ଚିଟ୍‌ଫଣ୍ଡ କମିସନ ବନ୍ଦ

କଟକ: ଜଷ୍ଟିସ ମଦନ ମୋହନ ଦାସ କମିସନ ଚିଟ୍‌ଫଣ୍ଡ ମାମଲାର ଶୁଣାଣି ବନ୍ଦ କରିଛନ୍ତି। ମାର୍ଚ୍ଚ ୩ରୁ କମିସନ ଆଉ ବସିବେ ନାହିଁ ବୋଲି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୨୦, ଫେବୃଆରୀ ୪ରେ ଶେଷ ହୋଇଥିବା ବେଳେ ଏହା ଏ ପର୍ଯ୍ୟନ୍ତ ବୃଦ୍ଧିକରାଯାଇ ନାହିଁ। ଏପରି ପରିସ୍ଥିତିରେ କମିସନ ଆଉ ବସିବେ ନାହିଁ ବୋଲି ଆଜି ଜାରି ନୋଟିସରେ ସ୍ପଷ୍ଟକରାଯାଇଛି। କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ନୋଟିସ୍ ଜାରି ହୋଇଛି। ତେବେ ଏଭଳି ପରିସ୍ଥିତିରେ ରାଜ୍ୟରେ ଚିଟଫଣ୍ଡ ଘଟଣାକୁ ନେଇ ୨୦୧୩ରୁ ଚାଲିଥିବା ବିଚାରବିଭାଗୀୟ ତଦନ୍ତରେ ପୂର୍ଣ୍ଣଚ୍ଛେଦ ପଡିଛି।
ଚିଟ୍‌ଫଣ୍ତ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ରେ ଜଣିକିଆ କମିସନ ଗଠନ କରାଯାଇ ପ୍ରଥମରୁ ୫ଟି ପ୍ରସଙ୍ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଏହାପରେ ପୂର୍ବ ଟର୍ମସ ଅଫ୍ ରେଫରେନ୍ସରେ ଆଉ ଏକ ପ୍ରସଙ୍ଗ ଯୋଡି ୨୦୧୫, ଫେବୃଆରୀ ୨୦ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅତିରିକ୍ତ ଟର୍ମସ୍ ଅଫ ରେଫରେନ୍ସରେ ବେଆଇନ ଅର୍ଥ କାରବାର ଓ ଠକ କମ୍ପାନିଗୁଡିକ ଦ୍ବାରା ପ୍ରଭାବିତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପ୍ରସଙ୍ଗରେ ତଦନ୍ତ ଦାୟିତ୍ବ କମିସନଙ୍କୁ ପ୍ରଦାନ କରାଯାଇଥିଲା। ଏବେ ୨୦୧୫, ଫେବୃଆରୀ ୨୦ର ଟର୍ମସ୍ ଅଫ୍ ରେଫରେନ୍ସରେ ସଂଶୋଧନ କରି ସରକାର ୨୦୧୯, ଡିସେମ୍ବର ୧୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପୂର୍ବରୁ ପ୍ରକୃତ ଜମାକାରୀ (ଇନ୍‌ଭେଷ୍ଟର)ଙ୍କୁ ଚିହ୍ନଟ କରାଯିବ ବେଲି ଟର୍ମସ୍ ଅଫ୍ ରେଫରେନ୍ସରେ ରହିଥିଲା; କିନ୍ତୁ ୨୦୧୯, ଡିସେମ୍ବର ୧୧ରେ ପ୍ରକାଶିତ ପରିବର୍ତ୍ତିତ ବା ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ (ସ୍ମଲ୍ ଇନଭେଷ୍ଟର) ବୋଲି ଉଲ୍ଲେଖ କରାଯାଇଥିଲା; ଫଳରେ କମିସନ କେବଳ କ୍ଷୁଦ୍ର ଜମାକାରୀ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସ୍ପଷ୍ଟ ହୋଇଥିଲା। ୨୦୧୯, ମେ ୩୧ ତାରିଖ ପର୍ୟ୍ୟନ୍ତ କରାଯାଇଥିବା ତଦନ୍ତ ଆଧାର କରି କମିସନ କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ ସରକାରଙ୍କୁ ୭ଟି ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ କମିସନ୍‌ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ସାତଟି ରିପୋର୍ଟ ପ୍ରଦାନ କରିଛନ୍ତି। ଗତ ବର୍ଷ ଦାଖଲ ହୋଇଥିବା ପ୍ରାୟ ୭ ଲକ୍ଷ ସତ୍ୟପାଠର ଡିଜିଟାଇଜେସନ୍ ପ୍ରକ୍ରିୟା ଓକାକ୍ ଆରମ୍ଭ କରିଥିବା ବେଳେ କମିସନଙ୍କ କାର୍ୟ୍ୟକାଳ ବୃଦ୍ଧି ନ ହେବା ଦ୍ବାରା ଏହି ସବୁ ସତ୍ୟପାଠର ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

Comments are closed.