ଧରା ପୃଷ୍ଠରେ ଯୀଶୁଙ୍କ ଅବତରଣ

0

ଭୁବନେଶ୍ବର : ପ୍ରଭୁ ଯୀଶୁ ମାନବ ସମାଜ ପାଇଁ ପ୍ରେମ, ଶାନ୍ତି, ଦୟା, କ୍ଷମା ଓ ନ୍ୟାୟର ପ୍ରତୀକ। ଆଜି ମଧ୍ୟରାତ୍ରିରେ ଶାନ୍ତି ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଠକୁ ଅବତରିଛନ୍ତି ପ୍ରଭୁ ଯିଶୁଖ୍ରୀଷ୍ଟ। ତାଙ୍କ ଆଗମନ ଖୁସିରେ ଆଜି ପାଳିତ ହେବ ବଡ଼ଦିନ ଉତ୍ସବ।
ଏହି ଅବସରରେ ରାଜଧାନୀର ଚର୍ଚ୍ଚଗୁଡ଼ିକ ହୋଇଉଠିଛି ଚଳଚଞ୍ଚଳ। ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସାରା ଅଞ୍ଚଳ। ବଡ଼ଦିନକୁ ଧୁମ୍‌ଧାମ୍‌ରେ ପାଳନ ପାଇଁ ଚର୍ଚ୍ଚଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସାରା ରାତି ଶ୍ରଦ୍ଧାଳୁଙ୍କ ଉପବାସ, ପ୍ରାର୍ଥନା ଓ ଦିବ୍ୟଯଜ୍ଞରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନେ ଏହି ମାସକୁ ଧର୍ମର ମାସ ​‌େବାଲି ମାନିଥାନ୍ତି। ଏଥିପାଇଁ ବର୍ଷତମାମ୍ ଏହି ଦିନକୁ ଅପେକ୍ଷା କରିଥାନ୍ତି ସେମାନେ। ଏହି ଦିନକୁ ଶୁଭେଚ୍ଛାର ପର୍ବ ଅଭିହିତ କରି ସମସ୍ତେ ବଡ଼ଦିନର ଶୁଭେଚ୍ଛା ଜଣାଇଥାନ୍ତି।
ସତ୍ୟନଗର ଭିନ୍‌ସେଣ୍ଟ କ୍ୟାଥ୍‌ଲିକ୍ ଚର୍ଚ୍ଚରେ ବଡ଼ଦିନ ଉତ୍ସବ ପାଳନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଚର୍ଚ୍ଚ ପରିସରରେ ୨୫ଫୁଟ୍‌ ଉଚ୍ଚର ଖ୍ରୀଷ୍ଟମାସ ଟ୍ରି ତିଆରି କରାଯାଇଛି। ସେହିପରି ଯିଶୁଖ୍ରୀଷ୍ଟ ଗାଈଗୁହାଳରେ ଜନ୍ମ ହୋଇଥିବାରୁ ତା’ର ଏକ ପ୍ରତୀକ ତୋରଣ ମଧ୍ୟ ତିଆରି ହୋଇଛି। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଛି ଏବଂ କୃତୀ ପ୍ରତିଯୋଗୀଙ୍କୁ ସାନ୍ତାକ୍ଲଜ୍‌ ଉପହାର ପ୍ରଦାନ କରାଯାଇଛି। ସେହିପରି ୟୁନିଟ ୪ ‘ଚର୍ଚ୍ଚ ଅଫ୍ ଖ୍ରୀଷ୍ଟ’ ତଥା ୟୁନିୟନ୍ ଚର୍ଚ୍ଚରେ ବଡ଼ଦିନ ପାଳନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଗିର୍ଜା ପରିସରରେ ଖ୍ରୀଷ୍ଟମାସ ଲ୍ୟାମ୍ପ, ଜିଙ୍ଗଲ୍ ବେଲ, ବିଭିନ୍ନ ଉପହାର ଖଚିତ ଖ୍ରୀଷ୍ଟମାସ ଟ୍ରି, ସାଣ୍ଟାକ୍ଲଚର ସୁନ୍ଦର ପ୍ରତିମୂର୍ତ୍ତି ଆଦିରେ ସାଜସଜ୍ଜା କରାଯାଇଛି। ଏଠାରେ ଆଜି ମଧ୍ୟରାତ୍ରିରେ ଆସୋସିଏଟ ପାଷ୍ଟର ବି.ଏନ୍‌.ଶତପଥୀଙ୍କ ଦ୍ବାରା ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଏଠାରେ ଯିଶୁଙ୍କ ବାଣୀ ପ୍ରଦାନ ସାଙ୍ଗକୁ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ନୃତ୍ୟ ସଙ୍ଗୀତ ଓ ଆଦିବାସୀ ଲୋକନୃତ୍ୟ ପରିବେଷିତ ହୋଇଛି। ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ଇଂରଜୀରେ ଏବଂ ଅପରାହ୍ଣ ୩ଟାରେ ଓଡ଼ିଆରେ ସ୍ବତନ୍ତ୍ର ପ୍ରାର୍ଥନା ହେବ। ଏଠାରେ ହାଇଦରାବାଦ୍‌ର ନବନିତ୍‌ ଛାବ୍ରା ପ୍ରବଚନ ଦେବେ।
ସତ୍ୟନଗର ଓ ୟୁନିଟ୍ ୪ ସମେତ ରାଜଧାନୀର ଅନ୍ୟାନ୍ୟ ଚର୍ଚ୍ଚଗୁଡ଼ିକରେ ପରିସର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁମାନେ ଚର୍ଚ୍ଚଗୁଡ଼ିକୁ ଯାଇ କ୍ୟାଣ୍ଡେଲ୍‌ ଜାଳି ସ୍ବତନ୍ତ୍ର ପ୍ରାର୍ଥନା କରିଥିଲେ।
ଚର୍ଚ୍ଚଗୁଡ଼ିକ ନିକଟରେ ଶ୍ରଦ୍ଧାଳୁଙ୍କ ଚାହିଦାକୁ ଦେଖି ବ୍ୟବସାୟୀମାନେ ଖ୍ରୀଷ୍ଟମାସ ଟ୍ରି, ସାନ୍ତାକ୍ଲଜ୍ ମୁଖା ଓ ଟୋପି, ପ୍ଲାଷ୍ଟିକ ଫୁଲ ତୋଡ଼ା, ରଙ୍ଗିନ ମହମବତି ସାଙ୍ଗକୁ ବିଭିନ୍ନ ଉପହାର ସବୁ ବିକ୍ରି ହେଉଛି।

Leave A Reply