ବୟସ୍କ ଲୋକଙ୍କ ପାଇଁ ସ୍ବତନ୍ତ୍ର ‘ଚକୋଲେଟ୍-ୱାଟର୍’

ବୟସ ବଢ଼ିଲେ ଶରୀରର ରୋଗପ୍ରତିରୋଧକ କ୍ରମଶଃ କମିବା ସହ ରୋଗ ମଧ୍ୟ ଶରୀରକୁ ଆକ୍ରମଣ କରେ। ପ୍ରତି ୧୫ଜଣରେ ୯ଜଣ ବୟସ୍କ ଲୋକ ସମୟ କ୍ରମେ ଖାଦ୍ୟ ପ୍ରତି ଅଧିକ ଆସକ୍ତ ହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି। ଆଲଜାଇମର୍ସ ଓ ଡିମେନ୍‌ସିୟା ରୋଗୀଙ୍କ ଠାରେ ଏହି ଖାଦ୍ୟ ଲୋଭ ଅଧିକ ବୋଲି ବିଶେଷଜ୍ଞଙ୍କ ମତ। ବ୍ରିଟେନ୍ ନିବାସୀ ୨୭ ବର୍ଷୀୟ ଲେୱିସ୍ ହର୍ଣ୍ଣବାଏ। କିଛି ମାସ ତଳେ ତାଙ୍କ ୮୦ ବର୍ଷୀୟା ଜେଜେ ମା’ ଅସୁସ୍ଥ ହୋଇପଡ଼ିବାରୁ ତୁରନ୍ତ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଗଲା। ତାଙ୍କ ଜେଜେ ମା’ ପ୍ୟାଟ୍ ଡିମେନ୍‌ସିୟାରେ ମଧ୍ୟ ଆକ୍ରାନ୍ତ ଥିଲେ। ଲେୱିସ୍‌ ବରାବର ଚିକିତ୍ସାଳୟ ଯାଇ ଜେଜେ ମା’ଙ୍କୁ ଭେଟିଆସୁଥିଲେ। କେତେବେଳେ ଜେଜେ ମା’ ତାଙ୍କୁ ଚିହ୍ନିପାରୁଥିଲେ ତ’ ଅନ୍ୟ ସମୟରେ ତାଙ୍କ ସହ ପଦୁଟିଏ କଥା ମଧ୍ୟ ହେଉନଥିଲେ। ଚିକିତ୍ସାଳୟର ସେବିକା ଲେୱିସ୍ ଓ ତାଙ୍କ ଘର ଲୋକଙ୍କୁ ଅବଗତ କରାଉଥିଲେ, ପ୍ୟାଟ୍ ପାଣି ଆଦୌ ପିଉନାହାନ୍ତି। ଲେୱିସ୍ ଯଥା ସାଧ୍ୟ ଚେଷ୍ଟା କରି ମଧ୍ୟ ଜେଜେ ମା’ଙ୍କୁ ପାଣି ପିଆଇ ପାରୁନଥିଲେ। ହେଲେ ଯେଉଁଦିନ ସେ ଚକୋଲେଟ୍ ନେଇ ଯାଉଥିଲେ, ଜେଜେ ମା’ ଆଗ୍ରହର ସହ କଥା ହେବା ସହିତ ମନ ଭରି ଚକୋଲେଟ୍ ଖାଉଥିଲେ। ଚିକିତ୍ସାଳୟରେ ଥିବା ଅନ୍ୟ ଡିମେନ୍‌ସିୟା ରୋଗୀମାନେ ମଧ୍ୟ ଚକୋଲେଟ୍ ଖାଇବାରେ ଆଗ୍ରହ ପ୍ରକାଶ କରୁଥିବାର ଦେଖାଯାଇଥିଲା। କିଛି ଦିନ ଅତିକ୍ରାନ୍ତେ ପାଣି ପର୍ଯ୍ୟାପ୍ତ ମାତ୍ରାରେ ନ ପିଇବାରୁ ଶରୀରରେ ଜଳାଭାବ କାରଣରୁ ପ୍ୟାଟ୍ ପ୍ରାଣ ହରାଇଲେ। ଏହି ଘଟଣାରେ ଲେୱିସ୍ ମାନସିକ ଭାବେ ଆଘାତ ପାଇଲେ। ଡିମେନ୍‌ସିୟା, ଆଲଜାଇମର୍ସ ରୋଗୀମାନେ ପାଣି ପିଇବାରେ ଅବହେଳା କରିଥାନ୍ତି। ଏଣୁ ସେମାନଙ୍କୁ କିଭଳି ଭାବେ ଏଇ ସମସ୍ୟାରୁ ବାହାର କରାଯିବ, ତାହାରି ଯୋଜନାରେ ଲେୱିସ୍ ଲାଗିପଡ଼ିଲେ। ବିଶେଷଜ୍ଞଙ୍କ ସହ ପରାମର୍ଶ ସହ ନିଜ ଗବେଷଣାରେ ସେ ଚକୋଲୋଟ୍-ୱାଟର୍ ତିଆରି କରିଛନ୍ତି। ଦୈନିକ ୪-୫ଟି ଏଥିରୁ ବୟସ୍କ ଲୋକ ଖାଇଲେ ସେମାନଙ୍କ ଶରୀରରୁ ଜଳାଭାବ ସମସ୍ୟା ଦୂର ହୋଇଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ପରୀକ୍ଷା ହୋଇସାରିଥିବାବେଳେ ଖୁବ୍ ଶୀଘ୍ର ବ୍ରିଟେନ୍‌ର ଚିକିତ୍ସାଳୟରେ ଏହା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

Comments are closed.