୨୭ ଘରିଆ ହାତୀପଲ ଉଜାଡ଼ିଲେ ଧାନ ଫସଲ

ଚୌଦ୍ୱାର: ଏକ ୨୭ଘରିଆ ହାତୀପଲ ଚୌଦ୍ୱାର ଅଂଚଳକୁ ଆସି ବାଣୀପଦା ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଜଣା ପଡ଼ିଛି। ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଚାଷିମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଠି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବୁଧବାର ରାତିରେ ଆଠଗଡ ଶଶାଙ୍ଗ ଗ୍ରାମରେ ୨୭ଟି ହାତୀ ଚନ୍ଦକାରୁ ଅଞ୍ଚଳରୁ ଆସି ଛତିଶା ଦେଇ ବାଣୀପଦା ଗ୍ରାମରେ ପଶି ବହୁ ମାତ୍ରାରେ ଧାନ ଫସଲ ଦଳି ମକଚି ନଷ୍ଟ କରିଦେଇଛନ୍ତିି। ପରେ ବିଳମ୍ବିତ ରାତିରେ ଏହି ହାତୀପଲ କୟଳପଡା ପଂଚାୟତର ଡିହସାହି ଗ୍ରାମର ଗହୀର ଭିତରେ ଧାନ ବିଲରେ ପଶି ପ୍ରାୟ ୩୦ ଏକର ଜମିର ଫସଲ ଦଳି ଚକଟି ନଷ୍ଟ କରିଥିବା ବିଦୁର ପ୍ରଧାନ, ଇଶ୍ୱର ରାଉତ, ମଙ୍ଗୁ ସାହା, ଭୀମ ରାଉତ, ନିଗମାନନ୍ଦ ବେଉରା, ବିଜୟ ପରିଡା, ଲୋକନାଥ ସାମଲ, ଟୁକୁରା ପ୍ରଧାନ ପ୍ରମୁଖ ଚାଷି ଅଭିଯୋଗ କରିଛନ୍ତି।

ବନ ବିଭାଗ ଓ ଅଂଚଳବାସୀ ରାତି ଅନିଦ୍ରା ହୋଇ ହାତୀପଲକୁ ଘଉଡାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଉଛନ୍ତି। ଏହି ହାତୀପଲ ବିଗତ ୩ବର୍ଷ ହେଲା ଏହି ଅଞ୍ଚଳକୁ ପଶିଆସି ଫସଲ ନଷ୍ଟ କରୁଥିବା ଓ ଲୋକଙ୍କୁ ଆକ୍ରମଣ କରୁଥିବା ଘଟଣା ମାନ ଘଟୁଛି। ଫସଲ ଓ ଜନ ସାଧରଣଙ୍କ ସୁରକ୍ଷା ପାଇଁ ବନ ବିଭାଗ ତରଫରୁ କୌଣସି ଦୃଷ୍ଟାନ୍ତମୁଳକ ପଦକ୍ଷେପ ନିଆ ଯାଉ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଦିନକୁଦିନ ଜଙ୍ଗଲ ନଷ୍ଟ ହେବା ଫଳରେ ଚନ୍ଦକା ଜଙ୍ଗଲରୁ ହାତୀପଲ ଡାଳିଯୋଡା ବନାଞ୍ଚଳ ଭିତରକୁ ପଶି ଆସୁଛନ୍ତି।ଏହି ହାତୀ ମାନଙ୍କ ଗତିବିଧି ଲକ୍ଷ କରିବା ଓ ଘଉଡାଇବା ପାଇଁ ବିଶେଷ ପଦକ୍ଷେପ ନିଆ ଯାଉ ନଥିବା ଏବଂ ଏଥିପାଇଁ ପର୍ଯ୍ୟାପ୍ତ କର୍ମଚାରୀ ନଥବା ଲୋକେ ଅଭିଯୋଗ କରିଛନ୍ତି।

Comments are closed.