ଏସ୍‍ସି/ଏସ୍‍ଟି ଆଇନର ପୁନଃସ୍ଥାପନ ଦାବିରେ ବଡ଼ ଆନ୍ଦୋଳନ ପାଇଁ ଚିରାଗଙ୍କ ଧମକ

0

ନୂଆଦିଲ୍ଲୀ : ଅନୁସୂଚିତ ଜାତି (ଏସ୍‍ସି) ଓ ଅନୁସୂଚିତ ଜନଜାତି (ଏସ୍‍ଟି) ଆଇନର ପୁନଃସ୍ଥାପନ ଦାବିରେ ବଡ ଧରଣର ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି ଲୋକ ଜନଶକ୍ତି ପାର୍ଟି (ଏଲ୍‍ଜେପି) ସାଂସଦ ଚିରାଗ ପାଶ୍ୱାନ। ଶୁକ୍ରବାର ଚିରାଗ କହିଛନ୍ତି ଯେ ତାଙ୍କ ଦଳ ସରକାର ବିରୋଧୀ ଦଳିତ ଆନ୍ଦୋଳନରେ ସାମିଲ ହେବ; ଯଦି ସେମାନଙ୍କର ଦାବି ପୂରଣ ନ ହୁଏ। ସେ କହିଛନ୍ତି ଯେ ଏସସି/ଏସଟି ଆଇନର ପୁନଃସ୍ଥାପନ ପୂର୍ବକ ସରକାର ଅଧ୍ୟାଦେଶ ଆଣନ୍ତୁ। ଅଧ୍ୟାଦେଶ ସପକ୍ଷରେ ସରକାର ସଂସଦରେ ବିଧେୟକ ଆଗତ କରିବା ଦରକାର। କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶ୍ୱାନଙ୍କ ନେତୃତ୍ୱ ଏଲଜେପି ବିଜେପିର ସହଯୋଗୀ ଦଳ ରହିଥିବାବେଳେ ତାଙ୍କ ପୁଅ ଚିରାଗଙ୍କ ଏପରି ଧମକ ସରକାରଙ୍କୁ ଅଡୁଆରେ ପକାଇଛି। ମାର୍ଚ୍ଚ ୨୦ରେ ସୁପ୍ରିମକୋର୍ଟଙ୍କ ପୀଠ ଏସସି-ଏସଟି (ଅତ୍ୟାଚାର ନିରୋଧ) ଆଇନରେ ପରିବର୍ତ୍ତନ ଆଣିଥିଲେ। ବିଚାରପତି ଆଦର୍ଶ କୁମାର ଗୋଏଲଙ୍କ ନେତୃତ୍ୱ ପୀଠ ଏହି ରାୟ ଦେଇଥିଲେ। ଜଷ୍ଟିସ ଗୋଏଲ ସୁପ୍ରିମକୋର୍ଟରୁ ଅବସର ନେବା ପରେ ଏବେ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)ର ଅଧ୍ୟକ୍ଷ ଅଛନ୍ତି। ଜଷ୍ଟିସ ଗୋଏଲଙ୍କ ଏହି ରାୟକୁ ବିରୋଧ କରି ତାଙ୍କୁ ଏନଜିଟି ଅଧ୍ୟକ୍ଷ ପଦରୁ ହଟାଇବାକୁ ଚିରାଗ ଦାବି କରିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖିଛନ୍ତି।

Leave A Reply