ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ବଦଳିଲା ଚୀନର ସ୍ୱର

0

ନୂଆଦିଲ୍ଲୀ : କାଶ୍ମୀରକୁ ନେଇ ପ୍ରଥମଥର ଲାଗି ଚୀନର ସ୍ୱର ବଦଳିଛି। ଏଠାକାର ସରକାରଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମ ସିଜିଟିଏନ୍‍ ଟେଲିଭିଜନ ପାକ୍‍ ଅଧିକୃତ କାଶ୍ମୀର (ପିଓକେ)କୁ ପାକିସ୍ତାନ ମାନଚିତ୍ରରୁ ବାଦ ଦେଇ ଭାରତୀୟ କ୍ଷେତ୍ର ଭାବେ ଦର୍ଶାଇଛି। ଗତ ସପ୍ତାହରେ କରାଚୀ ସ୍ଥିତ ଏହାର ଦୂତାବାସ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ଚୀନ ପାକିସ୍ତାନକୁ ନିଜର ଅସନ୍ତୋଷ ଜଣାଇବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ଚୀନ ସରକାରଙ୍କ ଜ୍ଞାତସାରରେ ଏଭଳି ମାନଚିତ୍ର ପ୍ରକାଶ ପାଇଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ପ୍ରମୁଖ ଇଂଲିଶ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ସିଜିଟିଏନ୍‍ ମାନଚିତ୍ର ପ୍ରକାଶ ପାଇଁ ଏକ ସ୍ଥାୟୀ ସଂରଞ୍ଚନା ବ୍ୟବହାର କରିଥାଏ। ଏପରିକି ଏହା ସହିତ କୌଣସି ପ୍ରକାରର ପରିବର୍ତ୍ତନ କରିବାକୁ ସିଜିଟିଏନ୍‍ର କର୍ମଚାରୀମାନଙ୍କୁ ମଧ୍ୟ ଅନୁମତି ନ ଥାଏ। ଏହି ଦୃଷ୍ଟିକୋଣରୁ ପିଓକେକୁ ବାଦ ଦେଇ ପାକିସ୍ତାନ ମାନଚିତ୍ର ପ୍ରକାଶ କରିବାର ନିଷ୍ପତ୍ତି ଚୀନ ସରକାରଙ୍କ ଉଚ୍ଚ ଅଧିକାରୀ ପ୍ରଦାନ କରିଥାଇପାରନ୍ତି ବୋଲି କୁହାଯାଉଛି। ସ୍ୱଦେଶ ଏବଂ ଅନ୍ତର୍ଜାତୀୟ ନୀତିରେ ପରିବର୍ତ୍ତନ ପୂର୍ବରୁ କୌଣସି ପ୍ରସଙ୍ଗରେ ପ୍ରତିକ୍ରୟାଗୁଡିକୁ ତର୍ଜମା କରିବା ନିମନ୍ତେ ବେଜିଂ ଏହି ଗଣମାଧ୍ୟମକୁ ଏହାର ପରୀକ୍ଷାଗାର ଭାବେ ବ୍ୟବହାର କରିଥାଏ। ପିଓକେକୁ ବାଦ୍‍ ଦେବା ନିଷ୍ପତ୍ତି ପାକିସ୍ତାନର ପ୍ରତିକ୍ରିୟାକୁ ତଉଲିବା ଦିଗରେ ଚୀନର ଏଭଳି ପଦକ୍ଷେପ। କିନ୍ତୁ ଏହା ଉପରେ ପାକିସ୍ତାନ ଏଯାବତ୍‍ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିବା ଜଣାପଡିଛି।
ଅନ୍ୟପଟେ ଡିସେମ୍ବର ୧୦ରେ ଭାରତ ଓ ଚୀନର ମିଳିତ ସାମରାଭ୍ୟାସର ଠିକ ଦୁଇ ସପ୍ତାହ ପୂର୍ବରୁ ସିଜିଟିଏନ୍‍ରେ ଏଭଳି ମାନଚିତ୍ର ପ୍ରକାଶ ପାଇବା ଗୁରୁତ୍ୱ ବହନ କରେ। ଏହି ମାନଚିତ୍ର ପ୍ରକାଶ କରି ଚୀନ୍‍ ଏହାର ବୈଦେଶିକ ନୀତିରେ ପରିବର୍ତ୍ତନ କରିଛି ବୋଲି ନ ଭାବିବାକୁ ଗଣମାଧ୍ୟମ ପକ୍ଷରୁ ଚେତାବନୀ ଦିଆଯାଇଛି। ପାକିସ୍ତାନ ମାନଚିତ୍ରରୁ ପିଓକେକୁ ବାଦ୍‍ ଦେବା ଦ୍ୱାରା ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଉପରେ ପ୍ରଭାବ ପଡିବାର ଆଶଙ୍କା ରହିଛି। ଏହି କରିଡର ପିଓକେ ମଧ୍ୟ ଦେଇ ଅତିକ୍ରମ କରିବାର ଯୋଜନା ରହିଥିବା ବେଳେ ଏହା ଭାରତର ସର୍ବଭୌମତ୍ୱ ବିରୋଧୀ ହେବ। ଏଣୁ ନୂଆଦିଲ୍ଲୀ ଏହା ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଆସିଛି। ପୂର୍ବରୁ କେବେବି ଚୀନ୍‍ ପିଓକେକୁ ଏଭଳି ଭାବେ ଭାରତୀୟ କ୍ଷେତ୍ର ବୋଲି ଦର୍ଶାଇ ନ ଥିଲା। ମାନଚିତ୍ରକୁ ଚୀନ ଖୁବ୍‍ ଗୁରୁତ୍ୱ ପ୍ରଦାନ କରିଥାଏ। ଏଣୁ ଚୀନ ସରକାରଙ୍କ ଦ୍ୱାରା ଜାରି ମାନଚିତ୍ରଠାରୁ ଭିନ୍ନ ମାନଚିତ୍ର ପ୍ରକାଶ ପାଇଥିବା ପୁସ୍ତକ ଏବଂ ପତ୍ରିକାଗୁଡିକୁ ଏଠାରେ ନିଷେଧ କରାଯାଇଛି।

Leave A Reply