ଯୀଶୁଙ୍କ ଛବି ଓ କ୍ରସ ହଟାଇ ଜିଙ୍ଗପିଙ୍ଗଙ୍କ ଛବି ଲଗାଇବାକୁ ଚୀନ ସରକାରଙ୍କ ନିର୍ଦେଶ

ଧାର୍ମିକ ବହି ପଢ଼ିବା ଓ ଅନୁବାଦ ବନ୍ଦ

ଚୀନରେ ମୁସଲମାନ ସମ୍ପ୍ରଦାୟ ଉପରେ ଉତ୍ପୀଡ଼ନ ବିଶ୍ବବାସୀ ଜାଣନ୍ତି । ସିଂଜିୟାଙ୍ଗ ପ୍ରଦେଶରେ ଲକ୍ଷଲକ୍ଷ ମୁସଲମାନମାନଙ୍କୁ ବନ୍ଦୀ କରି ରଖାଯାଇଛି ।  ସେଠାରେ ସର୍ବସାଧାରଣ ସ୍ଥାନରେ ନମାଜ ପଢ଼ିବା ଉପରେ କଟକଣା ରହିଛି । ମୁସଲମାନମାନେ ସେମାନଙ୍କର ଧାର୍ମିୟ କାର୍ଯ୍ୟକଳାପ ଚୀନରେ କରିବା ଉପରେ କେବଳ ଅଙ୍କୁଶ ଲାଗିନାହିଁ ସେମାନଙ୍କୁ ନିର୍ଯାତନା ମଧ୍ୟ ଦିଆଯାଉଛି । ଏବେ ମୁସଲମାନଙ୍କ ପରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଦମନଲୀଳା ଆରମ୍ଭ କରିଛି ଚୀନ । ଖ୍ରୀଷ୍ଟିଆନ ସମ୍ପ୍ରଦାର ଲୋକମାନେ ନିଜ ଘରେ ଯୀଶୁଙ୍କ ଛବି କିମ୍ବା କ୍ରସ ଲଗାଇ ପାରିବେ ନାହିଁ । ଯେଉଁମାନେ ଏହି ଛବି ବା କ୍ରସ ଘରେ ଲଗାଇଛନ୍ତି ସେମାନେ ତୁରନ୍ତ ଏହାକୁ କାଢ଼ିବାକୁ ନିର୍ଦେଶ ଦିଆଯାଇଛି। ଏହା ବଦଳରେ ବର୍ତମାନର ରାଷ୍ଟ୍ରପତି ଜିନ ପିଙ୍ଗ ଓ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ମାଓ ସେ ତୁଙ୍ଗଙ୍କ ଫଟୋ ଲଗାଇବାକୁ କୁହାଯାଇଛି । କିଛିଦିନ ପୂର୍ବରୁ ଦେଶର ୪ ରାଜ୍ୟରେ ଶତାଧିକ ଚର୍ଚ ବାହାରେ ଲାଗିଥିବା ଧାର୍ମିକ ପ୍ରତୀକ ଚିହ୍ନ କ୍ରସକୁ ହଟାଇ ଦିଆଯାଇଛି ।

ଚୀନର ଏହି ନୂଆ ପଦକ୍ଷେପ ରେଡ଼ିଓ ଫ୍ରି ଏସିଆର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟ ଅନୁସାରେ ବର୍ତମାନ ଅଂଶୁଇ, ଜିୟାଙ୍ଗସୁ, ହେୱଇ, ଝୋଜିୟାଙ୍ଗ ଆଦି ଅଞ୍ଚଳରେ ଚର୍ଚ ବାହାରେ ଲାଗିଥିବା ଧାର୍ମିକ ପ୍ରତୀକ ଅର୍ଥାତ କ୍ରସକୁ ଭାଙ୍ଗି ଦିଆଯାଇଛି ବା ବାହାର କରିଦିଆଯାଇଛି ।

ଚର୍ଚରୁ କ୍ରସ ବାହାର କରିଦେବା ପରେ ଏବେ ସି ଜିନପିଙ୍ଗ ସରକାର ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ଘର ଉପରେ ମଧ୍ୟ କଟକଣା ଜାରି କରିଛନ୍ତି । ଖ୍ରୀଷ୍ଟିଆନଙ୍କ ଆରାଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଫଟୋ ଓ ଧାର୍ମିକ ପ୍ରତୀକ ଘରୁ ହଟାଇବାକୁ ମଧ୍ୟ କୁହାଯାଇଛି । ସେମାନଙ୍କ ସ୍ଥାନରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିର ନେତାମାନଙ୍କ ଛବି ଲଗାଇବାକୁ ନିର୍ଦେଶ ଦିଆଯାଇଛି । ଏହି ରିପୋର୍ଟ ଅନୁସାରେ ଚୀନରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ ବୋଲି ଏକ ଆଦେଶ ମଧ୍ୟ ଜାରି ହୋଇଛି ।

ଗତ ଶନିବାର ଓ ରବିବାର ହୁଆନାନ ପ୍ରଦେଶରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଚୀନରେ ପ୍ରାୟ ୭ କୋଟି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ବାସକରୁଛନ୍ତି ଏବଂ ହୁଆନାନରେ ଏମାନଙ୍କର ସଂଖ୍ୟା ଅଧିକ । ଶନିବାର ଜଣେ ସରକାରୀ ଅଧିକାରୀ ଏଠାରେ ପହଞ୍ଚି ଚର୍ଚ ବାହାରେ ଲାଗିଥିବା କ୍ରସକୁ ହଟାଇବାକୁ ନିର୍ଦେଶ ଦେଇଥିଲେ । ଏହାପରେ ଲୋକମାନେ ଏକାଠି ହୋଇ ବିରୋଧ କରିଥିଲେ । ମାତ୍ର ପୁଲିସ ଓ ଅନ୍ୟ ସରକାରୀ ଅଧିକାରୀମାନେ କ୍ରସକୁ ଭାଙ୍ଗି ଦେଇଥିଲେ । ଏଥିରେ ୧୦୦ରୁ ଅଧିକ କର୍ମଚାରୀଙ୍କୁ ଲଗାଯାଇଥିଲା ।

କେବଳ କ୍ରସ ଭାଙ୍ଗିବା, ଯୀଶୁଙ୍କ ଫଟୋ କାଢ଼ିବା ନୁହେଁ ଦେଶରେ ଧାର୍ମିକ ବହି ପଢ଼ା ଓ ଏହାର ଅନୁବାଦ ଉପରେ ମଧ୍ୟ ଅଙ୍କୁଶ ଲାଗିଛି । ଯେଉଁମାନେ ଏହି ଆଦେଶ ପାଳନ ନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ନିର୍ଦେଶ ଦିଆଯାଇଛି ।

Comments are closed.