୧୦୦୦ କୋଟିର ହାୱାଲା ରାକେଟ୍: ମଣିପୁର ଯୁବତୀଙ୍କୁ ବିବାହ କରିଥିଲେ ଚୀନ ଯୁବକ, ଦିନକୁ କାଢ଼ୁଥିଲେ ୩ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତରେ ରହି ହାୱାଲା କାରବାର କରୁଥିବା ଜଣେ ସନ୍ଦିଗ୍ଧ ଚୀନ ନାଗରିକଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ କରିଛି ଆୟକର ବିଭାଗ । ଏହି ଯୁବକ ଭାରତରେ ନିଜ ପରିଚୟ ବଦଳାଇ ରହୁଥିଲେ ଓ ଜଣେ ମଣିପୁରର ଯୁବତୀଙ୍କୁ ବିବାହ କରିଥିଲେ । ଗତକାଲି ରାତିରେ ଆୟକର ବିଭାଗ ଚଢ଼ଉ ପରେ ଏହି ପରି କେତେକ ସ୍ପର୍ଶକାତର ଘଟଣା ଜଣାପଡ଼ିଛି ।

ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ଯୁବକର ନାମ ଲାଓ ସାଙ୍ଗ । ସେ ନିଜର ପରିଚୟ ବଦଳାଇ ଭାରତରେ ରହୁଥିଲେ ଓ ନିଜକୁ ଚାର୍ଲି ପେଙ୍ଗ ବୋଲି ପରିଚିତ କରାଉଥିଲେ । ଏପରିକି ନିଜକୁ ଭାରତୀୟ ନାଗରିକ ବୋଲି କହୁଥିଲେ। ତାଙ୍କ ନିକଟରେ ଭାରତର ଜାଲ ପାସପୋର୍ଟ ଓ ଜାଲ ଆଧାର କାର୍ଡ଼ ମଧ୍ୟ ରହିଛି ।

ଚାର୍ଲି ନିଜକୁ ଭାରତୀୟ ପରିଚୟ ଦେଇ  ମଣିପୁରର ଜଣେ ଯୁବତୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହାୱାଲା ଜରିଆରେ ସେ ପ୍ରତିଦିନ ବ୍ୟାଙ୍କରୁ ହାରାହାରି ୩ କୋଟି ଟଙ୍କା ବାହାର କରୁଥିଲେ । ତାଙ୍କୁ ଏଥିରେ ଦୁଇଟି ଘରୋଇ ବ୍ୟାଙ୍କର  କିଛି ଅଧିକାରୀ ସହାୟତା କରୁଥିଲେ। ଗତ ୩ ବର୍ଷ ଧରି ସେ ଏପରି କାରବାର ଚଳାଇଥିଲେ ଓ ତାଙ୍କ ପାଖରେ ପ୍ରାୟ ୪୦ଟି ବ୍ୟାଙ୍କର ଆକାଉଣ୍ଟ ଅଛି । ବିଭିନ୍ନ ଜାଲ କମ୍ପାନୀ ଜରିଆରେ ସେ ହାୱାଲା କାରବାର କରୁଥିଲେ ଓ ଯାହାର ପରିମାଣ ୧ ହଜାର କୋଟି ଟଙ୍କା ଟପିଯିବା ଆଶଙ୍କା କରାଯାଉଛି । ସେ ନିୟମିତ ବ୍ୟବଧାନରେ ନିଜ ଠିକଣା ବଦଳାଇ ଚାଲିଥିଲେ । ପ୍ରଥମେ ସେ ଦିଲ୍ଲୀର ଦ୍ବାରକା ଅଞ୍ଚଳରେ ରହୁଥିଲେ, ଏହାପରେ ସେ ଅନ୍ୟସ୍ଥାନକୁ ଠିକଣା ବଦଳାଇଥିଲେ ଓ ଏବେ ଡ଼ିଏଲ୍ଏଫ୍ ଅଞ୍ଚଳରେ ରହୁଥିଲେ । ଜଣେ ଆୟକର ଅଧିକାରୀଙ୍କ ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ବ୍ୟକ୍ତିଙ୍କୁ ବିଭିନ୍ନ ଚୀନ କମ୍ପାନୀର ଫ୍ରାଞ୍ଚାଇଜି ଓ ସହଯୋଗୀ ଭାବରେ ବ୍ୟବସାୟ କରିବା ଓ ଭାରତରେ ସୋ ରୁମ୍ ଖୋଲିବା ପାଇଁ ଅଗ୍ରୀମ ଟଙ୍କା ପ୍ରଦାନ କରୁଥିଲେ । ସେହିପରି  କିଛି ଭାରତୀୟ ବ୍ୟବସାୟୀଙ୍କ ଚୀନ ସହ କାରବାର କଳା ଧନକୁ ସଫେଦ କରିବାରେ ସହାୟତା କରୁଥିଲେ ।

ସୂଚନାଯୋଗ୍ୟ ଯେ ଗୁଇନ୍ଦା ସୂଚନା ଆଧାରରେ ଗତକାଲି ଆୟକର ବିଭାଗର ଅଧିକାରୀମାନେ ଦିଲ୍ଲୀ, ଗାଜିଆବାଦ, ଗୁରୁଗାଓ ଅଞ୍ଚଳରେ ଚୀନା ନାଗରିକଙ୍କ ୨୧ଟି ସ୍ଥାନରେ ଚଢ଼ଉ କରିଥିଲେ । ବର୍ତମାନ ସୁଦ୍ଧା ୩୦୦ କୋଟି ଟଙ୍କାର ହାୱାଲା କାରବାରର ସନ୍ଧାନ ମିଳିଛି । ମାତ୍ର ଏହି ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଆୟକର ଅଧିକାରୀମାନେ ବିଶ୍ଵାସ କରୁଛନ୍ତି ।

Comments are closed.