ନିରବିଲେ ସାରଦା ପ୍ରସନ୍ନ, ଏକ ଯୁଗର ଅବସାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋ ଆଖିର କେତେ କଥା ମୋ ମନର ନିରବତା…, ମନେ ଭରି ଅଭିମାନ ଯାଏ ଛାଡ଼ି ବୃନ୍ଦାବନ… ପ୍ରଭୃତି କାଳଜୟୀ ଗୀତର ସ୍ରଷ୍ଟା ନିରବିଗଲେ। ଚିରଦିନ ପାଇଁ ନିରବିଗଲା ତାଙ୍କ କଲମ। ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ଆଦ୍ୟ ଭାଗର ନିର୍ଦେଶକ, ଗୀତିକାର ତଥା ଅଭିନେତା ସାରଦା ପ୍ରସନ୍ନ ନାୟକ ଆଉ ନାହାନ୍ତି। ବୁଧବାର ଅପରାହ୍ଣରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। କୋଭିଡ୍‍ ପଜିଟିଭ୍‍ ଆସିଥିବାରୁ ସେ ସୋମବାର ଏଠାରେ ଏକ ଘରୋଇ ହସ୍ପିଟାଲ୍‍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଆଜି ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ତାଙ୍କ ବିୟୋଗ ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ସମୟରେ ପତ୍ନୀ ନିହାରବାଳା ଓ ପୁତ୍ର ପାର୍ଥ ଉପସ୍ଥିତ ଥିଲେ।

ସାରଦା କଟକ ଜିଲା ବୟାଳିଶ ମୌଜା ଅନ୍ତର୍ଗତ ଧୂଳେଶ୍ୱର ଗ୍ରାମରେ ୧୯୨୬ ଡିସେମ୍ବର ୧୩ରେ ଜନ୍ମଗ୍ରହଣ କରିଥିଲେ। କଟକ ସହରରେ ଶିକ୍ଷାଗ୍ରହଣ ଶେଷ ପରେ ସେକେଣ୍ଡାରୀ ବୋର୍ଡ ସ୍କୁଲରେ ସେ ଶିକ୍ଷକତା କରିଥିଲେ। ପରେ ଆକାଶବାଣୀ ଓ ଦୂରଦର୍ଶନରେ ରାଜ୍ୟ ସାଧନ କେନ୍ଦ୍ରର ପ୍ରଯୋଜକ ଭାବେ ଯୋଗ ଦେଇଥିଲେ। ଦୂରଦର୍ଶନରୁ ପ୍ରୋଗ୍ରାମ ଏକ୍‍ଜିକ୍ୟୁଟିଭ ଭାବେ ଅବସରଗ୍ରହଣ କରିଥିଲେ ସେ। ଏହାପରେ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ବିଭାଗରେ ଅତିଥି ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ୧୯୫୧ରୁ ସେ ନାଟକ ସଂଳାପ ରଚନା, ନିର୍ଦେଶନା ଓ ସଙ୍ଗୀତ ନିର୍ଦେଶନା ଦେବା ଆରମ୍ଭ କରିଥିଲେ। କଳ୍ପନା କଳାମନ୍ଦିର ନାମକ ଏକ ସୌଖିନ୍‍ ନାଟ୍ୟସଂସ୍ଥା ପ୍ରତିଷ୍ଠା କରି ଓଡ଼ିଆ ନାଟ୍ୟ ଜଗତରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରିଥିଲେ। ତାଙ୍କ ରଚିତ ଓ ନିର୍ଦେଶିତ ନାଟକଗୁଡିକ ମଧ୍ୟରେ- ଶଙ୍ଖାଳି, ସୁନାମାଟି, ପତ୍ନୀ, ଯୋଗୀ, ରୁଟି ଓ ପରିଶୋଧ ଆଦି ସେ ସମୟରେ ବେଶ୍‍ ଆଦୃତି ଲାଭ କରିଥିଲା। ‘ଭକ୍ତକବି ଜୟଦେବ’ ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଲେଖିବା ଓ ସହ ନିର୍ଦେଶନାରୁ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ ହୋଇଥିଲା। ସେତେବେଳେ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ମୁଖ୍ୟତଃ ବଙ୍ଗୀୟ ନିର୍ଦେଶକଙ୍କ ଦ୍ୱାରା ନିର୍ମିତ ହେଉଥିବାବେଳେ ପ୍ରଥମ ଓଡ଼ିଆ ନିର୍ଦେଶକ ଭାବେ ଛଦ୍ମନାମ ‘ସିଦ୍ଧାର୍ଥ’ ବ୍ୟବହାର କରି ସେ ‘ଲକ୍ଷ୍ମୀ’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ପରେ କା, ସ୍ତ୍ରୀ ଓ ସଂସାର ଚଳଚ୍ଚିତ୍ର ନିର୍ମାଣରେ ସହାୟତା କରିଥିଲା ବେଳେ ଗୀତିକାର ଭାବେ କାର୍ଯ୍ୟ ତୁଲାଇଥିଲେ। ଲକ୍ଷ୍ମୀ, କା ଓ ସ୍ତ୍ରୀ ଚଳଚ୍ଚିତ୍ର ପାଇଁ ସେ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ।

ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ରାଜ୍ୟ ସରକାର ତାଙ୍କୁ ଜୟଦେବ ସମ୍ମାନରେ ସମ୍ମାନିତ କରିଛନ୍ତି। ତାଙ୍କ ରଚିତ ଗୀତ ମଧ୍ୟରୁ – ଆରତ ସୁରେ ବାରେ କରେ ମିନତିରେ, ମନେ ଭରି ଅଭିମାନ ଯାଏ ଛାଡ଼ି ବୃନ୍ଦାବନ, ନକର ନକର ମନ ତିଳେ ହେଲେ ଭାବନା, ମଉନାବତୀ ମଉନ କିଆଁ, ସଞ୍ଜ ସକାଳେ ତୁମ ଛବି ଖୋଜେ ନୀରଭିଜା ନୟନରେ, ମୋ ଆଖିର କେତେ କଥା ମୋ ମନର ନିରବତା… ଆଦି ବେଶ୍‍ ମନଛୁଆଁ ହୋଇଥିଲା।
ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ ସ୍ୱର୍ଗତ ପାର୍ବତୀ ଘୋଷ ଏବଂ ଅଭିନେତା ତଥା ସଙ୍ଗୀତ ନିର୍ଦେଶକ ସ୍ୱରୂପ ନାୟକଙ୍କ ବଡ଼ଭାଇ। ଆସନ୍ତାକାଲି ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି। ତାଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପାଲିତ, ସିନେ ସମୀକ୍ଷକ ଦିଲୀପ ହାଲି ପ୍ରମୁଖ ପ୍ରକାଶ କରିଛନ୍ତି।
ଏକ ଯୁଗର ଅବସାନ: ମୁଖ୍ୟମନ୍ତ୍ରୀ
ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ, ଗୀତିକାର ସାରଦାପ୍ରସନ୍ନ ନାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି, ସ୍ୱର୍ଗତ ନାୟକଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ଘଟାଇଛି। ‘ଲକ୍ଷ୍ମୀ’, ‘କା’, ‘ସ୍ତ୍ରୀ. ‘ସଂସାର’ ପରି ଚଳଚ୍ଚିତ୍ର ନିର୍ମାଣ କରି ସେ ଅଭୁଲା ଛାପ ଛାଡ଼ି ଯାଇଛନ୍ତି। ତାଙ୍କ ଅମର ଆତ୍ମାର ସଦ୍‍ଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.