ହାତରୁ ମେହେନ୍ଦି ଲିଭିନି, ଜୁଇରେ ଜଳିଲେ ନବବଧୂ

ଯୌତୁକଜନିତ ହତ୍ୟା ଅଭିଯୋଗ କଲେ ମା’

ଛତ୍ରପୁର: ହାତରୁ ମେହେନ୍ଦି ନଲିଭୁଣି ଜୁଇରେ ଜଳି ଯାଇଛନ୍ତି ଜଣେ ନବବଧୂ। ବିବାହର ମାତ୍ର କେଇଟା ଦିନରେ ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଭଳି ଅଭିଯୋଗ ସମଗ୍ର ଛତ୍ରପୁର ବ୍ଲକ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଅଗ୍ନିକୁ ସାକ୍ଷୀ ରଖି ବୈଦିକ ରୀତିରେ ଚଳିତ ମାସ ୮ ତାରିଖରେ ରାଜପୁର ଗ୍ରାମର ପ୍ରତିମା ନାହାଙ୍କ ଝିଅ ବର୍ଷା ହୁମ୍ବର ଗ୍ରାମର ପ୍ରବୀଣପ୍ରସାଦ ପଲେଇଙ୍କୁ ବିବାହ କରିଥିଲେ। ନୂଆ ଜୀବନ ଆରମ୍ଭ କରିବାକୁ ଯାଇଥିବା ନବବଧୂଙ୍କ ଆଜି ଅପରାହ୍ନରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ହାତରୁ ଅଳତା ଓ ମେହିନ୍ଦି ନଲିଭୁଣୁ ସଂସାରରୁ ବିଦାୟ ନେଇଛନ୍ତି ବର୍ଷା। ମଙ୍ଗଳବାର ଅପରାହ୍ନରେ ବର୍ଷା ଲୁଗା ଜରିଆରେ ଆତ୍ମହତ୍ୟା କରିଥିବା ନେଇ ଶାଶୂଘର ଲୋକେ ରାଜପୁରସ୍ଥିତ ତାଙ୍କ ମା’ ଘରକୁ ଜଣାଇଥିଲେ। ତତକ୍ଷାଣତ ରାଜପୁର ଗ୍ରାମରୁ ମା ’ ଘର ଲୋକେ ଆସିବା ପୂର୍ବରୁ ବର୍ଷାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। କିନ୍ତୁ ବର୍ଷାଙ୍କ ମା’ ଘର ଲୋ​‌​‌କେ ଏହା ଯୌତୁକଜନିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।

ସୋମବାର ଶାଗଖିଆ ପର୍ବରେ ମୃତା ବର୍ଷା ତାଙ୍କ ମା’ ପ୍ରତିମା ନାହାକ ଓ ଭାଇ କାଳୁଚରଣ ନାହାକଙ୍କୁ କାନ୍ଦି କାନ୍ଦି ଏଠାରେ କିପରି ତାଙ୍କୁ ହଇରାଣ କରାଯାଉଛି ତାହା ବଖାଣିଥିବା ମା’ ପ୍ରତିମା ପୁଲିସ ଆଗରେ କହିଛନ୍ତି। ଖବର ପାଇ ଛତ୍ରପୁର ଥାନା ପୁଲିସ ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏଥିସହ ସ୍ୱାମୀ ଟିକିରି ପଲେଇଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ବିବାହ ବେଳେ କନ୍ୟା ଘର ପକ୍ଷରୁ ଯୌତୁକ ବାବଦକୁ ପ୍ରଥମେ ୫୦ ହାଜର ଟଙ୍କା ୮ ଭରି ସୁନା ସହ ଆସବାପତ୍ର ଦିଆଯାଇଥିଲା। ଏଥିରେ ଶାଶୂଘର ଲୋ​​‌କେ ଖୁସି ନଥିଲେ। ଗତକାଲି ମା’ ପ୍ରତିମା ଆଉ ୨୦ ହାଜର ଟଙ୍କା ଦେଇଥିଲେ।

 

Comments are closed.