ରାଜ୍ୟରେ ଏବେ ବି ଚାଲିଛି ଚିଟ୍‌ଫଣ୍ଡ୍‌

ମାର୍ଗଦର୍ଶିକା ଜାରିକରି ହାତ ଝାଡ଼ିଦେଲା ଇଓଡବ୍ଲ୍ୟୁ

ଭୁବନେଶ୍ବର :  ରାଜ୍ୟର ଏବେ ବି କେତେକ ସ୍ଥାନରେ ଚିଟ୍‌ଫଣ୍ଡ୍‌ ଚାଲୁଛି। ଏ ନେଇ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ବୁଧବାର ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ହଂକଂ ଭିତ୍ତିକ କ୍ୟୁ-ନେଟ୍‌ ଗ୍ରୁପ୍‌ର ଅଂଶୀଦାର ସଂସ୍ଥା ମେମର୍ସ ବିହାନ ଡାଇରେକ୍ଟ ସେଲିଂ(ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ ରାଜ୍ୟରେ ବିଭିନ୍ନ ଯୋଜନାରେ ବେଆଇନ୍ ଟଙ୍କା ଦେଣନେଣ କାରବାର କରୁଛି। ଏହି ସଂସ୍ଥାରେ ବଡ଼ ପରିମାଣର ଅର୍ଥ ନିବେଶ କରି ପଞ୍ଜିକୃତ ହେବାକୁ ଉପଭୋକ୍ତାଙ୍କୁ କମିସନ ଓ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଏହି ଶୃଙ୍ଖଳାରେ ଯଦି କେହି ମଝିରୁ ଓହରି ଯାଏ ତେବେ ତାଙ୍କ ପରଠାରୁ ଅନ୍ୟମାନଙ୍କର ବଡ଼ଧରଣର କ୍ଷତି ସହିବାକୁ ହୋଇଥାଏ। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ କମ୍ପାନୀର ସକ୍ରିୟ ସଦସ୍ୟମାନେ ହୋଟେଲ ଓ ସିସିଡିରେ ଛୋଟ ସମ୍ମିଳନୀ ଡକାଇ ଉପଭୋକ୍ତାଙ୍କୁ ବିଭିନ୍ନ ପ୍ରକାର ବିଦେଶ ଭ୍ରମଣର ପ୍ରଲୋଭନ ଆଦି ଦେଖାଉଛନ୍ତି।

ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଇଓଡବ୍ଲ୍ୟୁ ମାର୍ଗଦର୍ଶିକା ଜାରି କରିଛି। ଉକ୍ତ ମାର୍ଗଦର୍ଶିକାରେ ଇଓଡବ୍ଲ୍ୟୁ ପୁଞ୍ଜି ନିବେଶ କରିବା ପୂର୍ବରୁ ସତର୍କ ରହିବାକୁ ଜନସାଧାରଣଙ୍କୁ ଚେତାଇ ଦେଇଛି। ଯଦି କେହି ଏ ନେଇ ପ୍ରବର୍ତ୍ତାଉଛନ୍ତି, ତାଙ୍କ ବିରୋଧରେ ଅଭିଯୋଗ କରିବାକୁ କୁହାଯାଇଛି।

ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ଇଓଡବ୍ଲ୍ୟୁ ଏନେଇ ଏକ ମାମଲା ରୁଜୁ କରି କମ୍ପାନିର ଓଡ଼ିଶା ଶାଖାର ୩ଜଣଙ୍କୁ ଗିରଫ କରିଥି​‌ଲେ ହେଁ କମ୍ପାନିର ୪ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଆଜିଯାଏ ସଫଳ ହୋଇପାରି ନାହିଁ। ଗତ ଜାନୁଆରୀ ୨୦ ତାରିଖରେ ଓଡ଼ିଶା ହାଇକୋର୍ଟ ଏହି ୪ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ହେଁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏମାନଙ୍କୁ ଗିରଫ କରିପାରୁ ନାହିଁ।

