ମରୁଭୂମିରେ ଚୀନ୍‌ର ଶତାଧିକ ‘ସିଲୋ’

ନୂଆାଦିଲ୍ଲୀ: ଚୀନ୍‌ ଏହାର ଗାନ୍‌ସୁ ପ୍ରଦେଶ ଅନ୍ତର୍ଗତ ମରୁଭୂମି ସହର ୟୁମେନ୍‌ ନିକଟରେ ଅନ୍ତର୍ମହାଦେଶୀୟ ଆଣବିକ କ୍ଷେପଣାସ୍ତ୍ର ମୁତୟନ ପାଇଁ ୧୦୦ଟି ‘ସିଲୋ’ ବା କ୍ଷେପଣାସ୍ତ୍ର ମହଜୁଦ ରଖିବା କଣ୍ଟେନର ନିର୍ମାଣ କରୁଛି। ଏତଦ୍‌ବ୍ୟତୀତ ଆଉ କିଛି ସ୍ଥାନରେ ୧୧୯ଟି ଭିନ୍ନଭିନ୍ନ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରଖିଛି; ତେଣୁ ପ୍ରାୟ ୧୪୫ଟି ସିଲୋ ନିର୍ମାଣ କରାଯାଉଥିବା ଅନୁମାନ କରାଯାଉଛି। ପ୍ରତି ନିର୍ମାଣସ୍ଥଳୀ ମଧ୍ୟରେ ପ୍ରାୟ ଦୁଇ ମାଇଲ ବ୍ୟବଧାନ ରହିଛି। ପ୍ରତ୍ୟେକକୁ ଗମ୍ବୁଜାକୃତି ଭାବେ ଘୋଡ଼ାଇ ରଖାଯାଇଛି। ଏଠାରେ ଆଇସିବିଏମ୍‌ ଡିଏଫ୍‌-୪୧ କ୍ଷେପଣାସ୍ତ୍ର ମହଜୁଦ ରଖାଯିବ ବୋଲି ଅନୁମାନ କରାଯାଉଛି।

ଏହି କ୍ଷେପଣାସ୍ତ୍ର ୯୩୦୦ ମାଇଲ ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରେ। ଉପଗ୍ରହ ଚିତ୍ରକୁ ବିଶ୍ଳେଷଣ କରି ଆମେରିକାର ‘ୱାଶିଂଟନ ପୋଷ୍ଟ’ ଖବରକାଗଜ ଏହି ସୂଚନା ଦେଇଛି। ‘ଜେମ୍ସ ମାର୍ଟିନ ସେଣ୍ଟର ଫର ନନ୍‌ପ୍ରୋଲିଫରେସନ ଷ୍ଟଡିଜ୍’ ଦ୍ବାରା ଉପଗ୍ରହ ଚିତ୍ରଗୁଡ଼ିକର ବିଶ୍ଲେଷଣକୁ ଆଧାର କରି ଏହି ସ୍ବତନ୍ତ୍ର ଖବର ପ୍ରକାଶ କରାଯାଇଛି। ଏହା ମାଧ୍ୟମରେ ଚୀନ୍‌ ସମ୍ପୃକ୍ତ ଅଞ୍ଚଳରେ ଆଣବିକ କାର୍ଯ୍ୟକ୍ରମକୁ ବିସ୍ତାର କରୁଥିବା ଓ ଏହା ଭାରତ ପ୍ରତି ଅଭିପ୍ରେତ ବୋଲି ଏଥିରେ ଉଲ୍ଲେଖ ରହିଛି। ପ୍ରଥମେ ଗତ ଫେବୃଆରୀରେ ଫେଡେରେସନ ଅଫ ଆମେରିକାନ ସାଇଣ୍ଟିଷ୍ଟସ୍‌ ଏ ନେଇ ସନ୍ଦେହ ପ୍ରକାଶ କରିବା ପରେ ବିସ୍ତୃତ ବିଶ୍ଳେଷଣ କରାଯାଇଥିଲା। ଏହାଦ୍ବାରା ଚୀନ୍‌ ସେନାରେ ସ୍ବତନ୍ତ୍ର ‘କ୍ଷେପଣାସ୍ତ୍ର ରେଜିମେଣ୍ଟ’ ଗଠନ କରାଯାଉଥିବା ଏବଂ ନିଜର ଆଣବିକ କ୍ଷମତା ବିସ୍ତାର ସହ ଆମେରିକୀୟ କ୍ଷେପଣାସ୍ତ୍ରର ପ୍ରତିରୋଧ କ୍ଷମତା ହାସଲ କରିବାକୁ ଚୀନ୍‌ ଯୋଜନା ଚଳାଇଥିବା ସ୍ପଷ୍ଟ ହୋଇଛି। ସମ୍ପ୍ରତି ଚୀନ୍‌ ପାଖରେ ୨୫୦ରୁ ୩୫୦ ପର୍ଯ୍ୟନ୍ତ ଆଣବିକ ଅସ୍ତ୍ରଶସ୍ତ୍ର ରହିଛି।

Comments are closed.