ମହାକାଶରେ ଚୀନ ମହାକାଶଚାରୀଙ୍କ ପଦଚାରଣ

ବେଜିଂ : ଚୀନର ଦୁଇ ମହାକାଶଚାରୀ ମହାକାଶରେ ପଦଚାରଣା କରି ଇତିହାସ ସୃଷ୍ଟି କରିଛନ୍ତି। ରବିବାର ସେମାନେ ମହାକାଶରେ ନିର୍ମାଣାଧୀନ ଚୀନର ନୂଆ ମହାକାଶ କେନ୍ଦ୍ରରୁ ବାହାରି ଏହି ପଦଚାରଣା କରିଛନ୍ତି। ଏହି ଦୁଇ ମହାକାଶଚାରୀ ହେଲେ ଲିଉ ବୋମିଙ୍ଗ ଓ ତାଙ୍ଗ ହୋଙ୍ଗବୋ। ଚୀନର ରାଷ୍ଟ୍ରାୟତ୍ତ ଟିଭି ଚାନେଲରେ ପ୍ରସାରିତ ଖବର ଅନୁସାରେ ଏହି ଦୁଇ ମହାକାଶଚାରୀ ମହାକାଶ କେନ୍ଦ୍ରରୁ ବାହାରକୁ ବାହାରି ଏକ ୫୦ ଫୁଟ ଲମ୍ବ ରୋବୋଟିକ ଆର୍ମ ସ୍ଥାପନ କରିଛନ୍ତି। ଏହି ରୋବୋଟିକ ଆର୍ମ ବ୍ୟବହାର କରି ଉକ୍ତ ମହାକାଶ କେନ୍ଦ୍ରର ଅବଶିଷ୍ଟ ଅଂଶକୁ ନିର୍ମାଣ କରାଯିବ। ତେବେ ଏହି ଦୁଇଜଣ ମହାକାଶରେ ପଦଚାରଣ କରୁଥିବାବେଳେ ୩ୟ ମହାକାଶଚାରୀ ନି ହେଇସେଙ୍ଗ୍ ମହାକାଶ କେନ୍ଦ୍ର ମଧ୍ୟରେ ଥିଲେ। ଏହି ମହାକାଶଚାରୀମାନେ ଗତ ଜୁନ ୧୭ରେ ଏକ ତିନିମାସିଆ ମିସନରେ ଏହି ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ଏହା ପୂର୍ବରୁ ଚୀନ ଗତ ମେ ମାସରେ ମଙ୍ଗଳ ଗ୍ରହରେ ଏକ ରୋବର୍ଟ ସ୍ଥାପନ କରିଥିଲା। ଚୀନର ଶାସନ କରୁଥିବା କମ୍ୟୁନିଷ୍ଟ ପାର୍ଟି ସ୍ଥାପନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଚୀନ ସରକାରଙ୍କ ପକ୍ଷରୁ ଚୀନକୁ ଏକ ମହାକାଶ ଶକ୍ତିରେ ପରିଣତ କରିବାକୁ ଏସବୁ ଐତିହାସିକ ମହାକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

Comments are closed.