ଇଓଡବ୍ଲ୍ୟୁର କୋହଳ ମନୋଭାବର ସୁଯୋଗ ନେଇ ଏମାନେ ଗିରଫଦାରୀ ଏଡ଼ାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ। ଜାମିନ ଆବେଦନ ଖାରଜ ପରେ ଅଭିଯୁକ୍ତମାନେ ଖୋଲାରେ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଚରଣ କରୁଛନ୍ତି। ପ୍ରକୃତରେ ଏମାନେ ପୁଲିସ ଆଖିରେ ଧୂଳି ଦେଇ ବୁଲୁଛନ୍ତି, ନା ପୁଲିସ ଜାଣିଶୁଣି ଏମାନଙ୍କୁ ଗିରଫ କରୁନାହିଁ, ତାହା ଏବେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣେ ପୁଲିସ ଅଧିକାରୀଙ୍କ ସ୍ବାମୀ ଏହି ଠକ ସଂସ୍ଥା ସହିତ ଜଡ଼ିତ ଥିବାରୁ ଇଓଡବ୍ଲ୍ୟୁ ଜାଣିଶୁଣି ଘଟଣାକୁ ଗୁରୁତ୍ଵ ଦେଉନାହିଁ ବୋଲି ହେଉଥିବା ଅଭିଯୋଗ ମଧ୍ୟ ତଦନ୍ତସାପେକ୍ଷ। ଅଭିଯୁକ୍ତମାନଙ୍କ ମଧ୍ୟରୁ କିଛି ପରିବାର ସହ ପର୍ଯ୍ୟଟନ ସ୍ଥଳରେ ବୁଲୁଥିବାର ଦୃଶ୍ୟ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍ ହୋଇଥିବା ଫଟୋରୁ ଜଣାଯାଇଛି।

ତେବେ ବି ଏମାନଙ୍କ ସମ୍ବନ୍ଧରେ କୌଣସି ସୁରାକ ନ ପାଇବା ପୁଲିସର ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ହଂକଂ ଭିତ୍ତିକ କ୍ୟୁ-ନେଟ୍‌ ସଂସ୍ଥା ଓଡ଼ିଶାରେ ଶାଖା ଖୋଲି ଶହ ଶହ କୋଟି ଟଙ୍କା ଠକିନେଇଥିବା ସଂପର୍କରେ ଭଏସ୍‌ ଅଫ୍‌ ଭିକ୍‌ଟିମ୍‌ର ଅଧ୍ୟକ୍ଷ ଜ୍ଞାନରଂଜନ ମିଶ୍ର କ୍ରାଇମ୍‌ବ୍ରାଞ୍ଚ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜିଙ୍କ ଠାରେ ଅଭିଯୋଗ ଆଣିବା ପରେ ଇଓଡବ୍ଲ୍ୟୁ ଏ ନେଇ ମାମଲା ରୁଜୁ କରିବା ସହ ଉକ୍ତ ସଂସ୍ଥାର ପ୍ରମୋଟର ତଥା ସିନିୟର ପାର୍ଟନର ବ୍ରହ୍ମେଶ୍ବରପାଟଣା ଶରତ କୁମାର ପରିଡ଼ା, ଚନ୍ଦ୍ରଶେଖରପୁର ଅଞ୍ଚଳର ଦେବବ୍ରତ ହରିଚନ୍ଦନ ଓ ଜଗନ୍ନାଥ ବିହାର ଅଞ୍ଚଳର ଚନ୍ଦନ ମହାଳିକଙ୍କୁ ଅକ୍ଟୋବର ୧ ତାରିଖରେ ଗିରଫ କରିଥିଲା। ତେବେ ଏହାର ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଶାନ୍ତ କୁମାର ମହାନ୍ତି, ଅରବିନ୍ଦ କୁମାର, ଭରତ ରଘୁବଂଶୀ, ରଶ୍ମିରଂଜନ ମଲ୍ଲିକଙ୍କ ନାମରେ କେବଳ ମାମଲା ରୁଜୁ କରିଥିଲା।

Comments are closed.