ଦେଶର ଅନ୍ନଦାତା କୃଷକ

ସିଫାରେ କୃଷକ ଦିବସ ପାଳିତ

ପିପିଲି:କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଓ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ କେଭିକେ ପ୍ରେକ୍ଷାଳୟ ଗୃହରେ ଗୁରୁବାର କୃଷକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବାଲିପାଟଣା ଓ ବାଲିଅନ୍ତା ବ୍ଳକର ୧୦ଜଣ ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଅଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସିଫାର ଭାରପ୍ରାପ୍ତ ନିର୍ଦ୍ଦେଶିକା ଡ. ବିନ୍ଦୁ ଆର୍‍. ପିଲାଇ ଯୋଗଦେଇ କହିଥିଲେ ଯେ କୃଷକମାନେ ହେଉଛନ୍ତି ଦେଶର ଅନ୍ନଦାତା। ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହେବା ଦରକାର। କୃଷକଙ୍କ ଉନ୍ନତି ପାଇଁ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟ ପ୍ରଶଂସନୀୟ। ତେବେ କୃଷକମାନଙ୍କ ଜୀବିକା ନିର୍ବାହ ପାଇଁ ମତ୍ସ୍ୟଚାଷ ଉପରେ ସେମାନେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ଆହ୍ବାନ ଦେଇଥିଲେ।

କୃଷକ ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ବରିଷ୍ଠ ବୈଜ୍ଞାନିକ ଅଜୟ କୁମାର ଦାଶ ଆଲୋକପାତ କରିବା ସହ ପ୍ରାକୃତିକ ଚାଷ ଏବଂ ସମନ୍ୱିତ କୃଷି କଲେ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇପାରିବ ପ୍ରକାଶ କରିଥିଲେ। ଏହାସହିତ ଦାରିଦ୍ର୍ୟତା ଓ କୁପୋଷଣ ହଟିବ ଏବଂ କୃଷକ ମାନଙ୍କର ଆୟର ଅଭିବୃଦ୍ଧି ହେବ ବୋଲି ସେ କହିଥିଲେ। ମହୁଚାଷ, ଛତୁଚାଷ ଓ ମତ୍ସ୍ୟଚାଷ ସମ୍ବନ୍ଧରେ ଦେବବ୍ରତ ସାହୁ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କୃଷକ ଓ କୃଷି ବୈଜ୍ଞାନିକଙ୍କ ମଧ୍ୟରେ ଅନୁଷ୍ଠିତ ଭାବ ବିନିମୟ କାର୍ଯ୍ୟକ୍ରମରେ କେଭିକେ ମୁଖ୍ୟ ଶ୍ରୀଦାଶ, ଏସ୍ଏମ୍ଏସ୍ ଏସ୍. ସିଂହ, ସିଟିଓ ଡ.ବି.କେ. ବାଞ୍ଜା, ଏସ୍ଏମ୍ଏସ୍ ଡଃ ହରପ୍ର୍ରିୟା ନାୟକ ଓ ସୁକାନ୍ତି ବେହେରା ପ୍ରମୁଖ ଯୋଗଦେଇଥିଲେ ଏବଂ କୃଷକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଶେଷରେ ଡ.ହରପ୍ରିୟା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.