‘ସିଫା’ରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା(ସିଫା)ଠାରେ ୨୧ତମ ଜାତୀୟ ମତ୍ସ୍ୟଚାଷୀ ଦିବସ ଆଭାସି ମାଧ୍ୟମରେ ଶନିବାର ପାଳିତ ହୋଇଯାଇଛି। ଏହି ଅବସରରେ ୧୫ଜଣ ସଫଳ ମତ୍ସ୍ୟଚାଷୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।
ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ଅବସରରେ ମତ୍ସ୍ୟଚାଷୀ ଦିବସର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ୧୯୫୭ ମସିହାରେ ପ୍ରେରିତ ପ୍ରଜନନ ଜ୍ଞାନକୌଶଳର ଉଦ୍ଭାବକ ବୈଜ୍ଞାନିକ ଡଃ କେ.ଏଚ୍‍. ଆଲିକୁନି ଓ ଡଃ ଏଚ୍‍.ଏଲ. ଚୌଧୁରୀଙ୍କ ସ୍ମୃତିଚାରଣ କରି ଡଃ ସ୍ୱାଇଁ କହିଥିଲେ ଯେ ଏହି ଉଦ୍ଭାବନ ଭାରତ ଓ ବିଦେଶରେ ମତ୍ସ୍ୟବିଜ୍ଞାନ ଇତିହାସରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିଥିଲା। ଅର୍ଥନୈତିକ ଦୃଷ୍ଟିକୋଣରୁ କୃଷକମାନଙ୍କ ପାଇଁ ଲାଭ ପ୍ରଦାନକାରୀ ମାଛ ଓ ଚିଙ୍ଗୁଡ଼ି ଚାଷ, ବିଭିନ୍ନ ବୟସର ମାଛଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି, ରୋଗ ନିରୂପଣ କିଟ୍‍, ଜୟନ୍ତିରୋହୀ, ଉନ୍ନତ କିସମର ଭାକୁର, ବଡଚିଙ୍ଗୁଡ଼ି, ସିଫାବ୍ରୁଡ୍‍ ଓ ଅନ୍ୟାନ୍ୟ ଦରକାରୀ ଜ୍ଞାନକୌଶଳ ବିକାଶ କରିବାରେ ସିଫାର ଅବଦାନ ସଂପର୍କରେ ସେ ସୂଚନା ପ୍ରଦାନ କରିଥିଲେ।
ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଉପ-ମହାନିର୍ଦ୍ଦେଶକ (ମତ୍ସ୍ୟବିଜ୍ଞାନ) ଡଃ ଜେ.କେ. ଜେନା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ମତ୍ସ୍ୟବିଜ୍ଞାନ ଅନୁଷ୍ଠାନ ଗୁଡ଼ିକ କୋଭିଡ-୧୯ ତାଲାବନ୍ଦ ସମୟରେ ମତ୍ସ୍ୟଚାଷୀ ମାନଙ୍କୁ ବୈଷୟିକ ସହଯୋଗ ଯୋଗାଇ ଦେଇଥିବା ସଂପର୍କରେ ସୂଚନା ଦେବା ସହ ମତ୍ସ୍ୟବିଜ୍ଞାନ କ୍ଷେତ୍ରରେ ଆସିଥିବା ବିକାଶ ପାଇଁ ଏଥିରେ ଜଡିତ ବୈଜ୍ଞାନିକ, କୃଷକ ଓ ଅଂଶୀଦାର ମାନଙ୍କୁ କୃତଜ୍ଞତା ଜଣାଇଥିଲେ। ବିଶ୍ୱ ମହାମାରୀ ଦୁସ୍ଥିତି ସମୟରେ କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକର ସୁସମାଧାନ ପାଇଁ ଗବେଷଣା ରଣନୀତିକୁ ନୂତନ ମାର୍ଗରେ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ୨୦୨୧ର ବିଶ୍ୱଖାଦ୍ୟ ପୁରସ୍କାର ବିଜୟିନୀ ଡଃ ସକୁନ୍ତଳା ହରକ୍‍ସିଂ ଥିଲ୍‍ଷ୍ଟେଡ ମୁଖ୍ୟଅତିଥି ଭାବେ ଯୋଗଦେଇ ମାନବର ପୋଷଣ ଆବଶ୍ୟକତା ପୂରଣ ପାଇଁ ମତ୍ସ୍ୟନୀତି ଓ ବୈଷୟିକ ଜ୍ଞାନକୌଶଳର ଏକାଭିମୁଖତା ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ପ୍ରଧାନମନ୍ତ୍ରୀ ମତ୍ସ୍ୟସଂପଦ ଯୋଜନାକୁ ସଫଳ କରିବା ପାଇଁ ସିଫା କରୁଥିବା ପ୍ରଚେଷ୍ଟାକୁ ସେ ଭୂୟସୀ ପ୍ରଶଂସା କରିଥିଲେ। ପ୍ରଧାନ ବୈଜ୍ଞାନିକ ତଥା ଫିସ୍‍ ଜେନେଟିକ୍ସ ବିଭାଗର ମୁଖ୍ୟ ଡଃ ଜେ.କେ. ସୁନ୍ଦରାୟ ଏହି ପ୍ରଥମ ଅଧିବେଶନକୁ ପରିଚାଳନା କରିଥିଲେ।
ଭାରତର ଅମୃତ ମହୋତ୍ସବ ପାଳନର ଅଂଶ ବିଶେଷ ଭାବରେ ଆୟୋଜିତ ଦ୍ୱିତୀୟ ଅଧିବେଶନର ପ୍ରାରମ୍ଭରେ ପ୍ରଧାନ ବୈଜ୍ଞାନିକ ଡଃ ପି.ସି. ଦାସ ପୋଷଣୀୟ ଜଳକୃଷି ପାଇଁ ପୋଖରୀ ପରିଚାଳନା ଉପରେ ଆଲୋକପାତ କରିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ ଅଗ୍ରଣୀ ମତ୍ସ୍ୟଚାଷୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜନିଜର ଚାଷ ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକର ଆଶୁ ସମାଧାନ ନିମନ୍ତେ ବୈଜ୍ଞାନିକ ମାନଙ୍କଠାରୁ ପରାମର୍ଶ ଗ୍ରହଣ କରିଥିଲେ। ପ୍ରାୟ ୨୦୦ଜଣ ଅଂଶଗ୍ରହଣ କରିଥିବା ଏହି ଆଭାସି କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନକୁ ସାମାଜିକ ବିଜ୍ଞାନ ବିଭାଗ ମୁଖ୍ୟ ଡଃ ଗୌରସୁନ୍ଦର ସାହା ପରିଚାଳନା କରିଥିବା ବେଳେ ବୈଷୟିକ ଅଧିକାରୀ ଡଃ ଡି.କେ. ବର୍ମା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବୈଜ୍ଞାନିକ ଡଃ ଆଇ. ଶିବରମଣ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Comments are closed.