ଧରାପଡିଲେ ୧୨ ନକଲି ବିଇଡିଧାରୀ ଶିକ୍ଷକ; ମାମଲା ରୁଜୁ ନିର୍ଦେଶ

କେନ୍ଦୁଝରଗଡ଼ : ଚୁକ୍ତିଭିତ୍ତିକ ଶିକ୍ଷକରୁ କନିଷ୍ଠ ଶିକ୍ଷକ ପଦୋନ୍ନତି ପାଇଁ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ବେଳେ ନକଲି ବିଇଡି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଜିଲାର ୮ଟି ବ୍ଲକର ୧୨ଜଣ ଶିକ୍ଷକ ଧରାପଡିଛନ୍ତି। ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଏହି ୧୨ଜଣ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ ଜାରି ସହ ସେମାନଙ୍କ ବିରୋଧରେ ସ୍ଥାନୀୟ ଥାନାରେ ମାମଲା ରୁଜୁ ପାଇଁ ସମ୍ପୃକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଆଦେଶ ଦିଆଯାଇଛି ବୋଲି ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତିି। ଯୋଡା ବ୍ଲକ କିରିବୁରୁ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରତିକାନ୍ତ ଜେନା,ସାହାରପଡା ବ୍ଲକ କୁଣ୍ଡଳା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପିତବାସ ରାଉତ ଓ ବାଲିତୋଟା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁଧାଂଶୁଭୂଷଣ ପୁହାଣ ଗୌହାଟୀ ବିଶ୍ୱବିଦ୍ୟାଳୟରୁ ବିଇଡି ପାସ୍‍ କରିଥିବା ନିଯୁକ୍ତି ସମୟରେ ସାର୍ଟିଫିକେଟ ଦାଖଲ କରିଥିଲେ। ହରିଚନ୍ଦନପୁର ବ୍ଲକ ଧରଡିଆମ୍ବ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଶ୍ମୀତା ମଲ୍ଲିକ ଓ ଜାମୁଯୋଡି ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ୱାଗତିକା ସାହାଣୀ, ବାଂଶପାଳ ବ୍ଲକ କୁଶକଳା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋପାଳକୃଷ୍ଣ ମହାନ୍ତି ଓ ଅଞ୍ଜର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁଣ୍ୟତୋୟ ଚକ୍ର, ଘସିପୁରା ବ୍ଲକ ବାନରସେନା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବାସିନୀ ଦାସ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ବିଇଡି ପାସ୍‍ କରିଥିବା ସାର୍ଟିଫିକେଟ ନିଯୁକ୍ତି ସମୟରେ ଦାଖଲ କରିଥିଲେ। ସେହିଭଳି ହାଟଡିହି ବ୍ଲକ ସୋସୋ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁଜିତ କୁମାର ମହାନ୍ତି ଓ ମଲ୍ଲିପୋଷି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁନୀତା ଦତ୍ତ, ଝୁମ୍ପୁରା ବ୍ଲକ ବ୍ରାହ୍ମଣଝରି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆର୍ତ୍ତତ୍ରାଣ ଜେନା ଓ ପାଟଣା ବ୍ଲକର ନିଶ୍ଚିନ୍ତପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦେବାଶିଷ ସେନାପତି ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ଝାନ୍‍ସିରୁ ବିଇଡି ପାସ୍‍ ସାର୍ଟିଫିକେଟ ଦାଖଲ କରି ଆଜକୁ ୩ବର୍ଷ ତଳେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଥିଲେ। ସରକାରଙ୍କ ନିୟମ ମୁତାବକ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତିର ୩ବର୍ଷ ପରେ ପଦୋନ୍ନତି ପାଇ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ଦିଆଯିବା କଥା। ପଦୋନ୍ନତି ପୂର୍ବରୁ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ସମୟରେ ରାଜ୍ୟ ବାହାରୁ ବିଇଡି ପାସ୍‍ ସାର୍ଟିଫିକେଟ ଦାଖଲ କରିଥିବା ଏହି ୧୨ଜଣଙ୍କ ପ୍ରମାଣପତ୍ର ଯାଞ୍ଚ ସମୟରେ ନକଲି ବୋଲି ଜଣାପଡିବା ପରେ ସମ୍ପୃକ୍ତ ଶିକ୍ଷକ ଶିୟକ୍ଷିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜକ ଶ୍ରୀ ସେଠୀ କହିଛନ୍ତି। ପ୍ରାଥମିକ ପଦକ୍ଷେପ ସ୍ୱରୂପ ସମ୍ପୃକ୍ତ ୧୨ଜଣ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିବା ବେଳେ ସେମାନଙ୍କ ବିରୋଧରେ ନିକଟସ୍ଥ ଥାନାରେ ୭ଦିନ ମଧ୍ୟରେ ମାମଲା ରୁଜୁ କରିବା ପାଇଁ ସମ୍ପୃକ୍ତ ବ୍ଲକର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଆଦେଶ ଦିଆଯାଇଥିବା ଶ୍ରୀ ସେଠି କହିଛନ୍ତି।

Comments are closed.