ପୁଣି ଆଭିମୁଖ୍ୟ ବଦଳାଇଲା ଚୀନ; ଗୋଗ୍ରା ଓ ହଟ୍‌ ସ୍ପ୍ରିଙ୍ଗ୍‌ସ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ମନା କଲା

ଭାରତ ଏବଂ ଚୀନ ମଧ୍ୟରେ ସୀମାରେ ଉତ୍ତେଜନା ହ୍ରାସ କରିବା ଲାଗି ଉଦ୍ୟମ ଚାଲିଛି। ଏଥିପାଇଁ ଦୁଇ ଦେଶ ମଧ୍ୟରେ ସୈନ୍ୟ ସ୍ତରୀୟ ଆଲୋଚନା ଜାରି ରହିଛି। ପୂର୍ବ ଲଦାଖର କିଛି ସ୍ଥାନରୁ ଚୀନ ଏବଂ ଭାରତ ନିଜ ସୈନ୍ୟଙ୍କୁ ପଛକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏବେ ପୁଣି ଚୀନ ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଛି। ପୂର୍ବ ଲଦାଖର ଗୋଗ୍ରା ଏବଂ ହଟ୍‌ ସ୍ପ୍ରିଙ୍ଗ୍‌ସ ଅଞ୍ଚଳରୁ ନିଜ ସୈନ୍ୟ ଏବଂ ଯୁଦ୍ଧ ଯାନ ହଟାଇବା ଲାଗି ମନା କରିଦେଇଛି।

ଗତ ଫେବୃୟାରୀରେ ଦୁଇ ଦେଶ ପେନ୍‌ଗୋଙ୍ଗ ହ୍ରଦ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ସହମତି ନେଇଥିବାବେଳେ ଏବେ ଚୀନ ତା’ର ଆଭିମୁଖ୍ୟ ବଦଳାଇଥିବା ଏହି ଘଟଣା ସ୍ପଷ୍ଟ ହୋଇଛି। ଗତକାଲି ଭାରତ-ଚୀନ ମଧ୍ୟରେ ୧୧ତମ ସୈନ୍ୟ ସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ଚୀନ ନରମ ଆଭିମୁଖ୍ୟ ଦେଖାଇବା ବଦଳରେ କଠୋର ଆଭିମୁଖ୍ୟ ଦେଖାଇଥିବା ସୂଚନା ମିଳିଛି।

ଦୁଇ ଦେଶ ମଧ୍ୟରେ ୧୧ ତମ ବୈଠକ ପ୍ରାୟ ୧୩ ଘଣ୍ଟା ଧରି ଚାଲିଥିଲା। ପେନ୍‌ଗୋଙ୍ଗ ହ୍ରଦ ନିକଟରୁ ସୈନ୍ୟ ପ୍ରତ୍ୟାହାର ନେଇ ଉଭୟ ଦେଶ ନିଷ୍ପତ୍ତି ନେବା ପରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଥିଲା। କିନ୍ତୁ ଏଥିରୁ କୌଣସି ସକାରାତ୍ମକ ଫଳାଫଳ ମିଳିନାହିଁ।

Comments are closed.