ତୃତୀୟ ଥର ରାଷ୍ଟ୍ରପତି ହେବେ ଜିନପିଙ୍ଗ୍‌

ବେଜିଂ: ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ତୃତୀୟଥର ରାଷ୍ଟ୍ରପତି ହେବା ରାସ୍ତା ସଫା ହୋଇଛି। ଚୀନ୍‌ର ଶାସନ ଦାୟିତ୍ବରେ ଥିବା କମ୍ୟୁନିଷ୍ଟ ପାର୍ଟି ତରଫରୁ ଆଗାମୀ ଦଳୀୟ କଂଗ୍ରେସ (ବୈଠକ) ନିମନ୍ତେ ଜିନପିଙ୍ଗ୍‌ଙ୍କୁ ସର୍ବସମ୍ମତିକ୍ରମେ ପ୍ରତିନିଧି ମନୋନୀତ କରିଛି। ୫ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି) କଂଗ୍ରେସର ଆଗାମୀ ସଂସ୍କରଣ ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି। ଶୁକ୍ରବାର ଗୁଆଞ୍ଜି କମ୍ୟୁନିଷ୍ଟ ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରସ୍ତାବିତ ୨୦ତମ ଜାତୀୟ କଂଗ୍ରେସ ନିମନ୍ତେ ଜିନପିଙ୍ଗ୍‌ଙ୍କୁ ପ୍ରତିନିଧି ଭାବେ ସର୍ବସମ୍ମତ ସ୍ବୀକୃତି ମିଳିଥିଲା। ଚଳିତବର୍ଷ ଜିନପିଙ୍ଗ୍‌ ରାଷ୍ଟ୍ରପତି ଭାବେ ୧୦ ବର୍ଷ ପୂରଣ କରିବାକୁ ଯାଉଛନ୍ତି। ତାଙ୍କ ପୂର୍ବରୁ ଥିବା ସମସ୍ତ ରାଷ୍ଟ୍ରପତି ଦୁଇଥର ପରେ କ୍ଷମତାତ୍ୟାଗ କରିଥିବାବେଳେ ଜିନପିଙ୍ଗ୍‌ ତୃତୀୟଥର ରାଷ୍ଟ୍ରପତି ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଗତବର୍ଷ ନଭେମ୍ବରରେ ଅନୁଷ୍ଠିତ ସିପିସିରେ ଜିନପିଙ୍ଗ୍‌ଙ୍କୁ ଦେଶର ରାଜନୈତିକ କ୍ଷେତ୍ରରେ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଥିଲା। ତାହାକୁ ଦୃଷ୍ଟିରେ ରଖି ସେ ତୃତୀୟଥର ପାଇଁ ଚୀନ୍‌ର ରାଷ୍ଟ୍ରପତି ହେବେ ବୋଲି ସୂଚନା ମିଳିସାରିଥିଲା, ଯାହାକି ଶୁକ୍ରବାର ଅନୁଷ୍ଠିତ ବୈଠକ ପରେ ସ୍ପଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ଚୀନ୍‌ କ୍ଷମତାକେନ୍ଦ୍ରର ଜିନପିଙ୍ଗ୍‌ଙ୍କ ପ​‌େ​‌ର ଦ୍ବିତୀୟ ସ୍ଥାନ ଥିବା ଲି କେକ୍ବିଆଙ୍ଗ୍‌ ନିଜ କାର୍ଯ୍ୟକାଳ ଶେଷ ହେବା ପରେ ପଦ ଛାଡ଼ିବେ ବୋଲି ଘୋଷଣା କରି ସାରିଛନ୍ତି।

Comments are closed.