ସ୍ଲୋଭେନିଆର ଚକୋଲେଟ୍ ହୋଟେଲ୍‌

କେନ୍ଦ୍ର ଇଉରୋପର ରାଷ୍ଟ୍ର ସ୍ଲୋଭେନିଆରେ ପ୍ରତି ବର୍ଷ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ। ଚଳିତଥର ମହାମାରୀ କାରଣରୁ ପର୍ଯ୍ୟଟନ ପ୍ରଭାବିତ ହୋଇଥିବାବେଳେ ଅନ୍-ଲକ୍ ଘୋଷଣା ପରେ ଧୀରେଧୀରେ ଲୋକ ସାଧାରଣ ଜୀବନଶୈଳୀକୁ ଫେରୁଥିବାର ପ୍ରକାଶ। ସ୍ଲୋଭେନିଆକୁ ପର୍ଯ୍ୟଟକ ଆସିବା ପଛର ଅନ୍ୟତମ ମୁଖ୍ୟ କାରଣ ହେଲା ସେଠାର ମାରିବୁର ସହରରେ ଥିବା ଚକଲେଟ୍ ରିସୋର୍ଟ। ୨୦୧୯ ନଭେମ୍ବରରେ ଗ୍ରାହକଙ୍କ ପାଇଁ ପ୍ରଥମଥର ଖୋଲିଥିଲା ଏଇ ହୋଟେଲ, ୩ ମାସ ଭଲ ବ୍ୟବସାୟ କରିବା ପରେ କରୋନା ମହାମାରୀ କାରଣରୁ ବନ୍ଦ କରାଯାଇଥିଲା। ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପୁନର୍ବାର ଖୋଲାଯାଇଥିବାବେଳେ ଏଥରକ ଗ୍ରାହକଙ୍କ ସୁରକ୍ଷାକୁ ନେଇ କର୍ତ୍ତୃପକ୍ଷ ଅଧିକ ସଚେତନ ହୋଇଯାଇଛନ୍ତି। ଚକୋଲେଟ୍ ରିସୋର୍ଟ ଡ୍ରାଭା ନଦୀକୂଳରେ ନିର୍ମିତ। ଆଗନ୍ତୁକ ପ୍ରବେଶ କରିବା ମାତ୍ରେ ରିସେପସନ୍‌‌ରୁ ହିଁ ବିଭିନ୍ନ ପ୍ରକାର ସୁଆଦିଆ ଚକଲେଟ୍ ଓ ପାନୀୟରେ ସେମାନଙ୍କୁ ଅପ୍ୟାୟିତ କରାଯାଏ। ଟ୍ରି ହାଉସ୍‌ରେ ନିର୍ମିତ ହୋଟେଲ କକ୍ଷଗୁଡ଼ିକ ଚକଲେଟ୍ ଥିମ୍‌ରେ ନିର୍ମିତ। ଏପରିକି କକ୍ଷ ଭିତରର ବାସ୍ନା ମଧ୍ୟ ବିଭିନ୍ନ ପ୍ରକାର ଚକଲେଟର ବାସ୍ନାରେ ଆଚ୍ଛାଦିତ କରାଯାଇଥାଏ। ସ୍ନାନାଗାରରେ ଚକଲେଟ୍ ସାବୁନ୍ ଓ ଶ୍ୟାମ୍ପୁ ରଖାଯିବା ସହ ଭୋଜନରେ ମଧ୍ୟ ଚକଲେଟ୍ ପାନୀୟର ସ୍ଥାନ ଏଠାରେ ବେଶ୍ ସ୍ବତନ୍ତ୍ର। ଅାଗନ୍ତୁକଙ୍କ ନିମନ୍ତେ ବିଭିନ୍ନ ପ୍ରକାରର ଚକଲେଟ୍ ଆକ୍ଟିଭିଟିର ବନ୍ଦୋବସ୍ତ ମଧ୍ୟ ରିସୋର୍ଟରେ ଥିବାର ପ୍ରକାଶ। ପାଖରେ ଥିବା ଚକଲେଟ୍ କାରଖାନାକୁ ଯାଇ ସେଠାରେ ସେସବୁ ତିଆରି ଶିଖିପାରିବେ। ନଚେତ୍ ସ୍ପାରେ ଚକଲେଟ୍ ମାଲିସ୍‌ କରିପାରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଚକଲେଟ୍ ରିସୋର୍ଟର ଗୋଟିଏ ଟ୍ରି-ହାଉସ୍‌ର ଦେୟ ଦିନ ପିଛା ୧୬ହଜାର ୨୦୦ ଟଙ୍କା ଧାର୍ଯ୍ୟ ହୋଇଛି। ଅନ୍-ଲକ୍‌ ପରେ ସ୍ଥାନୀୟ ଲୋକେ ଏଇ ରିସୋର୍ଟରେ କିଛି ସମୟ ଅତିବାହିତ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ହୋଟେଲ କର୍ତ୍ତୃପକ୍ଷ ଥରକରେ ୨ଟି ପରିବାରକୁ ରହିବାର ନିୟମ କରିଛନ୍ତି। ଆଗାମୀ ୪ ମାସ ପର୍ଯ୍ୟନ୍ତ ହୋଟେଲର ସମସ୍ତ କକ୍ଷ ପ୍ରି-ବୁକିଂ ହୋଇ ରହିଛି।

Comments are closed.