ସମୁଦ୍ରରୁ ରକେଟ୍‌ ଉତକ୍ଷେପଣ କଲା ଚୀନ

ବେଜିଂ: ଚୀନ ସମୁଦ୍ରରେ ଏକ ଜାହାଜରୁ ସଫଳତାର ସହ ରକେଟ ଉତ୍‌କ୍ଷେପଣ କରିଛି। ପ୍ରଥମ ଥର ପାଇଁ ଚୀନ ଏହି ପରୀକ୍ଷଣ କରିଛି। ଏହି ରକେଟ୍‌ର ନାମ ରହିଛି ମାର୍ଚ୍ଚ ୧୧। ଏହା ଏକ ଛୋଟିଆ ରକେଟ୍‌। ଯେକୌଣସି ସ୍ଥାନରୁ ଭ୍ରାମ୍ୟମାଣ ଲଞ୍ଚିଂ ପ୍ୟାଡ୍‌ ଜରିଆରେ ଉତ୍‌କ୍ଷେପଣ କରାଯାଇ ପାରିବା ଭଳି ଏହାକୁ ନିର୍ମାଣ କରାଯାଇଛି। ଏହା ଜରିଆରେ ଏକକାଳୀନ ୭ଟି ଉପଗ୍ରହ ନେଇ ମହାକାଶକୁ ଛଡ଼ାଯାଇଛି। ଏହି ଉପଗ୍ରହଗୁଡ଼ିକ ମଧ୍ୟରେ ଏକ ଉପଗ୍ରହ ରହିଛି, ଯାହା ବାତ୍ୟା ସମୟରେ କେତେ ବେଗରେ ପବନ ବହିବ ତାହାର ପୂର୍ବାନୁମାନ କରିପାରିବ।

ଏଥିସହ ରକେଟରେ ୨ଟି ଯୋଗାଯୋଗ ଉପଗ୍ରହ ରହିଛି। ବେଜିଂ ସ୍ଥିତ ଚୀନ୧୨୫ ନାମକ ଏକ ବୈଷୟିକ କମ୍ପାନୀ ପକ୍ଷରୁ ଏହାର ନିର୍ମାଣ କରାଯାଇଛି। ଏହି କମ୍ପାନୀ ଗ୍ଲୋବାଲ ଡାଟା ନେଟୱର୍କିଂ ସେବା ଯୋଗାଇବା ଲାଗି ଏଭଳି ୧୦୦ଟି ଉପଗ୍ରହ ମହାକାଶକୁ ପଠାଇବା ଲାଗି ଯୋଜନା କରିଛି।

ବିଗତ ବର୍ଷଗୁଡ଼ିକ ମଧ୍ୟରେ ଚୀନ ଏହାର ମହାକାଶ ଅଭିଯାନକୁ ଅଧିକ ଗୁରୁତ୍ଵ ଦେଇଆସୁଛି। ୨୦୩୦ ସୁଦ୍ଧା ଏହା ଆମେରିକା ସହିତ ସମକକ୍ଷ ହେବା ସହ ମହାକାଶରେ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହେବାକୁ ଲକ୍ଷ୍ୟ ରଖିଛି। ଆସନ୍ତା ବର୍ଷ ଦେଶ ମହାକାଶରେ ନିଜସ୍ବ ମହାକାଶ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ଯୋଜନା ରଖିଛି।

Comments are closed.