ଆଜିଠାରୁ ମହାରାଷ୍ଟ୍ରରେ ଖୋଲୁଛି ସିନେମା ହଲ, ଥିଏଟର

ମୁମ୍ବଇ: ମହାରାଷ୍ଟ୍ର ସରକାର ଶୁକ୍ରବାର ଠାରୁ ରାଜ୍ୟରେ କୋଭିଡ କଟକଣାକୁ ଆଉ କେତେକାଂଶରେ କୋହଳ କରିବା ସହିତ ସିନେମା ହଲ ଏବଂ ଥିଏଟରଗୁଡିକୁ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ କୋଭିଡ-୧୯ କଟକଣାକୁ ଏଥିପାଇଁ କଡାକଡି ଭାବରେ ପାଳନ କରିବାକୁ ହେବ । ଗତ ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ଅକ୍ଟୋବର ୨୨ରୁ ରାଜ୍ୟରେ ସିନେମା ହଲ ଏବଂ ଥିଏଟରଗୁଡିକ ପୁଣି ଖୋଲିବ । ଏଥିସହିତ ରାଜ୍ୟ ସରକାର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବିଦ୍ୟାଳୟଗୁଡିକ ଅକ୍ଟୋବର ୨୫ରୁ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ଏଥିପାଇଁ ପିଲାମାନେ ସେମାନଙ୍କ ପିତାମାତା ଅଥବା ଅଭିଭାବକଙ୍କ ନିକଟରୁ ଅନୁମତି ଆଣିବାକୁ ପଡିବ । ତେବେ ବିଦ୍ୟାଳୟ ଶ୍ରେଣୀଗୃହରେ ୫୦% ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାଦାନ କରାଯିବ । ଏଥିସହିତ ଅନ୍‍ଲାଇନ ଶିକ୍ଷାଦାନ ପୂର୍ବଭଳି ଅବ୍ୟାହତ ରହିବ । ଏସବୁ ସହିତ ପ୍ରତ୍ୟେକ ବ୍ୟାଚରେ ଅଧା ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ସନ୍ତରଣାଗାରଗୁଡିକ କାର୍ଯ୍ୟ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି । ଯେଉଁମାନେ ଦୁଇପାନ ଟିକା ନେଇସାରିଛନ୍ତି ଏବଂ ସେମାନଙ୍କ ଠାରେ କୌଣସି ଲକ୍ଷଣ ନାହିଁ, ସେମାନେ ସନ୍ତରଣାଗାର ବ୍ୟବହାର କରିପାରିବେ ।

Comments are closed.