ଚୌଦ୍ୱାର ମଣ୍ଡଳ କାରାଗାରରେ ରକ୍ଷାବନ୍ଧନ ଉତ୍ସବ

ଚୌଦ୍ୱାର: ଭାଇ ଭଉଣୀ ସମ୍ପର୍କକୁ ମଜଭୁତ କରିବା ଏବଂ ଜୀବନ ସାରା ଭଉଣୀକୁ ସୁରକ୍ଷା ପ୍ରଦାନ କରିବା ଲକ୍ଷରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବାର ପର୍ବ ହେଉଛି ରକ୍ଷା ବନ୍ଧନ। ଏହି ପରିପେକ୍ଷୀରେ ଚୌଦ୍ୱାର ମଣ୍ଡଳ କାରାଗାରରେ ମଧ୍ୟ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଏକ ଭାବ ବିହ୍ୱଳ ପରିବେଶରେ ଅନୁଷ୍ଠିତ ହୋଇଛି। କୌଣସି ନା କୌଣସି କାରଣରୁ ଜେଲର ଅନ୍ତେବାସୀ ଭାବେ ରହୁଥିବା ଭାଇ ହାତରେ ପବିତ୍ର ରାକ୍ଷୀଟିଏ ବାନ୍ଧିବାପାଇଁ ଭଉଣୀ ମାନେ ରୁଣ୍ଡ ହୋଇଥିଲେ ଜେଲ ଫାଟକ ସମ୍ମୁଖରେ ସାଥିରେ ଆଣିଥିବା ରାକ୍ଷୀ, ମିଠା,ଦୂବ, ହଳଦୀ,ସିନ୍ଦୁର, ଚନ୍ଦନଆଦି ସମାଗ୍ରୀକୁ ନିଜ ଭାଇଙ୍କ ଉଦ୍ଦେଶ୍ୟରେ ଜେଲ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ। ଜେଲର ନିୟମ ମୁତାବକ ଜେଲ ଭିତର ଲୁହା ଫାଟକ ପଛପଟେ ଭଉଣୀ ପ୍ରଦତ୍ତ ରାକ୍ଷୀ ପିନ୍ଧି, ମୁଣ୍ଡରେ ଚନ୍ଦନ ଓ ସିନ୍ଦୁର ଲଗାଇ ଭାଇଟି ଛିଡା ହୋଇଥିବା ବେଳେ ଫାଟକ ଏପାଖରେ ଲୁହ ଛଳଛଳ ଆଖିରେ ଭଉଣୀଟି ଚାହିଁ ରହିଥିଲା ଭାଇକୁ। ଭାଇ ଭଉଣୀଙ୍କ ଏହି ମିଳନ ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଠି କରିଥିଲା।ଏହି କାର୍ଯ୍ୟକ୍ରମରେ ଆଜିର ଦିନରେ ଶତାଧିକ ବିବାହିତା ମହିଳା ଓ ଯୁବତୀ ସକାଳୁ ସକାଳୁ ଜେଲରେ ପହଁଚି ଜେଲ ଭିତରେ ଥିବା ସେମାନଙ୍କ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ସେମାନଙ୍କ ଶୁଭ ମନାସିଥିବା ଦେଖିବାକୁ ମିଳିଛି।

Comments are closed.