ଚିଟ୍‌ଫଣ୍ଡ କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାରଙ୍କୁ ଚିଠି

କଟକ : ରାଜ୍ୟରେ ଚିଟଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ଅବଧି ଅାସନ୍ତା ଅଗଷ୍ଟ ୪ତାରିଖରେ ଶେଷ ହେବା ପାଇଁ ଯାଉଛି। ତେବେ କାର୍ଯ୍ୟକାଳ ବୃଦ୍ଧି ପାଇଁ କମିସନଙ୍କ ପକ୍ଷରୁ ସରକାରଙ୍କ ନିକଟକୁ ଏକ ଚିଠି ମାଧ୍ୟମରେ ପ୍ରସ୍ତାବ ଯାଇଥିବା ଜଣାଯାଇଛି। ତେବେ କମିସନଙ୍କ କାର୍ଯ୍ୟକାଳ ମଧ୍ୟରେ କଣକଣ କାର୍ଯ୍ୟ ସଂପାଦିତ କରିଛନ୍ତି; ସେ ନେଇ ଦର୍ଶାଯାଇଥିବାବେଳେ ଅାଗକୁ କଣକଣ କାର୍ଯ୍ୟ କରିବାର ରହିଛି; ସେ ନେଇ ଚିଠିରେ ଦର୍ଶାଯାଇଥିବା ଜଣାଯାଇଛି। ଏବେ କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଏହାପରେ ବୃହତ ଜମାକାରୀଙ୍କୁ ଚିହ୍ନଟ କରାଯିବ। ଏଥି ସହିିତ ନିକଟରେ ଦାଖଲ ହୋଇଥିବା ପ୍ରାୟ ୭ ଲକ୍ଷ ସତ୍ୟପାଠ ଡିଜିଟାଇଜେସନ ପରେ ସତ୍ୟପାଠ ଯାଞ୍ଚ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ପ୍ରକାଶ ଯୋଗ୍ୟ ଯେ ଚିଟଫଣ୍ଡ ପ୍ରସଙ୍ଗରେ ବିଚାର ବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ ତାରିଖରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। ୨୦୧୩ରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅାର‌୍‌.କେ.ପାତ୍ରଙ୍କୁ ତଦନ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଜଷ୍ଟିସ ପାତ୍ରଙ୍କ ପରଲୋକ ପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏମ୍‌.ଏମ୍‌.ଦାସଙ୍କୁ ୨୦୧୫, ଫେବ୍ରୁଆରୀ ୫ରେ ତଦନ୍ତ ଦାୟିତ୍ବ ଅର୍ପଣ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସଙ୍ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ୨୦୧୫, ଫେବ୍ରୁଆରୀ ୨୦ରେ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିିରେ ପ୍ରାଥମିକ ପର୍ଯ୍ୟାୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ଚିହ୍ନଟ ଓ ସେମାନଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ସଂକ୍ରାନ୍ତରେ ପରାମର୍ଶ ପ୍ରଦାନ ପାଇଁ କମିସନଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ କମିସନ ଇତିମଧ୍ୟରେ ସରକାରଙ୍କୁ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିସାରିଛନ୍ତି। ତେବେ ଅଦ୍ୟାବଧି ସମୁଦାୟ ୪ଲକ୍ଷ ୯୭ହଜାର ୮୪୪ ଜମାକାରୀ ଚିହ୍ନଟ ହୋଇଥିବାବେଳେ କମିସନଙ୍କ ଜାରି ନୋଟିସ ଫଳରେ ସମୁଦାୟ ୧୯୩୧ ଜଣ କ୍ଷୁଦ୍ର ଜମାକାରୀ ଅର୍ଥ ଫେରସ୍ତ ପାଇଛନ୍ତି। ଅନ୍ୟପକ୍ଷରେ କମିସନ ସତ୍ୟପାଠ ଦାଖଲରୁ ବଞ୍ଚିତ ହୋଇଥିବା ଜମାକାରୀଙ୍କୁ ନ୍ୟାୟ ଦେବା ପାଇଁ ଦୁଇ ଥର ବିଜ୍ଞପ୍ତି ଜାରି କରି ସତ୍ୟପାଠ ଦାଖଲ ପାଇଁ ଅାହ୍ବାନ କରିଥିଲେ। ଫଳରେ ୭ ଲକ୍ଷରୁ ଅଧିକ ସତ୍ୟପାଠ କମିସନଙ୍କ ଠାରେ ପହଞ୍ଚିଥିବା ଜଣାଯାଇଛି। ସେହିପରି କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ କମିସନ ବିଭିନ୍ନ କମ୍ପାନୀକୁ ନୋଟିସ ଜାରି କରିଛନ୍ତି। ଅାସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ଜବାବ ରଖିବା ପାଇଁ ଜାରି ନୋଟିସରେ ଦର୍ଶାଯାଇଛି। ତେବେ ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌ଙ୍କ କାର୍ଯ୍ୟକାଳ ୨୦୧୯, ଫେବୃୟାରୀ ୨ତାରିଖରେ ଅାହୁରି ୬ ମାସ ବୃଦ୍ଧି ହୋଇଥିଲା। ତେବେ କମିସନଙ୍କ କାର୍ଯ୍ୟକାଳ ୨୦୧୯, ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

Comments are closed.