ଆଜି ‘ଇଭ୍‍ କ୍ରିସ୍‍ମାସ୍‍; ମଧ୍ୟରାତ୍ରରେ ଯିଶୁଙ୍କ ଧରାବତରଣ

0

କଟକ : ସହରର ବିଭିନ୍ନ ଖିରସ୍ତାନ ସମାଜ ମୁଖରିତ ହୋଇଉଠିଛି, ବସତିର ଘରେଘରେ ଚାଲିଛି ସାଜସଜ୍ଜା। ବିଶେଷକରି କ୍ରିସ୍‍ମାସ୍‍ ଟ୍ରି ଓ ଆଲୋକସଜ୍ଜା ହିଁ ଏ କ୍ଷେତ୍ରରେ ଅଧିକ ଗୁରୁତ୍ୱ ରଖୁଛି। ପରିବାର ସଦସ୍ୟ ତଥା ବନ୍ଧୁ ପରିଜନ ଏକତ୍ର ହୋଇ ଉତ୍ସବ ପାଳନରେ ମସଗୁଲ ଅଛନ୍ତି। ରବିବାର ସମସ୍ତ ଗ୍ରାମ୍ୟ ଚର୍ଚ୍ଚରେ ହୋଇଛି ପ୍ରାର୍ଥନା, ସନ୍ଧ୍ୟାରୁ କ୍ୟାରୋଲର ମୂର୍ଚ୍ଛନାରେ ବାତାବରଣରେ ଆସିଥିଲା ଭିନ୍ନ ରଙ୍ଗ। ପ୍ରତ୍ୟେକ ଖିରସ୍ତାନ ପରିବାରରେ ନଭେମ୍ବର ୨୬ରୁ ଆରମ୍ଭ ହୋଇଥିବା ବଡ଼ଦିନ ମହୋତ୍ସବ ଶେଷ ବେଳକୁ ଏହିଭଳି ଉତ୍ସବମୁଖର ହୋଇ ଉଠିଥାଏ। ସୋମବାର ପାଳିତ ହେବ ଇଭ୍‍ କ୍ରିସ୍‍ମାସ ଏବଂ ରାତି ୧୧ଟା ୫୯ର ଠିକ୍‍ ପରମୁହୂର୍ତ୍ତକୁ ଯିଶୁଙ୍କ ଧରାବତରଣରେ ଗ୍ରାମରୁ ଗିର୍ଜା ପର୍ଯ୍ୟନ୍ତ ମୁଖରିତ ହୋଇଉଠିବ। ତେଣିକି ପରଦିନ ମଙ୍ଗଳବାର ସକାଳୁ ବଡ଼ଦିନ ପର୍ବ ପାଳନ ଅବସରରେ ରହିବ ବିଭିନ୍ନ କାର୍ଯ୍ୟକ୍ରମ। ସୋମବାର ମଧ୍ୟରାତ୍ରିରେ ହେବ ଯିଶୁଙ୍କ ଧରାବତରଣ; ଏଥର ବଡଦିନ ଆସୁଛି ମଙ୍ଗଳବାରରେ। ତେବେ ବଡଦିନର ପୂର୍ବ ଦିନଟିକୁ ‘ଇଭ୍‍ ଡେ’ ବା ଇଭ୍‍ କ୍ରିସ୍‍ମାସ ଭାବେ ପାଳନ କରାଯାଇଥାଏ; ସୋମବାରର ସେ କାର୍ଯ୍ୟକ୍ରମ ପାଇଁ ରବିବାର ଏଠି ପ୍ରସ୍ତୁତି ଘରଠୁଁ ଗିର୍ଜା ପର୍ଯ୍ୟନ୍ତ କାହିଁରେ କ’ଣ!
ରବିବାରରୁ ଗିର୍ଜାଘର ଓ ଅଟ୍ଟାଳିକା ଆଦିକୁ ରଂଗିନ ଆଲୋକମାଳାରେ ସଜାଇ ଦିଆଯାଇଛି। ସୋମବାର ରାତି ୧୧ରୁ ପ୍ରତ୍ୟେକ ଗିର୍ଜାରେ ଅରମ୍ଭ ହୋଇଯିବ ‘ନାଇଟ୍‍ ୱାଚ୍‍’ କାର୍ଯ୍ୟକ୍ରମ, ଯାହା ୧୧ଟା୫୯ ପର୍ଯ୍ୟନ୍ତ ଚାଲିବ ଏବଂ ୧୨ଟା(ମଧ୍ୟରାତ୍ର)ରେ ଯିଶୁଙ୍କ ଧରାବତରଣ ମୁହୂର୍ତ୍ତରେ ପରସ୍ପରକୁ ପବିତ୍ର ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇ ଉତ୍ସବ ପାଳନ କରିବେ। ଏହି ରୀତିରେ ସହରର ପ୍ରାୟ ସମସ୍ତ ଚର୍ଚ୍ଚରେ ସାରାରାତି ପ୍ରାର୍ଥନା ଓ କୀର୍ତ୍ତନ ହେବା ସହ ପରସ୍ପରକୁ କ୍ରିସ୍‍ମାସ୍‍ ଅଭିନନ୍ଦନ ଜଣାଇବେ ଏବଂ ଉତ୍ସବମୁଖର ହୋଇଉଠିବ ଇଭ୍‍ ଡେ’ର ରାତି। କେବଳ ଖ୍ରୀଷ୍ଟିୟାନ୍‍ ପରିବାର କାହିଁକି, ସହରର ଅନ୍ୟ ସଂପ୍ରଦାୟରେ ମଧ୍ୟ ବହୁଘରେ ଷ୍ଟାର୍‍ ଝୁଲିବା ସହ କେକ୍‍ କଟାଯାଏ; ନାଚଗୀତରେ ମସଗୁଲ ହୋଇଉଠନ୍ତି ଯୁବପିଢି। ବିଶେଷ ଭାବେ ସମଗ୍ର ମାସଟିକୁ ବଡଦିନର ଉତ୍ସବ ଭାବେ ପାଳନ କରୁଥିବା ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ କ୍ରିସ୍‍ମାସ୍‍ ଟ୍ରିର ଉପରିଭାଗରେ ଷ୍ଟାର୍‍ ଝୁଲାଯାଇ ଖୁସି ପାଳନ ହୁଏ। ସାନ୍ତାକ୍ଲସ୍‍ ବୁଲି ବୁଲି ଆଶୀର୍ବାଦ କରିବା ସହ ପିଲାମାନଙ୍କୁ ଉପହାର ବାଣ୍ଟନ୍ତି। ବିଭିନ୍ନ ସ୍ୱାଦର କେକ୍‍ ପରସ୍ପରକୁ ଖୁଆଇ ଅଭିନନ୍ଦନ ଜଣାଇଥାଆନ୍ତି।
କେକ୍‍ ଓ ଉପହାର
ବଡ଼ଦିନ ପାଳନରେ ଖାସ୍‍ ଭୂମିକା ରଖିଥାଏ କେକ୍‍ ଓ ଉପହାର। ତେବେ ଅଧିକାଂଶ ଖିରସ୍ତାନ ପରିବାରରେ ବଜାରରୁ କେକ୍‍ କିଣିବା ଅପେକ୍ଷା ଘରେ ଏହାକୁ ପ୍ରସ୍ତୁତ କରିବାରେ ବିଶେଷ ରୁଚି ରଖିଥାଆନ୍ତି ଏବଂ ଏଥିରେ ଉନ୍ନତମାନର ଲହୁଣି ଓ ଘିଅ ବ୍ୟବହାର କରାଯାଏ ବୋଲି କହନ୍ତି ଚଣ୍ଡୀଛକ ଅଞ୍ଚଳର ଖିରସ୍ତାନ ଗ୍ରାମର ବାସିନ୍ଦା ତଥା ଘରୋଇ କମ୍ପାନୀରେ କାର୍ଯ୍ୟରତ ସତ୍ୟଜିତ ସାହୁ। ତେବେ ଖାସ୍‍ ଡିସେମ୍ବର ୨୫ ପାଇଁ ବଜାରରେ ଯେଉଁ ଶୁଭେଚ୍ଛାପତ୍ର ଉପଲବ୍‍ଧ ହୋଇଆସୁଥିଲା, ତାହା ଏହି କିଛିବର୍ଷ ହେଲା ବିଲ୍‍କୁଲ୍‍ ଉଭେଇ ଯାଇଛି। ଯେଉଁ ସିଜିନ୍‍ ବେପାରୀମାନେ ରାସ୍ତାଧାରରେ ଦୋକାନ ଖୋଲି ବସିଛନ୍ତି, ସେମାନଙ୍କ କହିବାନୁଯାୟୀ ଯଦି ବା ଗ୍ରୀଟିଙ୍ଗ୍‍ସ କାର୍ଡ ବିକ୍ରି ହେବ, ତାହା ୨୬ ତାରିଖ ପରେ ହୁଏତ ଲୋକେ କିଣିପାରନ୍ତି; ତେବେ ସେ ଚାହିଦା ଆଉ ନାହିଁ। ବରଂ ବିଭିନ୍ନ ସ୍ୱାଦର କେକ୍‍ ଓ ଉପହର ସାମଗ୍ରୀର ରହିଛି ଅଲଗା ଚାହିଦା। ବିଶେଷକରି କଟକ ଓ ଭୁବନେଶ୍ୱରରେ ପ୍ରସ୍ତୁତ କେକ୍‍ ଅଧିକ ବିକ୍ରି ହେଉଛି ଏବଂ ୪୦ ଟଙ୍କାରୁ ଆରମ୍ଭ କରି ୨୫୦ ଟଙ୍କା ପର୍ଯ୍ୟନ୍ତ ଏ ସବୁର ଦର ରହିଛି।

Leave A Reply