ଚାଓମିନ ଫ୍ୟାକ୍ଟ୍ରିରେ ଶ୍ଵାସରୁଦ୍ଧ ହୋଇ ୩ ମୃତ ଘଟଣା ; ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ୪୦ ହଜାର ଟଙ୍କା ସହାୟତା

ଜିଲ୍ଲାସ୍ତରୀୟ ଅଧିକାରୀ କଲେ ଅନୁଧ୍ୟାନ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅଧିନ ମୋହନା ପଞ୍ଚାୟତର ନାରାୟଣ ନଗର(ଢ଼େପସାହି)ରେ ଥିବା ଚାଓମିନ ଫ୍ୟାକ୍ଟ୍ରିରେ ୩ ଜଣ ମୃତ ଘଟଣା​ରେ ସ୍ଥାନୀୟ ବ୍ଳକର ୨ ଜଣ ମୃତକଙ୍କ ପରିବାରକୁ ଉପଜିଲ୍ଲାପାଳ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୪୦ ହଜାର ଟଙ୍କା ସହାୟତା ରାଶି  ପ୍ରଦାନ କରିଛନ୍ତି
ଚାଓମିନ ଫ୍ୟାକ୍ଟ୍ରିରେ କାମ ସାରି ରାତିରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ବୁଧବାର ରାତିରେ ଫ୍ୟାକ୍ଟ୍ରିରେ ଚାଓମିନ ପ୍ରସ୍ତୁତି କାମ ସାରି ଚାଓମିନକୁ ଶୁଖାଇବା ପାଇଁ ଡ୍ରାୟର  (ହିଟ‌ ମେସିନ) ଲଗାଇ ଓ ଅଜାଣତରେ ଜାଳେଣି ଗ୍ୟାସ ଖୋଲି ଶୋଇପଡିଥିଲେ। ଯାହାଫଳରେ ହିଟ ମେସିନର ଉତ୍ତାପ ଓ ଜାଳେଣି ଗ୍ୟାସର ବିଷାକ୍ତ ବାଷ୍ପ ଯୋଗୁଁ ସମସ୍ତେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତକ ମାନେ ହେଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ନିମଖଣ୍ଡି ଗ୍ରାମର ଅରୁଣ ସାହୁ, ମୋହନା ଥାନା ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତ ଅଧିନ କାମ୍ପଗୁଡ଼ା ଗାଁର ସୁନିଲ ଦଳେଇ ଓ ପ୍ରଭାକର ଦଳେଇ।ସକାଳେ ସାହିର କେହି ଜଣେ ଏମାନେ ରହୁଥିବା ଘରର କବାଟ ବାଡେଇ ବାରମ୍ଵାର ଡାକିଥିଲେ। କିନ୍ତୁ କେହି ଉତ୍ତର ନଦେବା ଓ କବାଟ ନ ଖୋଲିବାରୁ ଅଗ୍ନିଶମ ବାହିନୀକୁ ଫୋନ କରି ଜଣାଇଥିଲେ। ଖବର ପାଇ ଅଗ୍ନିଶମ ଅଧିକାରୀ କବିରାଜ ସେଠୀ, ଥାନା ଅଧିକାରୀ ସୁଜିତ କୁମାର ନାୟକ, ତହସିଲଦାର କିଶୋର ଚନ୍ଦ୍ର ଦାସ ଓ କର୍ମଚାରୀ ଘଟଣାା ସ୍ଥଳରେ ପହଞ୍ଚି ସମସ୍ତଙ୍କ ଉପସ୍ଥିତିରେ କବାଟ ଭଙ୍ଗାଯିବା ସହ ୩ ମୃତକଙ୍କୁ ଘରୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାର ଲୋକେ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଯାଇଛି।
ପାରଳାଖେମୁଣ୍ଡି ସାଇଣ୍ଟିଫିକ ଟିମ ଅଧିକାରୀ ସୌମ୍ୟ ମହାପାତ୍ର ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିବା ସହ ଘରର ଝରକା ଓ ଭେଣ୍ଟିଲେସନ ନଥିବାରୁ ବାୟୁ ଚଳାଚଳ ନ ହେବା ଫଳରେ ଅମ୍ଳଜାନର ଅଭାବ ଯୋଗୁ ସମସ୍ତେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ଜଣାପଡିବ ବୋଲି କହିଥିଲେ। ଘଟଣାର ଅନୁଧ୍ୟାନ କରିବା ଲାଗି ଘଟଣାସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଏସଡିପିଓ ଦିଲ୍ଲୀପ କୁମାର ନାୟକ, ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ଲୋକନାଥ ପଣ୍ଡା ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି।

Comments are closed.