ସିଫାର ୩୪ତମ ବାର୍ଷିକ ଉତ୍ସବ ପାଳିତ

ପିପିଲି : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା ( ସିଫା)ର ୩୪ତମ ବାର୍ଷିକ ଉତ୍ସବ ଗୁରୁବାର ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସିଫାର ନିର୍ଦ୍ଦେଶିକ ଡ଼ଃ ସରୋଜ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅରୁଣାଚଳ ପ୍ରଦେଶର ମତ୍ସ୍ୟ, କୃଷି, ଉଦ୍ୟାନକୃଷି ଓ ପଶୁପାଳନ ବିଭାଗ ମନ୍ତ୍ରୀ ତାଗେ ତାକି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦେଶର ମଧୁରଜଳ ମତ୍ସ୍ୟ ସଂପଦ ବିକାଶ କ୍ଷେତ୍ରରେ ସିଫାର ଅବଦାନ ସଂପର୍କରେ ଆଲୋକପାତ କରିବା ସହ ସିଫାକୁ ଭୂୟସି ପ୍ରଶଂସା କରିଥିଲେ। ଅରୁଣାଚଳ ପ୍ରଦେଶର ସୋନାଜୁଲି ଠାରେ ସିଫା ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଜଳକୃଷି ପ୍ରଯୁକ୍ତି ପାର୍କ ସଂପର୍କରେ ସେ ସୂଚନା ଦେବାସହ ବିଶିଷ୍ଟ କୃଷକ ତାନା ନେକମ ତାରାଙ୍କ କୃଷିଫାର୍ମରେ ସିଫା ପକ୍ଷରୁ ପ୍ରତିଷ୍ଠିତ ଆକ୍ୱାକଲଚର କ୍ଷେତ୍ର ବିଦ୍ୟାଳୟ ଅରୁଣାଚଳ ପ୍ରଦେଶର ଗ୍ରାମୀଣ ଯୁବ କୃଷକମାନଙ୍କ ପାଇଁ ବେଶ୍‍ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ । ଭାରତୀୟ ଡାକ ବିଭାଗର ସଚିବ ପି.କେ ବିଶୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗବେଷଣା ସହିତ ମାଛଚାଷୀଙ୍କ ସମସ୍ୟାଗୁଡିକୁ ସମାଧାନ କରିବା ପାଇଁ ସିଫାର ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେବା ସହ ମଧୁରଜଳ କୃଷିର ବିକାଶ କ୍ଷେତ୍ରରେ ସିଫାର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ। କୃଷି ଉପଯୋଗୀ ପ୍ରଯୁକ୍ତି ବିଦ୍ୟା ବିକଶିତ କରିବାରେ ସିଫାର ଭୂମିକା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ ଯୋଗ ସୂତ୍ର ରକ୍ଷା କରି ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କରି ଉନ୍ନତି କରିବା ଉପରେ ସିଫାର ନିର୍ଦ୍ଦେଶକ ଡ଼ଃ ସ୍ୱାଇଁ ଆଲୋକପାତ କରିଥିଲେ । ସିଫା ଦ୍ୱାରା ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ଭାରତ ସରକାରଙ୍କ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମ ସଂପର୍କରେ ସେ ସୂଚନା ଦେବା ସହ ସିଫା ପ୍ରଶାସନ ନିୟନ୍ତ୍ରଣରେ ଚାଲୁଥିବା ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ୧୫ଶହ ମହିଳା କୃଷିଜୀବୀ ଓ କୃଷକ ଉପକୃତ ହୋଇଥିବା ସଂପର୍କରେ ଡ଼ଃ ସ୍ୱାଇଁ ସୂଚନା ଦେଇଥିଲେ । ଏହି ଅବସରରେ ମୋହର ଲାଗିଥିବା ୧୨ଟି ସ୍ୱତନ୍ତ୍ର ପୋଷ୍ଟକାର୍ଡକୁ ଉନ୍ମୋଚନ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଅନ୍ତର୍ଦେଶୀୟ ଜଳକୃଷି ସହ-ମହାନିର୍ଦ୍ଦେଶକ ଡ଼ଃ ବିମଳ ପ୍ରସନ୍ନ ମହାନ୍ତି, ସାମୁଦ୍ରିକ ମତ୍ସ୍ୟଚାଷ ସହ-ମହାନିର୍ଦ୍ଦେଶକ ଡ଼ଃ ପି.ପ୍ରବୀଣ, ସିଫାର ପୂର୍ବତନ ନିର୍ଦ୍ଦେଶକ ଡ଼ଃ ଏନ୍‍.ଷଡଙ୍ଗୀ, ପପୁମ ପେୟାର ଇକୋ ଆଗ୍ରୋର ନିର୍ଦ୍ଦେଶକ ତାନା ୟାମି, ଓଡିଶା ମହାଡାକପାଳ କର୍ଣ୍ଣେଲ ଜଳେଶ୍ୱର କହଁର ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଇନ୍ଦ୍ର ଭୁଷଣ କୁମାର ଯୋଗଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ “ଲାବୋରେଟୋରୀ ମାନୁଆଲ ଅନ୍‍ ସଏଲ ଆଣ୍ଡ ୱାଟର କ୍ୱାଲିଟି ଆନାଲିସିସ ଫର ଫ୍ରେସ ୱାଟର ଆକ୍ୱାକଲଚର’ ଶୀର୍ଷକ ଏକ ପୁସ୍ତକକୁ ଉନ୍ମୋଚନ କରାଯାଇଥିବା ବେଳେ ୯ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସଂବର୍ଦ୍ଧିତ କରାଯିବା ସହ କୃତି ବୈଜ୍ଞାନିକ, କର୍ମଚାରୀ ଏବଂ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା । ଏହି ଅବସରରେ ଏକ ମୁକ୍ତାକାଶ ଜିମ୍‍କୁ ମୁଖ୍ୟଅତିଥି ମନ୍ତ୍ରୀ ତାଗେ ତାକି ଉଦ୍‍ଘାଟନ କରିଥିଲେ । ଶେଷରେ ସିଫାର ପ୍ରମୁଖ ବୈଜ୍ଞାନିକ ଡ଼ଃ ଜେ.କେ ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଫାର ଅନେକ ପ୍ରାକ୍ତନ ବୈଜ୍ଞାନିକ ଓ କର୍ମଚାରୀ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ପରାମର୍ଶ ଉପସ୍ଥାପନ କରିଥିଲେ । ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Comments are closed.