ନାଇଜେରିଆରେ ସାମ୍ପ୍ରଦାୟିକ ହିଂସା: ୫୫ ମୃତ, ଶତାଧିକ ଆହତ

0

ଆବୁଜା : ଉତ୍ତର ନାଇଜେରିଆ କାଡ଼ୁନା ପ୍ରେସିଡେନ୍ସିରେ ଖ୍ରୀଷ୍ଟିଆନ ଏବଂ ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ  ହିସାଂକାଣ୍ଡ ଘଟି ସପ୍ତାହକ ମଧ୍ୟରେ ୫୫ ଜଣଙ୍କ ମୃତ୍ୟୁ ଘଟିଛି ଓ ଶତାଧିକ ଆହତ ହୋଇଛନ୍ତି। ନାଇରେଜିଆ ରାଷ୍ଟ୍ରପତି ମେହମ୍ମୁଦ ବୁହାରୀ ଶନିବାର ଏହି ସୂଚନା ଦେବା ସହ ଘଟଣା ପାଇଁ ଦୁଃଖ ବ୍ୟକ୍ତ କରିଛନ୍ତି। ସୂଚନା ଅନୁସାରେ କାଡ଼ୁନା ପ୍ରେସିଡେନ୍ସି କୁସୱାରା ମଗାନି ବଜାରରେ ଠେଲାଗାଡ଼ିକୁ ନେଇ ଗତ ଗୁରୁବାର ଜଣେ ହାଉସା ନିବାସୀ ମୁସଲମାନ ଏବଂ ଆଦାରା ନିବାସୀ ଖ୍ରୀଷ୍ଟିଆନ ଯୁବକଙ୍କ ମଧ୍ୟରେ ଝଗଡ଼ା ଘଟିଥିଲା । ଝଗଡ଼ାରୁ ଉଭୟ ପରସ୍ପରକୁ ଆକ୍ରମଣ କରିଥିଲେ ଓ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପରେ ଏହା ସାମ୍ପ୍ରଦାୟିକ ହିସାଂର ରୂପ ନେଇଥିଲା। ପୁଲିସ୍‍ ଘଟଣା ଦିନ ଅସ୍ଥାୟୀ ରୂପରେ ହିଂସାକାଣ୍ଡକୁ ରୋକିବାରେ ସଫଳ ହୋଇଥିଲା। ଦୁଇରୁ ତିନି ଦିନ ପରେ ଆଦାରା ନିବାସୀ ଖ୍ରୀଷ୍ଟିଆନମାନେ ହାଉସା ନିବାସୀ ମୁସଲମାନଙ୍କ ଘରେ ନିଅାଁ ଲଗାଇଦେଇଥିଲେ। ଉଭୟ ପକ୍ଷ  ମଧ୍ୟରେ ସଂଘର୍ଷରେ ସପ୍ତାହକ ମଧ୍ୟରେ ୫୫ ଜଣଙ୍କ ମୃତ୍ୟୁ ଘଟିଛି। ଶାନ୍ତିର ସହ ଆପୋଷ ବୁଝାମଣାରେ ସମାଧାନ ହୋଇପାରିବା ଭଳି ଘଟଣାକୁ ନେଇ ହିଂସାକାଣ୍ଡ ଭିଆଯିବା ଓ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିବାକୁ ନେଇ ରାଷ୍ଟ୍ରପତି ବୁହାରୀ ଦୁଃଖ ବ୍ୟକ୍ତ କରିଛନ୍ତି। ଭୁଲ ବୁଝାମଣା ଯୋଗୁଁ ନାଇଜେରିଆରେ ବାରମ୍ବାର ହିଂସାକାଣ୍ଡ ଘଟୁଥିବାରୁ ସେ ଚିନ୍ତା ବ୍ୟକ୍ତ କରିଛନ୍ତି। ପୂର୍ବରୁ ଚଳିତ ବର୍ଷ ଫେବୃଆରୀ ମାସରେ ନାଇଜେରିଆରେ ଅନୁରୂପ ଏକ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ଶତାଧିକ ଆହତ ହୋଇଥିଲେ।

Leave A Reply