ଅରୁଣାଚଳ-ତିବ୍‍ବତ୍‍ ସୀମରେ ଚୀନ ପ୍ରତିଷ୍ଠା କଲା ପାଣିପାଗ କେନ୍ଦ୍ର

0

ବେଜିଂ/ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ସୀମା ନିକଟ ତିବ୍‍ବତରେ ଚୀନ ପକ୍ଷରୁ ଏକ ମାନବିହୀନ, ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଆଞ୍ଚଳିକ ସଂଘର୍ଷ ସ୍ଥିତିରେ ଦେଶର ସେନା, ବିମାନ ଏବଂ କ୍ଷେପଣାସ୍ତ୍ର ସଂଚାଳନ ପାଇଁ ପାଣିପାଗ ସମ୍ବନ୍ଧୀୟ ସୂଚନା ପାଇବା ନିମନ୍ତେ ଚୀନ ଏହି ପାଣିପାଗ କେନ୍ଦ୍ର ପ୍ରତିଷ୍ଠା କରିଛି। ଚୀନ ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଅନୁସାରେ ତିବ୍‍ବତ ସାନନାନ ଅଞ୍ଚଳର ଲୁହାଞ୍ଜେ ଅଧୀନ ୟୁମିଜ୍‍ଠାରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ତିବ୍‍ବତ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ଜାତୀୟ ସୁରକ୍ଷା କ୍ଷେତ୍ରରେ ମୌସମ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବ। ଏହାବାଦ୍‍ ଏହା ସୀମାର ବିକାଶ, ସୈନ୍ୟ ଏବଂ ନାଗରିକଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରିବାରେ ସହଯୋଗ କରିବ। ୯ ଘର ଏବଂ ୩୨ ଜନସଂଖ୍ୟା ବିଶିଷ୍ଟ ଲୁହାଞ୍ଜେଠାରେ ଏହା ହେଉଛି ଚୀନର ସବୁଠୁ ଛୋଟ ପାଣିପାଗ କେନ୍ଦ୍ର। ଏହି ପାଣିପାଗ କେନ୍ଦ୍ର ତାପମାତ୍ରା, ବାୟୁ ଚାପ, ବାୟୁର ବେଗ, ଦିଗ ଏବଂ ବର୍ଷା ସମ୍ବନ୍ଧୀୟ ସୂଚନା ଦେବ। ସେହିପରି ଏହି ପାଣିପାଗ କେନ୍ଦ୍ର ଯାତାୟତ ଏବଂ ସଂଚାର ସହ ଜଡ଼ିତ ତଥ୍ୟ ଉପଲବ୍ଧ କରାଇବ। ଚୀନର ଜଣେ ରକ୍ଷା ବିଶେଷଜ୍ଞ କହିଛନ୍ତି ଯେ ଯୁଦ୍ଧ ସମୟରେ ଯୁଦ୍ଧ ବିମାନର ଅବତରଣ ଏବଂ ଉଡ଼ାଣ, କ୍ଷେପଣାସ୍ତ୍ର ନିକ୍ଷେପ କ୍ଷେତ୍ରରେ ଏହା ଗୁରୁତର ଭୂମିକା ନିର୍ବାହ କରିବ। ଏହି ପାଣିପାଗ କେନ୍ଦ୍ର ସ୍ଥାପନ ପରଠାରୁ ସେମାନେ ପାଣିପାଗ୍‍ ସମ୍ପର୍କରେ ସଠିକ୍‍ ତଥ୍ୟ ପାଇପାରୁଛନ୍ତି ବୋଲି ଲୁହାଞ୍ଜେ ଏବଂ ୟୁମିଜ୍‍ କମ୍ୟୁନିଷ୍ଟ କମିଟି ପକ୍ଷରୁ କୁହାଯାଇଛି। ୨୦୧୮ ଆରମ୍ଭରେ ଏହି ପାଣିପାଗ କେନ୍ଦ୍ର ନିର୍ମାଣ ଅ।।ରମ୍ଭ ହୋଇଥିଲା। ଚଳିତ ବର୍ଷ ଜୁନ୍‍ ମାସରେ କାର୍ଯ୍ୟ ଶେଷ ହୋଇଥିଲା ଓ ଜୁଲାଇରୁ ଏହା କାର୍ଯ୍ୟକ୍ଷମ ହୋଇଛି। ଉଲ୍ଲେଖ ଯେ ଅନ୍ୟ ଦେଶ ସହ ସହଯୋଗ କରିବା ପାଇଁ ଚୀନର ୟମିଜ୍‍ ଦେଇ ୨୦୧୭ରୁ ଏକ ରାସ୍ତା ନିର୍ମାର କରାଯାଉଛି। ରାସ୍ତା କାର୍ଯ୍ୟ ଶେଷ ହେବା ପରେ ସେଠାରେ ବି ଏକ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ସୂଚନା ଦିଆଯାଇଛି।

Leave A Reply