ଚାଇନାର ହାଇପର ସୋନିକ କ୍ଷେପଣାସ୍ତ୍ର ପରୀକ୍ଷା

ବେଜିଂ: ପୃଥିବୀର ଅନେକ ସ୍ଥାନକୁ ପହଞ୍ଚିପାରୁଥିବା ଏକ ହାଇପର ସୋନିକ କ୍ଷେପଣାସ୍ତ୍ର ଚାଇନା ପରୀକ୍ଷା କରିଛି । ଗତ ଅଗଷ୍ଟ ମାସରେ ଏହି ପରୀକ୍ଷା କରାଯାଇଥିଲେ ମଧ୍ୟ ଚାଇନା ତାହାକୁ ଗୁପ୍ତ ରଖିଥିଲା । ସଂପ୍ରତି ଏହି ବିଷୟ ସର୍ବସମ୍ମୁଖକୁ ଆସିଛି । ଜଣାଯାଇଛି ଯେ ଏହି କ୍ଷେପଣାସ୍ତ୍ର କମ୍‍ ଉଚ୍ଚତାରେ ପୃଥିବୀକୁ ପରିକ୍ରମା କରିବା ପରେ ତାହାର ଲକ୍ଷ୍ୟସ୍ଥଳ ଆଡକୁ ଅଗ୍ରସର ହୋଇଥିଲା । ଏହି ପରୀକ୍ଷା ସମ୍ପର୍କରେ ଅବଗତ ଥିବା ଏକାଧିକ ସୂତ୍ରକୁ ଉଦ୍ଧାର କରି ଫାଇନାନ୍ସିଆଲ ଟାଇମ୍ସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏହି କ୍ଷେପଣାସ୍ତ୍ର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସମର୍ଥ । ଏହା ପୃଥିବୀକୁ ପରିକ୍ରମା କରିବା ପରେ ତାହାର ଲକ୍ଷ୍ୟସ୍ଥଳ ଆଡକୁ ଅଗ୍ରସର ହୋଇଥିଲା । ତେବେ ତିନିଟି ସୂତ୍ରରୁ କୁହାଯାଇଛି ଯେ ଏହା ଲକ୍ଷ୍ୟସ୍ଥଳର ୩୨ କିଲୋମିଟର ପୂର୍ବରୁ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା । ଏହି ସୂତ୍ରରୁ କୁହାଯାଇଛି ଯେ ଚାଇନାର ଏହି ହାଇପର ସୋନିକ ଗ୍ଲାଇଡ ଭେଇକଲକୁ ଏକ ଲଙ୍ଗ ମାର୍ଚ୍ଚ ରକେଟ ଜରିଆରେ ପ୍ରକ୍ଷେପଣ କରାଯାଇଥିଲା । ହାଇପର ସୋନିକ ଯୁଦ୍ଧାସ୍ତ୍ର ନିର୍ମାଣ କ୍ଷେତ୍ରରେ ଚାଇନାର ଏଭଳି ଅଗ୍ରଗତି ଆମେରିକାର ଗୁଇନ୍ଦା ବିଭାଗକୁ ଆଶ୍ଚର୍ଯ୍ୟ କରିଦେଇଛି । ଚାଇନା ସମେତ ଆମେରିକା, ରୁଷ ଏବଂ ଅନ୍ୟ ପାଞ୍ଚଟି ରାଷ୍ଟ୍ର ସଂପ୍ରତି ହାଇପର ସୋନିକ ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛନ୍ତି । ହାଇପର ସୋନିକ କ୍ଷେପଣାସ୍ତ୍ର, ପାରମ୍ପରିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଭଳି ପରମାଣୁ ଯୁଦ୍ଧାସ୍ତ୍ର ବହନ କରି ତାହା ଲକ୍ଷ୍ୟଭେଦ କରିପାରିବ, ତେବେ ଏହା ଶବ୍ଦ ଠାରୁ ୫ଗୁଣ ଅଧିକ ବେଗରେ ଗତି କରିଥାଏ । ବାଲିଷ୍ଟିକ କ୍ଷେପଣାସ୍ତ୍ରଗୁଡିକ ମହାକାଶରେ ସୁଉଚ୍ଚକୁ ବକ୍ର ଭାବରେ ଉଠିବା ପରେ ତାହାର ଲକ୍ଷ୍ୟଭେଦ କରିଥାଏ, କିନ୍ତୁ ହାଇପର ସୋନିକ କ୍ଷେପଣାସ୍ତ୍ର ବାୟୁମଣ୍ଡଳ ମଧ୍ୟରେ କମ୍‍ ଉଚ୍ଚତାରେ ଉଡାଣ କରି ଖୁବ ଶୀଘ୍ର ତାହାର ଲକ୍ଷ୍ୟଭେଦ କରିବାକୁ ସମର୍ଥ । ଏହାକୁ ରାଡାରରେ ଠାବ କରିବା ଅଥବା ଏହାର ମୁକାବିଲା କରିବା କଷ୍ଟକର । ଆମେରିକା ଭଳି ରାଷ୍ଟ୍ର କ୍ରୁଜ ଓ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ପ୍ରତିହତ କରିବା ବ୍ୟବସ୍ଥାର ବିକାଶ କରିଥିବାବେଳେ ହାଇପର ସୋନିକ କ୍ଷେପଣାସ୍ତ୍ରକୁ ଠାବକରି ତାହାକୁ ନିଷ୍କ୍ରିୟ କରିବାର ସାମର୍ଥ୍ୟ ଏବେ ମଧ୍ୟ ଏହି ରାଷ୍ଟ୍ରଗୁଡିକ ପାଇଁ ପ୍ରଶ୍ନବାଚୀ ହୋଇ ରହିଛି ।

Comments are closed.