ବଡ଼ଦିନ ପାଇଁ ଆସିଲା ମାସ୍କ ପିନ୍ଧା ସାନ୍ତା କ୍ଲଜ୍

ଏଇଥରର ବଡ଼ଦିନ ଓ ନୂଆ ବର୍ଷ ପାଳନ କରିବାରେ ଲୋକଙ୍କ ମନରେ ସରାଗ ନାହିଁ। କୋଭିଡ କଟକଣାରେ ବନ୍ଧୁବାନ୍ଧବ, ସାଙ୍ଗସାଥି କେହି ଏକତ୍ରିତ ହୋଇପାରିବେନାହିଁ। ଏକା ଏସବୁ ପର୍ବ ପାଳନରେ କି’ ବା ମଜା ଅଛି? ସାଙ୍ଗସାଥିଙ୍କ ଆସର ନ ଜମିଲେ ସୁଦ୍ଧା ଘର ସାଜସଜ୍ଜାରେ ଲୋକେ ମନ ଦେବେ। ଦୀପାବଳିକୁ ମଧ୍ୟ ଏଥରକ ଭାରତର କେତୋଟି ପ୍ରାନ୍ତରେ ଏଇ ସାଜସଜ୍ଜାରେ ପାଳନ କରାଯାଇଛି। ବଡ଼ଦିନ ପାଇଁ ଇଉରୋପୀୟ ଓ ଆମେରିକୀୟ ବଜାରରେ ନାହିଁ ନଥିବା ଭିଡ଼ ପ୍ରତି ବର୍ଷ ହୋଇଥାଏ। ସେଠା ସପିଂ ମଲ୍‌୍ଗୁଡ଼ିକ ଦିନକୁ ଲକ୍ଷାଧିକ ଟଙ୍କାର ବ୍ୟବସାୟ କରିଥାନ୍ତି। ଏଥରକ ଲୋକେ ଯାହା ଅନ୍-ଲାଇନ୍ କିଣିବାକୁ ପସନ୍ଦ କରୁଛନ୍ତି। ଇଉରୋପର ଦକ୍ଷିଣ-ପୂର୍ବସ୍ଥିତ ଦେଶ ଗ୍ରୀସ୍, ସେଠାରେ ମଧ୍ୟ ବଡ଼ଦିନକୁ ଜାକଜମକରେ ପାଳନ କରାଯାଇଥାଏ। ଚଳିତ ବର୍ଷ ଗ୍ରାହକଙ୍କ ଭିଡ଼ ନାହିଁ। ସ୍ଥାନୀୟ ଦୋକାନୀମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ତିଆରି କରିଛନ୍ତି ‘ମାସ୍କ ପିନ୍ଧା ସାନ୍ତା କ୍ଲଜ୍ ମହମବତୀ’। ଜଣେ ଗ୍ରାହକ ଏଇ ସୁନ୍ଦର ମହମବତୀ କିଣି ସୋସିଆଲ୍ ମିଡିଆରେ ଫଟୋ ଅପଲୋଡ କରିଛନ୍ତି। କ୍ରିସ୍‌ମାସ୍ ଟ୍ରି ସାଜସଜ୍ଜା ପାଇଁ କୁନିକୁନି ବଲ୍ ସହ ଛୋଟ ଆକାରର ମାସ୍କ ମଧ୍ୟ ବିକ୍ରି ହେଉଛି। ବଡ଼ଦିନକୁ ନିଆରା ଭାବେ ପାଳନ କରିବା ନିମନ୍ତେ ଦୋକାନୀଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରାଯାଇଛି।

Comments are closed.