ସୀମା ବିବାଦ ନେଇ ଚୀନର ଦୋମୁହାଁ ନୀତି : ପାକିସ୍ତାନରେ ପ୍ରସ୍ତୁତ କରୁଛି ନୌସେନା ଘାଟି

ନୂଆଦିଲ୍ଲୀ : ଭାରତ ସହିତ ଦେଖାଯାଇଥିବା ସୀମା ବିବାଦର ସମାଧାନ ଲାଗି ଚୀନ ଗୋଟିଏ ପଟେ କଥାବାର୍ତ୍ତା ଚଳାଇଥିବାବେଳେ ଅନ୍ୟପଟେ ସାମରିକ ପ୍ରସ୍ତୁତି ଚଳାଇଛି। ଏହି କ୍ରମରେ ପାକିସ୍ତାନର ଗ୍ବାଦାର ବନ୍ଦରରେ ଚୀନ ଏହାର ନୌସେନା ଘାଟି ପ୍ରସ୍ତୁତ କରୁଥିବା ଜଣାଯାଇଛି। ଉପଗ୍ରହ ଚିତ୍ରରୁ ଜଣାପଡିଛି ଯେ ଗ୍ବାଦାର ବନ୍ଦରରେ ଚୀନ ଅସ୍ଥାୟୀ ନିର୍ମାଣ ଚଳାଇଛି। ସେଠାରେ ନୌସେନାର ବିଭିନ୍ନ ଯନ୍ତ୍ରାଂଶ ଓ ଅସ୍ତ୍ରଶସ୍ତ୍ର ମହଜୁଦ କରିବା ଲାଗି ଚୀନ ଏପରି ନିର୍ମାଣ କାମ ଚଳାଇଥିବା ଭାରତୀୟ ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ଗ୍ବାଦାର ବନ୍ଦର ଓ ଏହାର ଆଖପାଖ ଅଞ୍ଚଳର ଆଧୁନିକୀକରଣ କାର୍ଯ୍ୟ ଦ୍ରୁତ ବେଗରେ ଚଳାଇଛି। ଯେପରିକି ଏହି ବନ୍ଦରକୁ ନିଜର ନୌସେନା ଘାଟି ରୂପେ ବ୍ୟବହାର କରାଯାଇପାରିବ ସେଥିପାଇଁ ଏପରି ତତ୍ପରତା ଦେଖାଇଥିବା ଜଣାପଡିଛି। ୪୬୦୦ କୋଟି ଡଲାରର ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରର ଅଂଶ ହେଉଛି ଗ୍ବାଦାର ବନ୍ଦର। ମାଲାକା ପ୍ରାଣାଳୀ ଦେଇ ମାଲ ପରିବହନ ପରିବର୍ତ୍ତେ ଗ୍ବାଦାର ବନ୍ଦର ଦେଇ ମାଲ ପରିବହନ କରିବାକୁ ଚୀନ ଇକୋନୋମିକ କରିଡର ନିର୍ମାଣ କରୁଛି। ଗ୍ବାଦାର ବନ୍ଦର ପାକିସ୍ତାନର ଇରାନ ସୀମାନ୍ତରେ ଅବସ୍ଥିତ। ଗ୍ବାଦାର ବନ୍ଦର ମାଧ୍ୟମରେ ଚୀନ ଭାରତ ମହାସାଗରରେ ନିଜର ଉପସ୍ଥିତିକୁ ଅଧିକ ସକ୍ରିୟ କରିବାକୁ ଯୋଜନା କରୁଛି। ଭାରତର ନୌସେନା ଶକ୍ତି ବୃଦ୍ଧି ପାଉଥିବାବେଳେ ଏହି ଗ୍ବାଦାର ବନ୍ଦରକୁ ଚୀନ ନୌସେନା ଘାଟି ଭାବେ ଉପଯୋଗ କରିବାକୁ ଯୋଜନା କରିଛି। ଯାହା ଭାରତ ପାଇଁ ଉଦ୍‌ବେଗର ବିଷୟ ହୋଇଛି। ଗ୍ବାଦାର ସହିତ କରାଚୀ ବନ୍ଦର ନିର୍ମାଣ କାମରେ ଚୀନର ଶହଶହ ଇଞ୍ଜିନିୟର ନିୟୋଜିତ ଅଛନ୍ତି। ଗ୍ବାଦାର ବନ୍ଦରରେ ଚୀନର ନିର୍ମାଣ କାମକୁ ପାକିସ୍ତାନ ସମେତ ଅନ୍ୟ ରାଷ୍ଟ୍ର ବିରୋଧ କରୁଛନ୍ତି। ସାମ୍ଭାବ୍ୟ ବିରୋଧକୁ ପ୍ରତିହତ କରିବା ଲାଗି ବନ୍ଦର ଚାରିପଟେ ଚୀନ ଉଚ୍ଚ ପ୍ରାଚୀର ନିର୍ମାଣ କରିଛି। ଗ୍ବାଦାର ବନ୍ଦର ନିକଟ ବେଲୁଚିସ୍ତାନବାସୀ ଚୀନର ନିର୍ମାଣ କାମକୁ ବିରୋଧ କରୁଛନ୍ତି। ପାକିସ୍ତାନ ଠାରୁ ଅଲଗା ହୋଇ ବେଲୁଚିସ୍ତାନ ସ୍ବାଧୀନ ରାଷ୍ଟ୍ର ହେବା ଲାଗି ଆନ୍ଦୋଳନ ଚଳାଇଛି। ୨୦୧୮ରେ କରାଚୀସ୍ଥିତ ଚୀନର ବାଣିଜ୍ୟିକ ଦୂତାବାସ ଉପରେ ବେଲୁଚିସ୍ତାନ ଲିବରେସନ ଆର୍ମି ଆକ୍ରମଣ କରିଥିଲା। ବେଲୁଚିସ୍ତାନର ଆକ୍ରମଣରୁ ଚୀନ ସେନାକୁ ସୁରକ୍ଷା ଦେବା ଲାଗି ପାକିସ୍ତାନ ଏହାର ସେନାକୁ ମୁତୟନ କରିଛି। ଲଦାଖ ଓ ସିକିମ୍‌ର ଏଲଏସିରେ ଦେଖାଯାଇଥିବା ବିବାଦର ସମାଧାନ ପାଇଁ ଜୁନ୍‌ ୬ରେ ଦୁଇଦେଶର ସାମରିକ ଅଧିକାରୀଙ୍କ ବୈଠକ ହେବ। ଦୁଇ ଦେଶର ଲେପ୍ଟନାଣ୍ଟ ଜେନେରାଲ ସ୍ତରର ସେନା ଅଧିକାରୀ ଆଲୋଚନା କରିବେ। ଏହା ପୂର୍ବରୁ ଦୁଇଦେଶର କ​‌େ​‌ର୍ଣ୍ଣଲ, ବ୍ରିଗେଡିୟର, ମେଜର ଜେନେରାଲ ସ୍ତରରେ ବୈଠକ ହୋଇଥିଲେ ମଧ୍ୟ ମାସାଧିକ ଧରି ଲାଗି ରହିଥିବା ସୀମା ବିବାଦର ସମାଧାନ ହୋଇପାରି ନାହିଁ।

Comments are closed.