ଭାରତୀୟ ୱେବ୍‌ସାଇଟ୍‌ ଉପରେ ଚୀନ ହ୍ୟାକରଙ୍କ ଆକ୍ରମଣ : ୫ଦିନରେ ୪୦ହଜାରରୁ ଉର୍ଦ୍ଧ୍ବ ୱେବ୍‌ସାଇଟ୍ ହ୍ୟାକ୍‌ ଉଦ୍ୟମ

ନୂଆଦିଲ୍ଲୀ : ଚୀନକୁ ଭାରତ ଭାତରେ ମାରିବା ପାଇଁ ଯୋଜନା ଚଳାଇଥିବାବେଳେ ଚୀନ ହ୍ୟାକରମାନେ ଭାରତ ଉପରେ ତୀବ୍ର ସାଇବର ଆକ୍ରମଣ ଜାରି ରଖିଛନ୍ତି। ସିଙ୍ଗାପୁରସ୍ଥିତ ସାଇବର ସୁରକ୍ଷା ଗୁଇନ୍ଦା ସଂସ୍ଥା ‘ସିଫିର୍ମା ରିସର୍ଚ୍ଚ’ ସୂଚନାନୁଯାୟୀ, ଗତ ୫ଦିନ ମଧ୍ୟରେ ଭାରତର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରଣାଳୟ, ଟେଲିକମ୍‌, ଔଷଧ କମ୍ପାନୀ ଗଣମାଧ୍ୟମ, ସ୍ମାର୍ଟଫୋନ୍‌ ନିର୍ମାଣକାରୀ ସଂସ୍ଥା, ବିଭିନ୍ନ ବ୍ୟବସାୟୀ ତଥା ଶିଳ୍ପ ସଂସ୍ଥା, ଭିତ୍ତିଭୂମି ନିର୍ମାଣ ସଂସ୍ଥା ଏବଂ ରିଲାଏନ୍ସ ଜିଓ ୱେବ୍‌ସାଇଟ୍‌ ସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ ଓ ଘରୋଇ କାର୍ଯ୍ୟାଳୟର ୪୦ହଜାର ୩୦୦ ୱେବ୍‌ସାଇଟ୍‌ ହ୍ୟାକ୍‌ ଉଦ୍ୟମ କରିଛି। ସିଙ୍ଗାପୁର ସଂସ୍ଥାର ସୂଚନାନୁଯାୟୀ, ଗୋଥିକ ପାଣ୍ଡା ଓ ଷ୍ଟୋନ୍‌ ପାଣ୍ଡା ଭଳି ଚୀନ ସରକାରଙ୍କର ଦୁଇ ହ୍ୟାକିଂ ସଂସ୍ଥା ଏହି ସାଇବର ଆକ୍ରମଣ ପଛରେ ରହିଛି। ମହାରାଷ୍ଟ୍ର ସରକାରଙ୍କ ସାଇବର ବିଭାଗ ମଧ୍ୟ ସମାନ ସୂଚନା ଦେବା ସହ ସାଇବର ସୁରକ୍ଷା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ‘କ୍ବିକ୍‌ ହିଲ୍‌’ ସୁରକ୍ଷା ନିର୍ଦେଶକ ହିମାଂଶୁ ଦୁବେଙ୍କ ସୂଚନାନୁଯାୟୀ, ପାକିସ୍ତାନୀୟ ହ୍ୟାକରମାନେ ଏହି କାମରେ ଚୀନକୁ ସହଯୋଗ କରୁଛନ୍ତି। ଗୋଥିକ ପାଣ୍ଡା ଓ ଷ୍ଟୋନ୍‌ ପାଣ୍ଡା କେବଳ ଭାରତ ନୁହେଁ; ଜାପାନ, କାନାଡା ଓ ବ୍ରାଜିଲର ସାଇବର ସଂସ୍ଥାକୁ ନିଶାଣ କରିଛନ୍ତି।

