ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ : ଶୁଳ୍କ ବୃଦ୍ଧି ହେଲେ ଠିକଣା ଜବାବ ଦେବାକୁ ଚୀନର ଧମକ

ୱାଶିଂଟନ : ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧର ଅବସାନ ପାଇଁ ୱାଶିଂଟନଠାରେ ଗୁରୁବାର ରାତି ଓ ଶୁକ୍ରବାର ଦିନ ଗୁରୁତ୍ୱପୂର୍ଣ୍ଣ ଏକାଦଶ ପର୍ଯ୍ୟାୟ ଆଲୋଚନା ନେଇ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଛି। ତେବେ ଆମେରିକା ଯଦି ୨୦ହଜାର କୋଟି ଡଲାର ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରେ ତାହେଲେ ଚୀନ ଏହାର ଠିକଣା ଜବାବ ଦେବାକୁ ଧମକ ଦେଇଛି । ବିଳମ୍ବିତ ରାତ୍ରିରେ କରାଯାଇଥିବା ଏକ ଘୋଷଣାରେ ଚୀନ ବାଣିଜ୍ୟ ମନ୍ତ୍ରଣାଳୟ
କହିଛି, ଆମେରିକା ଯେଭଳି ପଦକ୍ଷେପ ନେବ ଚୀନ୍ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବ।
ଅନ୍ୟପକ୍ଷରେ ପୂର୍ବ ଆଲୋଚନାଗୁଡ଼ିକରେ ହୋଇଥିବା ସହମତିରୁ ଚୀନ ଓହରି ଯାଉଥିବା ଆମେରିକା ଦୋଷାରୋପ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିବା ପରେ ଦୁଇଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଲାଗି ରହିଛି।