ମାସୁଦକୁ ବିଶ୍ଵ ଆତଙ୍କବାଦୀ ଘୋଷଣାରେ ବାଧା ଦେବନି ଚୀନ; ଶ୍ରମ ଦିବସରେ ଉଠାଇନେବ ପ୍ରତିବନ୍ଧକ !

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ମୁଖ୍ୟ ମାସୁଦ ଆଝାରକୁ ଜାତିସଂଘ ପକ୍ଷରୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରାଯିବା ଏବଂ କଳା ତାଲିକାଭୁକ୍ତ କରିବା ପ୍ରସଙ୍ଗରେ ଆଉ ବାଧା ଦେବନି ଚୀନ। ଆସନ୍ତା ୧ ତାରିଖ ଶ୍ରମ ଦିବସ ଅବସରରେ ଜାତିସଂଘର ପ୍ରତିବନ୍ଧ କମିଟିରେ ଏ ନେଇ ଚୀନ ନିଜର ଆଭିମୁଖ୍ୟ ଜଣାଇବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଯଦି ଚୀନ ଏପରି ପଦକ୍ଷେପ ନିଏ, ତା’ହେଲେ ମାସୁଦକୁ ବିଶ୍ଵ ଆତଙ୍କବାଦୀ ଘୋଷଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ଏକ କୁଟନୈତିକ ବିଜୟ ହେବ।

ପୂର୍ବରୁ ମାସୁଦକୁ ଜାତିସଂଘରେ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବାକୁ ଭାରତ ସମେତ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଚୀନ ନିଜର ଭିଟୋ କ୍ଷମତା ବଳରେ ଏହି ପ୍ରସ୍ତାବକୁ ବିରୋଧ କରୁଥିବାରୁ ମାସୁଦ ଉପରେ ପ୍ରତିବନ୍ଧକ ଲଗାଯାଇପାରୁ ନାହିଁ। ମାତ୍ର ପୁଲୱାମା ଆକ୍ରମଣ ପରେ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ପକ୍ଷରୁ ପୁଣି ଥରେ ମାସୁଦକୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ବି ଚୀନ ବିରୋଧ କରିବା ସହ ମାସୁଦକୁ ସୁରକ୍ଷା ଦେଇଥିଲା। ତେବେ ବର୍ତ୍ତମାନ ଚୀନ ନିଜର ଆଭିମୁଖ୍ୟ ବଦଳାଇବ ବୋଲି ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ଶ୍ରମ ଦିବସରେ ପ୍ରତିବନ୍ଧ କମିଟିରେ ଚୀନ ମାସୁଦ ପ୍ରସଙ୍ଗରେ ନିଜର ପ୍ରତିବନ୍ଧକ ଉଠାଇନେବ। ଜାତିସଂଘ ମାସୁଦକୁ ଖୁବ୍‌ଶୀଘ୍ର ବିଶ୍ଵ ଆତଙ୍କବାଦୀ ଘୋଷଣା କରିବ ବୋଲି ସେ କହିଛନ୍ତି।

Comments
Loading...