରେଳ ଯୋଗେ ଯାତ୍ରା କରିଛନ୍ତି। ଏହି ଯାତ୍ରାରେ ଯେଭଳି ୯୭୦ ଜଣ ଯାତ୍ରୀ ମାନଙ୍କର କୌଣସି ଅସୁବିଧା ନ ହେବ ସେଥିପ୍ରତି ସରକାର ବିଶେଷ ଯତ୍ନବାନ ରହିଛନ୍ତି ବୋଲି ଯାତ୍ରାର ନୋଡାଲ ଅଧିକାରୀ ସିତାଂଶୁ ତ୍ରିପାଠୀ ସୁଚନା ଦେଇଛନ୍ତି। ୬ ଦିନ ବ୍ୟାପି ଏହି ଯାତ୍ରାର ସମସ୍ତ ତୀର୍ଥ ଯାତ୍ରୀ ମାନଙ୍କର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଆଯାଇ ନିରାମିଷ ଖାଦ୍ୟ ପାଇଁ କେନ୍ଦ୍ର ସରକାର ଙ୍କର ଅଧିନସ୍ଥ ଆରଆରସିଟିସି ସହିତ ରାଜ୍ୟ ସରକାର ଚୁକ୍ତି କରିଛନ୍ତି। ଏଣୁ ତୀର୍ଥ ଯାତ୍ରୀ ମାନଙ୍କୁ ସକାଳ ର ଜଳଖିଆ, ମଧ୍ୟାହ୍ନ ଭୋଜନ, ସନ୍ଧ୍ୟାରେ ଚାହା ସହିତ ହାଲୁକା ଜଳଖିଆ ଓ ରାତ୍ରୀ ଭୋଜନ ଯୋଗାଇ ଦିଆଯାଉଛି। ସକାଳ ର ଜଳଖିଆରେ ଇଡଲୀ, ସାମ୍ବର, ପୋହା, ଆଳୁଚପ, ଉପମା ଆଦି ଦିଆଯାଉଛି। ସେହିଭଳି ମଧ୍ୟାହ୍ନ ଓ ରାତ୍ରୀ ଭୋଜନରେ ଜିରା ଭାତ, ଡାଲ ଫ୍ରାଏ, ତାୱା ରୁଟି, ଭେଜ ବିରିୟାନୀ, ମଟର ପନିର, ଆଳୁ କୋବି ଭଜା, ବୁନ୍ଦି ରାଇତା, ସାଲାଡ, ଆଚାର, ପାପଡ ଓ ଲନଚ କିଟ ଦିଆଯାଉଛି। ସେହିଭଳି ସନ୍ଧ୍ୟା ସମୟରେ ଚାହା ସହିତ ହାଲୁକା ସୁଖିଲା ନମକିନ ଖାଦ୍ୟ ଦିଆଯାଉଛି।

ଯାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ରାନ୍ଧିବା ପାଇଁ ଆଇଆରସିଟିସି ପକ୍ଷରୁ ୩ ଜଣ ମୁଖ୍ୟ ରାନ୍ଧୁଣିଆ ଓ ୩୦ ଜଣ ସହାୟକ ଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଯାତ୍ରୀ ଟ୍ରେନର ପେନ୍ଟ୍ରି କାର ମ୍ୟାନେଜର ବିଜୟ ଚୌଧୁରୀ ସୂଚନା ଦେଇଛନ୍ତି। ଯାତ୍ରା ସମୟରେ ଯାତ୍ରୀ ମାନଙ୍କୁ ଦିନକୁ ଜଣପିଛା ୩ ଲିଟର ପାଣି ଦିଆଯିବା ସହିତ ସ୍ୱତନ୍ତ୍ର ଭାବରେ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଇ ସମସ୍ତ ଖାଦ୍ୟ ଗୁଡିକର ନିର୍ମାଣ ଚାଲିଛି ବୋଲି ପେନ୍ଟ୍ରି କାର ମ୍ୟାନେଜର ବିଜୟ କହିଛନ୍ତି।

ସେହିଭଳି ବରିଷ୍ଠ ନାଗରିକ ମାନଙ୍କୁ ବିଭିନ୍ନ ଦର୍ଶନୀୟ ସ୍ଥଳ ଗୁଡିକ ଦେଖାଇବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ନୋଡାଲ ଅଧିକାରୀ ସିତାଂଶୁ ଜଣାଇଛନ୍ତି। ରେଳ ଷ୍ଟେସନରୁ ଯାତ୍ରୀ ମାନେ ବସ ଯୋଗେ ଯାତ୍ରା କରି ରାମେଶ୍ୱରମ ଠାରେ ବିଶ୍ୱ ପ୍ରସିଦ୍ଧ ରାମନାଥସ୍ୱାମୀ ମନ୍ଦିର, ପନଚମୁଖୀ ହନୁମାନ ମନ୍ଦିର, ପୁର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଙ୍କ ଘର, ପାମବନ ବ୍ରିଜ, ଆଦି ସହିତ ବିଭିନ୍ନ ମନ୍ଦିର ଓ ଦର୍ଶନୀୟ ସ୍ଥଳ ଦର୍ଶନ କରିଛନ୍ତି। ସେହିଭଳି ମଦୁରାଇ ଠାରେ ବିଖ୍ୟାତ ମୀନାକ୍ଷୀ ମନ୍ଦିର, ଗାନ୍ଧୀ ମ୍ୟୁଜିୟମ, ଆଦି ଦର୍ଶନୀୟ ସ୍ଥାନ ଗୁଡିକ ବରିଷ୍ଠ ତୀର୍ଥ ଯାତ୍ରୀ ମାନେ ପରିଦର୍ଶନ କରିଛନ୍ତି। ଯାତ୍ରୀ ମାନଙ୍କର ସୁବିଧା ପାଇଁ ସରକାର ଙ୍କ ତରଫରୁ ଦୈନନ୍ଦିନ ଓ ନିତ୍ୟବ୍ୟବହାର୍ଯ୍ୟ କିଟ, କମ୍ବଳ, ଛତା ମଧ୍ୟ ପ୍ରଦାନ କରାଯାଇଛି। ଆସନ୍ତା ୧୨ ତାରିଖ ଦିନ ସନ୍ଧ୍ୟା ୮ଟା ସମୟରେ ସ୍ୱତନ୍ତ୍ରୀ ତୀର୍ଥ ଯାତ୍ରୀ ଟ୍ରେନ ଯୋଗେ ସମ୍ବଲପୁର କୁ ଫେରିବେ ଏବଂ ଏହା ପରେ ବସ ଯୋଗେ ନିଜ ନିଜ ଜିଲାକୁ ଫେରିଯିବେ ବୋଲି ନୋଡାଲ ଅଧିକାରୀ ସିତାଂଶୁ ତ୍ରିପାଠୀ ସୁଚନା ପ୍ରଦାନ କରିଛନ୍ତି।

Comments
Loading...