କଟକଣା ଭିତରେ ଚୌଦ୍ୱାରରେ ବାସନ୍ତୀ ଦୂର୍ଗା ପୂଜା

ଚୌଦ୍ୱାର: କରୋନା କଟକଣା ଭିତରେ ଚୌଦ୍ୱାର ସହରାଞ୍ଚଳ ଏବଂ ଏହାର ଆଖପାଖ ଗ୍ରାମାଞ୍ଚଳରେ ବାସନ୍ତିକ ଦୂର୍ଗା ପୂଜା ଓ ଭସାଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପୌରପାଳିକା ୧୭ନଂ ୱାର୍ଡ କଳିଙ୍ଗନଗର ଠାରେ ଅନୁଷ୍ଠିତ ବାସନ୍ତୀ ଦୁର୍ଗାଙ୍କ ଭସାଣ ଉତ୍ସବ କରୋନା କଟକଣା ଭିତରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ରବିବାର ଠାରୁ ଆରମ୍ଭ ହୋଇଥିବା ମା’ଙ୍କ ପୁଜା ଉତ୍ସବରେ ବିଲ୍ୱ ବରଣ ଓ ଷଷ୍ଠୀ ପୂଜା, ସପ୍ତମୀ ପୂଜା, ବଡ଼ପୂଜା, ନବମୀ ପୂଜା ଓ ଦଶହରା ପୂଜା ସମ୍ପନ୍ନ କରାଯାଇଥିଲା। ମଣ୍ଡପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ନଗଣ୍ୟ ଥିବାବେଳେ ପୂଜକ ଓ ପରିଚାଳନା କମିଟି ସଦସ୍ୟ ମାନଙ୍କଦ୍ୱାରା ରୀତି ନୀତିରେ ପୂଜାର୍ଚ୍ଚନା କରାଯାଇଥିଲା।

ଶୁକ୍ରବାର ଦିନ କମିଟି ସଦସ୍ୟମାନେ ଓ କିଛି ସଂଖ୍ୟକ ସ୍ଥାନୀୟ ଲୋକ ଘଣ୍ଟ, ଘଣ୍ଟା, ହରିବୋଲି ଓ ହୁଳହୁଳି ଧ୍ୱନୀ ଭିତରେ ମା’ଙ୍କ ମୃଣ୍ମୟ ପ୍ରତିମାକୁ ନେଇ ନିକଟସ୍ଥ ଚୂଡ଼ଙ୍ଗ ପୋଖରୀରେ ବିସର୍ଜନ କରିଥିଲେ। ଚୌଦ୍ୱାର ଓଟିଏମ୍‍ କଲୋନୀସ୍ଥିତ ବ୍ୟାଘ୍ରବାହିନୀ ମନ୍ଦିରରେ ଦେବୀଙ୍କର ଷୋଢ଼ଶ ଉପଚାର ପୂଜା ସହିତ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଅନୁରୂପ ଭାବେ ଚୌଦ୍ୱାର ଲକ୍ଷ୍ମୀ ସାହି, ବଉଳେଇ ସାହି, ବଢ଼େଇ ସାହି ଆଦି ପୂଜା ମଣ୍ଡପରେ ଦେବୀ ଓ ପାର୍ଶ୍ବ ଦେବାଦେବୀଙ୍କର ମୃଣ୍ମୟ ପ୍ରତିମା ନିର୍ମାଣ କରାଯାଇ ରୀତି ନୀତିରେ ପୂଜାର୍ଚ୍ଚନା କରାଯିବା ସହିତ ଦଶହରା ରାତିରେ ବଳି ପ୍ରଦାନ ପରେ ମଣ୍ଡପରେ ଦେବୀଙ୍କୁ ବିସର୍ଜନ କରାଯାଇଛି। ବଡ଼ସାମନ୍ତରାପୁର ପଞ୍ଚାୟତର ବଡ଼ସାମନ୍ତରାପୁର ଗ୍ରାମରେ ବାସନ୍ତୀ ଦୂର୍ଗାଙ୍କ ସୁଦୃଶ୍ୟ ମୃଣ୍ମୟ ପ୍ରତିମା ନାନା ଉପଚାରରେ ପୂଜା କରାଯିବା ସହିତ ଶୁକ୍ରବାର ଦିନ ନିରାଡ଼ମ୍ବର ଭାବେ ଗ୍ରାମ୍ୟ ପୁଷ୍କରିଣୀରେ ବିସର୍ଜନ କରାଯାଇଛି।

Comments are closed.