ଧ୍ବଂସାଭିମୁଖୀ ଚୁଡ଼ଙ୍ଗଗଡ଼ ପୁରାତନ କୀର୍ତ୍ତିରାଜି

ଚନ୍ଦକା : ଚନ୍ଦକା ଥାନା ଅନ୍ତର୍ଗତ ଚୁଡଙ୍ଗଗଡ଼ ଭୁବନେଶ୍ୱର ଓ ବାରଙ୍ଗ ତହସିଲର ସୀମାବର୍ତ୍ତୀ ଅଞ୍ଚଳରେ ରହିଛି। ଗଡ଼କୁ ଲାଗି ରହିଛି କିଛି ଘରୋଇ ଜମି। ଏହି ଜମିକୁ ସମତୁଲ କରିବା ବାହାନାରେ ଚୁଡ଼ଙ୍ଗଗଡ଼ର ଐତିହ୍ୟ କୀର୍ତ୍ତିରାଜିକୁ ନଷ୍ଟ କରିବା ସହ ଗଡ଼ ଭିତରୁ ମେସିନ ସହାୟତାରେ ମୋରମ ଉଠାଯାଉଛି। ଏଠାରେ ଥିବା ବଡ଼ ବଡ଼ ପାହାଡ଼କୁ ମଧ୍ୟ କାଟି ବିକିବାକୁ ପଛାଉ ନାହାନ୍ତି ମାଫିଆମାନେ। ଏହି ଅଞ୍ଚଳଟି ପ୍ରତ୍ନତତ୍ତ୍ବ ବିଭାଗ ଅଧିନରେ ରହିଛି ଓ ଏହା ସଂରକ୍ଷିତ ଅଞ୍ଚଳର ମାନ୍ୟତା ପାଇଛି। ଦୁଇ ରାଜସ୍ବ ବିଭାଗର ସୀମାବର୍ତ୍ତୀ ଅଞ୍ଚଳରେ ଥିବାରୁ ଏଠାରୁ ବ୍ୟାପକ ମୋରମ ଖୋଳାଯାଇ ଚାଲାଣ ହେଉଛି। ଏହା ରାଜସ୍ବ ବିଭାଗ ଆଖିରେ ପଡ଼ୁଛି ନା ପ୍ରତ୍ନତତ୍ତ୍ବ ବିଭାଗ ନଜରରେ ପଡ଼ୁଛି। ସ୍ଥାନୀୟ େଲାକେ ଅଭିଯୋଗ କଲେ ବି ଜାଣି ନଜାଣିବାର ଅଭିନୟ କରୁଛି ଦୁଇ ବିଭାଗ। ଷୋଡ଼ଶ ଶତାବ୍ଦୀର ଏହି ପ୍ରାଚୀନ କୀର୍ତ୍ତିରାଜି ଏବେ ଧ୍ବଂସାଭିମୁଖୀ ଆଡ଼କୁ ଗତି କରୁଛି। ଗଡ଼ ଭିତରେ ଥିବା ବଡ଼ ପୋଖରୀ, ସାନ ପୋଖରୀ, ରାଣୀ ଗାଧୁଆ ପୋଖରୀ, ହାତୀ ଗାଧୁଆ ପୋଖରୀ ଚାରିପଟେ ଥିବା ପୁରାତନ ପ୍ରସ୍ତର ଖଣ୍ଡ ଭାଙ୍ଗି ପଡ଼ିଲାଣି। କିଛି ପ୍ରସ୍ତର ମଧ୍ୟ ଖଣି ମାଫିଆ ଚୋରି କରି ବିକି ଦେଲେଣି। ପ୍ରତ୍ନତତ୍ତ୍ବ ବିଭାଗ ଓ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହି ପ୍ରାଚୀନ କୀର୍ତ୍ତିରାଜି ଏବେ ବିଲୁପ୍ତ ହେବାକୁ ବସିଲାଣି। କୌଣସି ସୂତ୍ରରୁ ଖବର ପାଇ ଭୁବନେଶ୍ବର ତହସିଲଦାର, ଚନ୍ଦକା ରାଜସ୍ବ ନିରୀକ୍ଷକ ଓ ଅନ୍ୟାନ୍ୟ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ଯାଞ୍ଚ ଆରମ୍ଭ କରିଛନ୍ତି। ଚନ୍ଦକା ରାଜସ୍ବ ନିରୀକ୍ଷକ କହିଛନ୍ତି, ଚୋରା ମୋରମ ବେପାରୀଙ୍କ ବିରୋଧରେ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ।

Comments are closed.