ବଡ଼ଦିନରେ ନନ୍ଦନକାନନ ବୁଲିଲେ ୨୯ ହଜାର ପର୍ଯ୍ୟଟକ

ନନ୍ଦନକାନନ : ବଡ଼ଦିନରେ ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡ଼େନରେ ନାହିଁନଥିବା ଗହଳି ହୋଇଥିଲା। ଛୁଟିଦିନ ହୋଇଥିବାରୁ ୨୯,୭୦୧ ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ବୁଲିଛନ୍ତି। ତେବେ ଟିକଟ ବାବଦରେ ୧୧ ଲକ୍ଷ ୮୩ ହଜାର ୯୫୦ ଟଙ୍କା ଆଦାୟ ହୋଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୫,୨୧୩ ପର୍ଯ୍ୟଟକ କମ୍‌ ଆସିଥିବା ରେକର୍ଡରୁ ଜଣାପଡ଼ିଛି। ଗତବର୍ଷ ସେମାନଙ୍କ ନିକଟରୁ ୧୪ ଲକ୍ଷ ୫୪ ହଜାର ୬୪୦ ଟଙ୍କା ରାଜସ୍ବ ଆଦାୟ ହୋଇଥିଲା। ସେହିପରି ବଟାନିକାଲ ଗାର୍ଡେନକୁ ଚଳିତବର୍ଷ ୪୦୦୧ ପର୍ଯ୍ୟଟକ ବଣଭୋଜି କରିବାକୁ ଆସିଥିବାବେଳେ ସେମାନଙ୍କ ନିକଟରୁ ଟିକଟ ବାବଦରେ ୧ଲକ୍ଷ ୭୬ ହଜାର ୫୪୦ ଟଙ୍କା ରାଜସ୍ବ ଆଦାୟ ହୋଇଛି। ଗତବର୍ଷ ତୁଳନାରେ ଢେର ଅଧିକ ରାଜସ୍ବ ଆଦାୟ ହୋଇଥିବା ସୂଚନା ମିଳିଛି। ଗତବର୍ଷ ବଣଭୋଜି ପାଇଁ ୧୭୦୮ ପର୍ଯ୍ୟଟକ ଆସିଥିଲେ ଏବଂ ସେମାନଙ୍କଠାରୁ ୬୮ ହଜାର ୯୬୦ ଟଙ୍କା ଆଦାୟ ହୋଇଥିଲା। ବିଶେଷକରି ନନ୍ଦନକାନନରେ ବୋଟିଂ କରି କାଞ୍ଜିଆହ୍ରଦର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଲମ୍ବା ଲାଇନ ଲାଗିଥିଲା। ସେହିପରି ସଫାରୀ, ବ୍ୟାଟେରିଚାଳିତ ଗାଡ଼ି, ବାଘ, ସିଂହ, ଭାଲୁ, ଜିରାଫ ପାଦଚଲା ବିହଙ୍ଗ ସାରଣୀ, ରାତିଚର ଜୀବଙ୍କ ଘର, ସରୀସୃପ ଉଦ୍ୟାନରେ ଭିଡ଼ ଖଚାଖଚ ହୋଇଥିଲା। ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା କରିଥିଲେ। ବିଶେଷକରି ସୁରକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଗୁରୁତ୍ବ ଦିଆଯାଇଥିଲା। ଆଜି ଟିକଟ କାଉଣ୍ଟରରୁ କଟକ ଅଞ୍ଚଳର ଜଣେ ପର୍ଯ୍ୟଟକ ଟିକଟ କିଣୁଥିବା ବେଳେ ତାଙ୍କ ପକେଟରୁ ମୋବାଇଲ ଫୋନ୍‌ ଲୁଟ୍‌ ହୋଇଥିଲା।
ସେହିଭଳି ଅନ୍ଧାରିଘର, ସରୀସୃପ ଉଦ୍ୟାନରୁ ୬ଜଣ ପର୍ଯ୍ୟଟକଙ୍କ ପକେଟମାର ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ନିକଟରୁ ଟଙ୍କା ଏବଂ ମୋବାଇଲ ଲୁଟ୍‌ ହୋଇଛି।

Comments are closed.