ଭାରତକୁ ଉତ୍ତେଜିତ କରୁଛି ଚୀନ, ଭୁଟାନ ଉପରେ ନୂଆ ଦାବି

ନୂଆଦିଲ୍ଲୀ : ପୂର୍ବ ଲଦାଖର ଏଲଏସିରେ ଦେଖାଯାଇଥିବା ବିବାଦ ଥମି ନଥିବା ବେଳେ ଭାରତକୁ ଉତ୍ତେଜିତ କରିବା ଲାଗି ଚୀନ ଏକ ନୂଆ ରଣନୀତି କରିଛି। ଭାରତକୁ ଉତ୍ତେଜିତ କରିବା ଲାଗି ଭୁଟାନ ଉପରେ ଚୀନ ନିଜର ନୂଆ ଅଧିକାର ସାବ୍ୟସ୍ତ କରିଛି। ୨୦୧୭ରେ ଭୁଟାନର ଡୋକଲାମ ଉପରେ ଚୀନର ଦାବିକୁ ଭାରତ ବିରୋଧ କରିବାରୁ ଦୁଇଦେଶ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ଡୋକଲାମକୁ ନେଇ ଭାରତ-ଚୀନ ସେନା ୭୩ଦିନ ମୁହାଁମୁହିଁ ଅବସ୍ଥାରେ ରହିଥିଲେ। ଏବେ ପୁଣି ଥରେ ଭାରତକୁ ଉସୁକାଇବା ଲାଗି ଭୁଟାନ ଉପରେ ଚୀନ ନିଜର ଅନାଧିକାର ଦାବି ଉଠାଇଛି।

ଉଭୟ ଭାରତ ଓ ଚୀନ ସହିତ ଉତ୍ତମ ସମ୍ପର୍କ ରଖିଆସିଥିବା ଭୁଟାନକୁ ବେଜିଂ ଗତ ଜୁନରେ ଉତ୍ତେଜିତ କରିଛି। ଗତ ଜୁନରେ ଆମେରିକାରେ ଆୟୋଜିତ ଗ୍ଲୋବାଲ ଏନଭର୍ଣ୍ଣମେଣ୍ଟ ଫାସିଲିଟି ବୈଠକରେ ଭୁଟାନ ଏହାର ସାକତେଙ୍ଗ ଅଭୟାରଣ୍ୟର ଉନ୍ନତି ପାଇଁ ପାଣ୍ଠି ଯୋଗାଇବାକୁ ନିବେଦନ କରିଥିଲା। ଭୁଟାନର ଏପରି ନିବେଦନକୁ ଚୀନର ପ୍ରତିନିଧି ବିରୋଧ କରିଥିଲେ। ଚୀନ କହିଥିଲା ଯେ ସାକତେଙ୍ଗ ଅଭୟାରଣ୍ୟ ଏକ ବିବାଦୀୟ ଅଞ୍ଚଳ ହୋଇଥିବାରୁ ଏହାର ଉନ୍ନତି ପାଇଁ ଆନ୍ତର୍ଜାତିକ ସଂଗଠନ ପାଣ୍ଠି ଯୋଗାଇବା ଠିକ୍‍ ନୁହେଁ। ୬୫୦ବର୍ଗ କିମି ଅଭୟାରଣ୍ୟ ଉପରେ ନିଜର ଅଧିକାର ରହିଥିବା ଚୀନ ଦାବି କରିଥିଲା। ଚୀନର ଏପରି ଦାବିକୁ ନେଇ ଭୁଟାନ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ଚୀନର ଦାବିକୁ ଭୁଟାନ ଏହାର ଦିଲ୍ଲୀସ୍ଥିତ ଦୂତାବାସ ମାଧ୍ୟମରେ ବିରୋଧ କରିଥିଲା। ଭୁଟାନ ନିଜର ଅସନ୍ତୋଷ ନୂଆଦିଲ୍ଲୀସ୍ଥିତ ଚୀନ ଦୂତାବାସକୁ ଜଣାଇଛି।

ଭୁଟାନ ଓ ଚୀନ ପରସ୍ପର ନୂଆଦିଲ୍ଲୀ ଦୂତାବାସ ମାଧ୍ୟମରେ ଯୋଗାଯୋଗ କରିଥାନ୍ତି। ଚୀନ ଓ ଭୁଟାନ ନିଜର ସୀମା ବିବାଦ ସମାଧାନ ପାଇଁ ୨୪ଥର କଥାବାର୍ତ୍ତା କରିସାରିଲେଣି। ଭୁଟାନର ପଶ୍ଚିମାଞ୍ଚଳରେ ଥିବା ଡୋକଲାମ, ଡ୍ରାମନା ଓ ସାଖାତୋକୁ ଅଧିକାର କରିବା ଲାଗି ଚୀନ ଗତ ୨୦ବର୍ଷ ହେଲା ଯୋଜନା ଚଳାଇଛି। ପଶ୍ଚିମାଞ୍ଚଳର ୨୬୯ ବର୍ଗ କିମି ବଦଳରେ ଭୁଟାନର ପାସାମଲୁଙ୍ଗ ଓ ଜାକରଲୁଙ୍ଗ ଉପରେ ଚୀନ ନିଜର ଅଧିକାରକୁ ଛାଡିବ ବୋଲି ସର୍ତ୍ତ ରଖିଛି। ସାକତେଙ୍ଗ ଅଭୟାରଣ୍ୟ ଦେଇ ଭାରତ ରାସ୍ତା ନିର୍ମାଣ କରିବାର ପ୍ରସ୍ତାବ ଦେଇଥିବାବେଳେ ଭୁଟାନ ଏହା ଉପରେ ନିଷ୍ପତ୍ତି ନେଇନାହିଁ। ଏହି ରାସ୍ତା ତିଆରି ଦ୍ୱାରା ଆସାମର ଗୁଆହାଟି ଓ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ମଧ୍ୟରେ ୪୫୦ କିମିର ଦୂରତା ହ୍ରାସ ପାଇବ।

Comments are closed.