ରାସ୍ତା ମରାମତି କଲେ ସାହି ଯୁବକ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ ନୂଆସାହିର ମହାଦେବ କ୍ଲବ୍‍ ସମ୍ମୁଖ ରାସ୍ତା ଅଜକୁ ଦୀର୍ଘଦିନ ହେଲା ଭାଙ୍ଗିରୁଜି ଅଗମ୍ୟ ହୋଇ ପଡ଼ିଥିଲା।ଆଜକୁ ୬ମାସରୁ ଉର୍ଦ୍ଧ ହେବ ପାନୀୟ ଜଳଯୋଗାଣ ପାଇଁ କଣ୍ଟ୍ରାକ୍ଟର ରାସ୍ତାର ଉଭୟ ପାଖ ପାଖ ଖୋଳି ମାଟିକୁ ରାସ୍ତା ଉପରେ ପକାଇ ଦେଇ ଯାଇଥିଲେ। ଫଳରେ ନାଳପାଣି ଓ ବର୍ଷା ପାଣି ରାସ୍ତା ଉପରେ ଜମିରହି କୃତ୍ରିମ ହ୍ରଦ ସୃଷ୍ଠି କରିଥିଲା। ସ୍ଥାନୀୟ ବାସିନ୍ଦା ଏସମ୍ପର୍କରେ ପୌର ପ୍ରଶାସନ ଓ ଜନସ୍ୱାସ୍ଥ୍ୟ ବିଭାଗଙ୍କୁ ଜଣାଇବା ସହିତ ରାସ୍ତା ମରାମତି ପାଇଁ ବାରମ୍ବାର ଦାବି କରିଥିଲେହେଁ ତାହା ଏଯାବତ୍‍ ସଫଳ ହେଲାନାହିଁ। ଫଳରେ ସାହି ସଭାପତି ଆଶୁତୋଷ ଦାସଙ୍କ ନେତୃତ୍ୱରେ ସାହି ଓ କ୍ଲବ୍‍ର ଯୁବକ ମାନେ ଶୁକ୍ରବାର ସକାଳେ ଏକଜୁଟ ହୋଇ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। କୋଡ଼ି, କୋଦାଳ, ବେଲଚା, ଝାଡ଼ୁ ଆଦି ନେଇ ସାହି ଯୁବକମାନେ ରାସ୍ତାର ଖାଲଖମା ପୋତିବା ସହିତ ମାଟି ପକାଇ ରାସ୍ତାକୁ ସମତୁଲ କରି ଦେଇଥିଲେ। ଏଭଳି କାର୍ଯ୍ୟକୁ ଦେଖି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

Comments are closed.