ଧୈର୍ଯ୍ୟ, ଅଧ୍ୟବସାୟ, ନମ୍ର ମନୋଭାବ ଓ ସମ୍ବେଦନଶୀଳ ହିଁ ଜଣେ ସଫଳ ଉଦ୍ୟୋଗୀର ୪ଟି ମହାନ ଗୁଣ

ସିଫାରେ ମହିଳା କୃଷିଜୀବି ଦିବସ ପାଳିତ

ପିପିଲି:କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଓ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ସିଫା ପରିସରରେ ମହିଳା କୃଷିଜୀବି ଦିବସ ପାଳିତ ହୋଇଯାଇଛି। କୋଭିଡ୍‍ କଟକଣା ମଧ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ୧୭୯ଜଣ ମହିଳା କୃଷିଜୀବି ଓ ଉଦ୍ୟୋଗୀ ଯୋଗଦେଇଥିଲେ। ସିଫାର ନିର୍ଦ୍ଦେଶକ ଡ.ସରୋଜ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳପତି ଡ. ସସ୍ମିତା ସାମନ୍ତ ଯୋଗଦେଇ ଦେଶର କୃଷି ଉତ୍ପାଦନ କ୍ଷେତ୍ରରେ ମହିଳା କୃଷିଜୀବିଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଧୈର୍ଯ୍ୟ, ଅଧ୍ୟବସାୟ, ନମ୍ର ମନୋଭାବ ଓ ସମ୍ବେଦନଶୀଳ ହିଁ ଜଣେ ସଫଳ ଉଦ୍ୟୋଗୀର ୪ଗୋଟି ମହାନ ଗୁଣ ହୋଇଥିବା ବେଳେ ସଂପ୍ରତି ମହିଳାମାନେ ପାରମ୍ପରିକ ପଦ୍ଧତିରେ କୃଷି କରିବା ସହ କୃଷି ଉଦ୍ୟୋଗୀ ହେବାକୁ ମନ ବଳାଇବା ଘଟଣା ଏକ ଶୁଭସୂଚନା ବୋଲି ଡ. ସାମନ୍ତ କହିଥିଲେ। ଏହାସହ ମହିଳା କୃଷିଜୀବି ଓ ଉଦ୍ୟୋଗୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସିଫାର କାର୍ଯ୍ୟାବଳୀକୁ ଭୂୟସୀ ପ୍ରଶଂସା କରିଥିଲେ।
ସମ୍ମାନିତ ଅତିଥି ଭାବେ ଆପିକଲର ପରିଚାଳନା ନିର୍ଦ୍ଦେଶକ ଡ. ପି. କେ. ରାଉଳ ଯୋଗଦେଇ ମହିଳା କୃଷିଜୀବି ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହ ବର୍ତ୍ତମାନର ଯୁଗ ହିଁ ଉଦ୍ୟୋଗୀଙ୍କର ଯୁଗ ଓ ମହିଳାମାନେ କୃଷି ଉଦ୍ୟୋଗୀ ହେବା ସମାଜ ପାଇଁ ଏକ ଉତ୍ତମ ଲକ୍ଷଣ ବୋଲି ପ୍ରକାଶ କରିଥିଲେ। ସିଫାର ନିର୍ଦ୍ଦେଶକ ଡ.ସ୍ୱାଇଁ ନିଜ ବକ୍ତବ୍ୟରେ ମହିଳାମାନେ କିପରି ମାଛଚାଷକୁ ଜୀବିକା ଭାବରେ ଗ୍ରହଣ କରିବେ ସେଥିପାଇଁ ସିଫା ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି କହିଥିଲେ। ଗତ ତିନି ଦଶନ୍ଧି ଧରି ବିଭିନ୍ନ ଆଉଟ୍ରିଚ୍ ପ୍ରକଳ୍ପ ମାଧ୍ୟମରେ ମତ୍ସ୍ୟଚାଷ କ୍ଷେତ୍ରରେ ମହିଳାମାନେ ସଂଶ୍ଳିଷ୍ଟ ହେଉଛନ୍ତି ଓ ସେମାନଙ୍କୁ ବିଭିନ୍ନ ଜ୍ଞାନକୌଶଳ ଯୋଗାଇଦେବା ସହ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ସିଫା କାର୍ଯ୍ୟ କରୁଛି। ଫଳରେ ମହିଳାମାନେ ଖାଲି ଜୀବିକାର୍ଜନ କରୁଛନ୍ତି ତାହାନୁହେଁ ପରନ୍ତ ସେମାନେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଶକ୍ତ ହେଉଛନ୍ତି।

 

ସିଫା ପକ୍ଷରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମାଛ ଜାଆଁଳ ଉତ୍ପାଦନ, ରଙ୍ଗୀନ ମାଛ ଜାଆଁଳ ଉତ୍ପାଦନ, ଗୋଷ୍ଠୀ ତଥା ସର୍ବସାଧାରଣ ପୋଖରୀରେ ମାଛଚାଷ ଓ ଅମଳ ପରବର୍ତ୍ତୀ କାର୍ଯ୍ୟାବଳୀ ଗୁଡ଼ିକ ଆଗକୁ ନିଆଯାଉଥିବା ସଂପର୍କରେ ଡ.ସ୍ୱାଇଁ ଆଲୋକପାତ କରିଥିଲେ। ଏଥିସହ ରଙ୍ଗୀନ ମାଛଗାଁ ପ୍ରକଳ୍ପ ମାଧ୍ୟମରେ ଲାଭବାନ ହେବାକୁ ଉପସ୍ଥିତ ମହିଳା କୃଷିଜୀବିଙ୍କୁ ସେ ପରାମର୍ଶ ଦେଇଥିଲେ। ଜଳଜୀବ ପାଳନ ବା ମତ୍ସ୍ୟ ଚାଷ କରି କିପରି ମହିଳାମାନେ ଅଧିକ ସଶକ୍ତ ହୋଇପାରିବେ ସେ ସଂପର୍କରେ ସିଫାର ପ୍ରଧାନ ବୈଜ୍ଞାନିକ ଡଃ କାନ୍ତା ଦାସ ମହାପାତ୍ର ସବିଶେଷ ସୂଚନା ପ୍ରଦାନ କରିଥିଲେ। ଖୋର୍ଦ୍ଧା କେଭିକେ ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଅଜୟ କୁମାର ଦାଶ ନିଜ ବକ୍ତବ୍ୟରେ କୃଷି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଲାଭାନ୍ୱିତ ହେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଧାନ ବୈଜ୍ଞାନିକ ଡ.ହିଂମାଶୁ କୁମାର ଦେ ଅଗ୍ରଣୀ ମହିଳାଚାଷୀ ନିନି ସିଂହ ଓ ଅରୁଣାଚଳ ପ୍ରଦେଶର ତାନାୟାମିଙ୍କ ଉଦାହରଣ ଦେଇ ମହିଳାମାନେ ସେମାନଙ୍କ ପଦାଙ୍କ ଅନୁସରଣ କଲେ ଅଧିକ ସଫଳତା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ୮ଜଣ ଅଗ୍ରଣୀ ମହିଳା କୃଷିଜୀବିଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ଶେଷରେ ଡ. ହରପ୍ରିୟା ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡଃ ସ୍ନାତା ଶ୍ରୀମହାନ୍ତି ଓ ସୁକାନ୍ତି ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Comments are closed.