ଚୀନ୍‍ ସହାୟତାରେ ପାକିସ୍ତାନର ୨ଉପଗ୍ରହ ପ୍ରେରଣ

0

ଇସଲାମାବାଦ : ଭାରତ ଉପରେ ନଜର ରଖିବା ଉଦ୍ଦେଶ୍ୟରେ ପାକିସ୍ତାନକୁ ସହାୟତା କଲା ଭଳି ମହାକାଶକୁ ଦୁଇଟି ରିମୋଟ ସେନ୍ସିଂ ଉପଗ୍ରହ ପ୍ରେରଣ କରିଛି ଚୀନ୍‍। ସୋମବାର ଚୀନ୍‍ର ଉତ୍ତର-ପଶ୍ଚିମାଞ୍ଚଳରେ ଅବସ୍ଥିତ ଜିଉକାନ୍‍ ଉପଗ୍ରହ ପ୍ରେରଣ କେନ୍ଦ୍ରରୁ ଏହାର ଉତ୍‍କ୍ଷେପଣ କରାଯାଇଛି। ଚୀନ୍‍ ରକେଟ ଲଙ୍ଗ୍‍ ମାର୍ଚ୍ଚ-୨ସି ମାଧ୍ୟମରେ ପାକିସ୍ତାନ ରିମୋଟ ସେନ୍ସିଂ ସାଟେଲାଇଟ୍‍ ବା ପିଆରଏସ୍‍ଏସ୍‍-୧ ଓ ପାକ୍‍ଟେସ୍‍-୧ଏ ନାମରେ ଏହି ଦୁଇ ଉପଗ୍ରହ ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ମୁକାବିଲା ପାଇଁ ଅଭିପ୍ରେତ। ତେବେ ଏହି ଉପଗ୍ରହ ପାକିସ୍ତାନର ଅର୍ଥନୀତିକୁ ସୁଧାରିବାରେ ସହାୟକ ହେବ ବୋଲି କୁହାଯାଉଛି। ଚୀନ୍‍-ପାକିସ୍ତାନ ମହାକାଶ ସହଯୋଗ ଭିତ୍ତିରେ ୨୦୧୧ରେ ପ୍ରଥମ କରି ପାକ୍‍ଷ୍ଟାର-୧ଆର ଯୋଗାଯୋଗ ଉପଗ୍ରହ ପ୍ରେରଣ କରାଯାଇଥିଲା।
ସୂଚନାନୁଯାୟୀ, ପ୍ରେସ୍‍-୧ ଉପଗ୍ରହ ପୃଥିବୀ ପୃଷ୍ଠର ଭୂଭାଗରେ ନିହିତ ସମ୍ପଦ ସମ୍ପର୍କରେ ସର୍ବେକ୍ଷଣ କରିବ। ଏହାଛଡ଼ା ପାଣିପାଗ ଓ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ଦେବ। କୃଷି ଓ ନଗରାଞ୍ଚଳ ପ୍ରକଳ୍ପ ଆଦି ବାବଦରେ ରିମୋଟ ସେନ୍ସିଂ ବ୍ୟବସ୍ଥାରେ ତଥ୍ୟ ପ୍ରଦାନ କରିବ। ବିଶେଷ ଭାବେ ଚୀନ୍‍ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ‘ବେଲ୍ଟ ଏଣ୍ଡ ରୋଡ’ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେବା ସହ ଭାରତର ଗତିବିଧି ଉପରେ ନଜର ରଖିବ। ଏହା ମହାକାଶରେ ୭ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ। ଏଥିରେ ଖଞ୍ଜା ଯାଇଥିବା ଦୁଇଟି ସ୍ୱତନ୍ତ୍ର କ୍ୟାମେରା ୬୦କିମି ଅଞ୍ଚଳ ଉପରେ ନଜର ରଖିପାରିବ।
ପାକ୍‍ଟେସ୍‍-୧ଏ ଉପଗ୍ରହ ଚୀନ୍‍ ମାର୍ଗଦର୍ଶନରେ ପାକିସ୍ତାନର ସ୍ପେସ୍‍ ଏଣ୍ଡ ଅପର ଆଟ୍‍ମୋସ୍‍ଫିୟର ରିସର୍ଚ୍ଚ କମିସନ୍‍ (ସୁପରକୋ) ଦ୍ୱାରା ବିକଶିତ ହୋଇଥିଲାବେଳେ ପ୍ରେସ୍‍-୧ ସମ୍ପୂର୍ଣ୍ଣ ଭାବେ ଚୀନ୍‍ ଦ୍ୱାରା ନିର୍ମିତ। ପ୍ରଥମ ଅପ୍ଟିକାଲ ରିମୋଟ ସେନ୍ସିଂ ଉପଗ୍ରହ ଭାବେ ପାକିସ୍ତାନକୁ ଚୀନ୍‍ ପ୍ରେସ୍‍-୧ ବିକ୍ରୟ କରିଛି। ଏହା ହେଉଛି ବିଦେଶୀ କ୍ରେତାଙ୍କ ପାଇଁ ଚାଇନା ଏକାଡେମି ଅଫ ସ୍ପେସ୍‍ ଟେକ୍‍ନୋଲଜି ଦ୍ୱାରା ନିର୍ମିତ ସପ୍ତଦଶ ଉପଗ୍ରହ। ଅପରପକ୍ଷରେ ଲଙ୍ଗ୍‍ ମାର୍ଚ୍ଚ-୨ସି ଉତ୍‍ଷକ୍ଷପଣ ରକେଟର ଏହା ହେଉଛି ୨୭୯ତମ ଅଭିଯାନ। ଏହି ରକେଟ ପୃଥିବୀର ନିମ୍ନାଂଶକୁ ଉପଗ୍ରହ ପ୍ରେରଣ କରିଥାଏ। ଦୀର୍ଘ ଦୁଇ ଦଶନ୍ଧି ପରେ ଏହି ରକେଟ ଆନ୍ତର୍ଜାତିକ ବାଣିଜ୍ୟିକ ଉତ୍‍କ୍ଷେପଣ କରିଛି। ତେବେ ମହାକାଶ ଗବେଷଣା କ୍ଷେତ୍ରରେ ପାକିସ୍ତାନ ତୁଳନାରେ ଭାରତ ଯଥେଷ୍ଟ ଆଗୁଆ ରହିଛି। ବର୍ତ୍ତମାନ ଭାରତର ୪୩ଟି ଉପଗ୍ରହ ମହାକାଶରେ କାର୍ଯ୍ୟକ୍ଷମ ରହିଛି। ସବୁ ଋତୁରେ ପୃଥିବୀ ଉପରେ ନଜର ରଖିଲା ଭଳି ରାଡାର ଇମେଜିଂ ଉପଗ୍ରହ ମଧ୍ୟ କାର୍ଯ୍ୟକ୍ଷମ ରହିଛି। ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍‍ ସମୟରେ ଭାରତ ଏହାର ଉପଯୋଗ କରିଥିଲା।

Leave A Reply