ଭାରତୀୟ ଅଞ୍ଚଳ ବନ୍ଧକ ରଖି ଚୀନଠାରୁ ୨ ବିଲିଅନ ଡ଼ଲାର ଋଣ ଆଣିବ ପାକିସ୍ଥାନ!

ଇସଲାମାବାଦ: ଚୀନଠାରୁ ୨ ବିଲିଅନ ଡ଼ଲାର ଋଣ ପାଇଁ ପାକ୍ ଅଧିକୃତ କାଶ୍ମୀର (ପିଓକେ)ର ବେଲୁଚିସ୍ଥାନ ଓ ଗିଲଗିଟ୍ ଅଞ୍ଚଳକୁ ବନ୍ଧା ଦେଇପାରେ ପାକିସ୍ଥାନ ।   ଚୀନ ସର୍ତ ରଖିଛି ଯେ ପାକିସ୍ଥାନକୁ ସେ ୨ ବିଲିଅନ ଡ଼ଲାର ଋଣ ଦେବାକୁ ରାଜି, ମାତ୍ର ଏହା ବଦଳରେ ତାକୁ ପିଓକେର ଗିଲଗିଟ୍ ଓ ବେଲୁଚିସ୍ଥାନକୁ ଦେବାକୁ ପଡ଼ିବ । କେବଳ ସେତିକି ନୁହେଁ ସାଉଦୀ ଆରବର ଋଣ ପରିଶୋଧ ନିମନ୍ତେ ଚୀନଠାରୁ ପାକିସ୍ଥାନ ଆଣିଥିବା ୧ ବିଲିଆନ ଡ଼ଲାର ଋଣ ସମୟରେ ମଧ୍ୟ ଚୀନ ଅନୁରୂପ ସର୍ତ ରଖିଥିଲା । ତେବେ ଏ ସମ୍ପର୍କରେ ପାକିସ୍ଥାନର ଇମ୍ରାନ ସରକାର କୌଣସି ସ୍ପଷ୍ଟ କରିନାହାନ୍ତି କିମ୍ବା ଚୀନ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ କ୍ୟୁରେସୀ କୌଣସି ମନ୍ତବ୍ୟ ଦେଇନାହାନ୍ତି ।

ପାକ୍ ଅଧିକୃତ କାଶ୍ମୀରର ଗିଲଗିଟ୍-ବେଲୁଚିସ୍ଥାନ ସୀମା ପଶ୍ଚିମରେ ଖୈବର-ପଖତୁନସ୍ଖାରୁ ଆରମ୍ଭ ହୋଇ ଉତ୍ତରରରେ ଆଫଗାନୀସ୍ଥାନର ବାଖାନ କରିଡ଼ର, ଉତ୍ତରପୂର୍ବାଞ୍ଚଳରେ ଚୀନର ସିଂଜିୟାଙ୍ଗ, ଦକ୍ଷିଣରେ ପାକ୍ ଅଧିକୃତ କାଶ୍ମୀର ଓ ଦକ୍ଷିଣପୂର୍ବରେ ଭାରତର ଜାମ୍ମୁକାଶ୍ମୀର-ଲାଦାଖ ସହ ସଂଯୁକ୍ତ । ଏହାର ଆକାର ୭୨୯୭୧ ବର୍ଗ କିଲୋମିଟର ଓ ଏହି ଅଞ୍ଚଳର ଜନସଂଖ୍ୟା ପ୍ରାୟ ୧୦ ଲକ୍ଷ । ଗିଲଗିଟ୍ ଏହାର ପ୍ରଶାସନିକ ମୁଖ୍ୟଦପ୍ତର ଓ ଏଠାରେ ପ୍ରାୟ ଅଢ଼େଇ ଲକ୍ଷ ଲୋକ ବସବାସ କରୁଛନ୍ତି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କର ସ୍ବପ୍ନର ପ୍ରକଳ୍ପ ଚୀନ-ପାକିସ୍ଥାନ ଇକୋନୋମିକ କରିଡ଼ର (ସିପିଇସି) ଏହି ଅଞ୍ଚଳ ଦେଇ ଅତିକ୍ରମ କରିବ । ତେଣୁ ଏହି ବିବାଦୀୟ ଅଞ୍ଚଳକୁ ଦଖଲ କରି ନିଜର ସିପିଇସିକୁ ପୂର୍ଣ୍ଣ କରିବାକୁ ଚୀନ ଚାହୁଁଛି ବୋଲି ସୂଚନା ମିଳିଛି ।

ଗିଲଗିଟ୍ ଓ ବେଲୁଚିସ୍ଥାନ ପାକ୍ ଅଧିକୃତ କାଶ୍ମୀରର ସେହି ଅଂଶବିଶେଷ ଯାହା ଉପରେ ଭାରତ ମଧ୍ୟ ନିଜର ଅଧିକାର ସାବ୍ୟସ୍ତ କରୁଛି । ଗତବର୍ଷ ଗିଲଗିଟ୍ ଓ ବେଲୁଚିସ୍ଥାନ ପ୍ରସଙ୍ଗରେ ଭାରତ ପାକିସ୍ଥାନକୁ ଚେତାବନୀ ଦେଇଥିଲା । ଭାରତ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ଥାନକୁ ଏହି ଅଞ୍ଚଳ ଖାଲି କରିଦେବାକୁ କୁହାଯାଇଥିଲା ।

ଭାରତ ପକ୍ଷରୁ କୁହାଯାଇଥିଲା ଯେ ଜାମ୍ମୁକାଶ୍ମୀର ଓ ଲାଦାଖର ପୁରା ଅଞ୍ଚଳରେ ଗିଲଗିଟ୍ ଓ ବେଲୁଚିସ୍ଥାନର ଏକ ଅଂଶ ମଧ୍ୟ ଆସୁଛି । ଏହା ଭାରତର ଅଞ୍ଚଳ ଓ ଏହା ଉପରେ ଭାରତର ଅଧିକାର ରହିଛି ।  ୧୯୯୪ ମସିହାରେ ସଂସଦରେ ସର୍ବସମ୍ମତ ଭାବରେ ପାସ ହୋଇଛି । ତେଣୁ ଏଠାରେ କୌଣସି ପ୍ରକାର ହରକତ ଗ୍ରହଣଯୋଗ୍ୟ ହେବ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଥିଲା । ମାତ୍ର ୨୦୦୯ ମସିହାରେ ପାକିସ୍ଥାନ ସରକାର  ଗିଲଗିଟ୍ ଓ ବେଲୁଚିସ୍ଥାନ ଏମ୍ପାୱାରମେଣ୍ଟ ଏଣ୍ଡ ସେଲ୍ଫ ଗଭର୍ଣ୍ଣାସ ଅର୍ଡ଼ର ପାସ କରି ଏହି ଅଞ୍ଚଳ ନିଜର ବୋଲି କହିଥିଲା ।

Comments are closed.