ମହାରାଷ୍ଟ୍ର ପୁଲିସର ସାଇବର ସୁରକ୍ଷା ବିଭାଗ ଆଇଜି ଯଶସ୍ବୀ ଯାଦବ କହିଛନ୍ତି ଯେ ଗତ ୫ ଦିନ ହେଲା ହଠାତ୍‌ ସାଇବର ଅପରାଧ ବଢ଼ିଯାଇଛି। ସାଇବର ଅପରାଧୀମାନେ ବ୍ୟାଙ୍କ, ଭିତ୍ତିଭୂମି, ସୂଚନା ଓ ପ୍ରଯୁକ୍ତି ବ୍ୟବସ୍ଥା ୱେବ୍‌ସାଇଟ୍‌ ଉପରେ ଆକ୍ରମଣ ଚଳାଇଛନ୍ତି। ଏହା ପଛରେ ଚୀନ ସାଇବର ଅପରାଧୀମାନଙ୍କର ଭୂମିକା ସ୍ପଷ୍ଟ ହୋଇଛି। ଚୀନର ସିଚୁଆନ ପ୍ରଦେଶ ଅନ୍ତର୍ଗତ ଚେଙ୍ଗୁଡ଼ୁର ଏହି ଆକ୍ରମଣ ସଂଯୋଜିତ ହେଉଥିବାର ପ୍ରମାଣ ମିଳିଛି। ସେମାନେ ବିଶେଷ ଭାବେ ସେବାରେ ବ୍ୟାଘାତ, ଆଇପି (ଇଣ୍ଟରନେଟ ପ୍ରୋଟୋକଲ) ଅପରହଣ ଓ ଫିଶିଂ ଭଳି ତିନି ପ୍ରକାର ଆକ୍ରମଣ ଚଳାଇଛନ୍ତି। ଏହାଦ୍ବାରା ଭାରତ ସରକାରଙ୍କ ବିଭିନ୍ନ ୱେବ୍‌ସାଇଟ୍‌ ତଥା ସାଇବର ଭିତ୍ତିଭୂମି ପ୍ରତି ବିପଦ ସୃଷ୍ଟି ହୋଇଛି। ଏହାକୁ ସମର୍ଥନ କରି ଦୁବେ କହିଛନ୍ତି ଯେ ଚୀନ ହ୍ୟାକରମାନେ ଚୀନରେ ଥିବା ସାଇବର କମାଣ୍ଡ ଓ କ‌େ‌ଣ୍ଟ୍ରାଲ ସର୍ଭର ଆଧାରିତ ମାଲାୱାର ବ୍ୟବହାର ମାଧ୍ୟମରେ ଆକ୍ରମଣ ଅବ୍ୟାହତ ରଖିଛନ୍ତି।

କ୍ରିପ୍‌ଟୋ ମାଇନର୍ସ ଓ ରିମୋଟ ଆକ୍ସେସ୍‌ ଟୁଲ୍‌ ଏହାର ଅଂଶବିଶେଷ। କି’ଲଗିଂ,ସ୍କିନ୍‌ କାପ୍ଚର ଇତ୍ୟାଦି ମାଧ୍ୟମରେ ସେମାନେ ଗୋପନୀୟ ତଥ୍ୟ ହାସଲ କରିବା ପ୍ରୟାସ ଜାରି ରଖିନ୍ତି ବୋଲି ସେ କହିଛନ୍ତି। କୁଖ୍ୟାତ ପାକିସ୍ତାନୀ ହ୍ୟାକର ଏପିଟି ୩୬ ବା ଟ୍ରାନ୍ସପ୍ୟାରେଣ୍ଟ ଟ୍ରାଇବ୍‌ ମଧ୍ୟ ଭାରତୀୟ ସାଇବର ବ୍ୟବସ୍ଥା ଉପରେ ଆକ୍ରମଣ ଚଳାଇଛି। ଏହା ଏବେ ଚୀନକୁ ସହାୟତା କରୁଛି। ଆବଶ୍ୟକସ୍ଥଳେ ଏମାନେ ‘ହନି ଟ୍ରାପ୍‌’ ମାଧ୍ୟମରେ ସୂଚନା ହାସଲ କରୁଛନ୍ତି। ସାଧାରଣ ସାଇବର ବ୍ୟବହାରକାରୀଙ୍କୁ ସେ ଏଥିପ୍ରତି ସତର୍କ କରାଇ ଦେଇଛନ୍ତି।

Comments are closed.