ଚୋକ୍ଷି ଅନୁପ୍ରବେଶକାରୀ: ଡୋମିନିକା

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ତଥା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍ଷିଙ୍କୁ ଡୋମିନିକା ସରକାର ଅନୁପ୍ରବେଶକାରୀ ଘୋଷଣା କରିଛନ୍ତି। ଡୋମିନିକାର ଜାତୀୟ ସୁରକ୍ଷା ଓ ଗୃହ ବ୍ୟାପାର ମନ୍ତ୍ରଣାଳୟ ଏହାର ନିର୍ଦେଶନାମାରେ କହିଛି ଯେ ଚୋକ୍ଷି ବିନା ଅନୁମତିରେ ଡୋମିନିକାରେ ପ୍ରବେଶ କରିଥିବାରୁ ତାଙ୍କୁ ଅନୁପ୍ରବେଶକାରୀ ଘୋଷଣା କରାଯାଇଛି। ଡୋମିନିକାର ଦେଶାଟନ ଓ ପାସପୋର୍ଟ ଆଇନ ଅନୁଯାୟୀ ଏହି ଘୋଷଣା କରାଯାଇଛି।

ଡୋମିନିକା ସରକାରଙ୍କ ଘୋଷଣା ପରେ ଚୋକ୍ଷିଙ୍କ ପ୍ରତ୍ୟର୍ପଣ ନେଇ ଭାରତ ସରକାରଙ୍କ ଆଶା ଉଜ୍ଜୀବିତ ହୋଇଛି। ଚୋକ୍ଷିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଗୃହ ମନ୍ତ୍ରଣାଳୟ ପୁଲିସ ମୁଖ୍ୟଙ୍କୁ ନିର୍ଦେଶ ଦେଇଛି। ମେ ୨୩ରେ ଡୋମିନିକା ସରକାର ଚୋକ୍ଷିଙ୍କୁ ଗିରଫ କରିଥିଲେ। ଚୋକ୍ଷି ଏବେ ପୁଲିସ ହାଜତରେ ଥିବାବେଳେ ତାଙ୍କ ଜାମିନ ଆବେଦନର ଶୁଣାଣିକୁ ଅଦାଲତ ସ୍ଥଗିତ ରଖିଛନ୍ତି। ନିମ୍ନ ଅଦାଲତ ଚୋକ୍ଷିଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିବା ପରେ ସେ ଡୋମିନିକା ଉଚ୍ଚ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି। ଉଚ୍ଚ ଅଦାଲତରେ ଏହାର ଶୁଣାଣି ଆଜି ହେବ। ଅନ୍ୟପଟେ ଚୋକ୍ଷି ବେଆଇନ ଭାବେ ଡୋମିନିକାରେ ଅନୁପ୍ରବେଶ କରି ନାହାନ୍ତି; ବରଂ ତାଙ୍କୁ ଆଣ୍ଟିଗୁଆର ଜୋଲି ହର୍ବରରୁ ଅପହରଣ କରାଯାଇଛି ବୋଲି ତାଙ୍କ ଓକିଲ ଯୁକ୍ତି ବାଢିଛନ୍ତି। ଆଣ୍ଟିଗୁଆ ଓ ଭାରତ ପୁଲିସ ମିଳିତ ଭାବେ ତାଙ୍କୁ ଅପହରଣ କରି ଡଙ୍ଗା ଯୋଗେ ଡୋମିନିକା ଆଣିଛନ୍ତି। ଚୋକ୍ଷିଙ୍କ ପ୍ରତ୍ୟର୍ପଣ ନିମନ୍ତେ ଭାରତ ସରକାରଙ୍କ ଆବେଦନ ଉପରେ ମଧ୍ୟ ଡୋମିନିକା ଉଚ୍ଚ ଅଦାଲତ ଶୁଣାଣି କରିଛନ୍ତି। ଦୁଇ ଦିନର ଶୁଣାଣି ପରେ ଅଦାଲତ ଏହାକୁ ଜୁଲାଇ ୧ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

Comments are closed.