୨ ଦିନରେ ୪ଟି ଉପଗ୍ରହ ଉତକ୍ଷେପଣ କରିଛି ଚୀନ୍

ସମାଜ ପୋର୍ଟାଲ ଡେସ୍କ: ଆମେରିକାର ନାସା ଏବଂ ସ୍ପେସ୍ ଏକ୍ସ ମହାକାଶକୁ ସଫଳତାର ସହ ଯାତ୍ରା କରି ଇତିହାସ ସୃଷ୍ଟି କରିଥିବା ବେଳେ ଚୀନ୍ ମଧ୍ୟ ୨ ଦିନରେ ଦୁଇଟି ଉପଗ୍ରହ ଉତକ୍ଷେପଣ କରିଛି। ସ୍ପେସ୍ ଡଟ୍ କମ୍ ଅନୁଯାୟୀ, ନାସା ମେ’ ୩୦ରେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ପାଇଁ ଡେମୋ-୨ ମିଶନ ଆରମ୍ଭ କରିବା ସମୟରେ ଚୀନ୍ ଏକାସାଙ୍ଗରେ ଦୁଇଟି କ୍ଷେପଣାସ୍ତ୍ର ପଠାଇଥିଲା।

ବେଜିଂ ପ୍ରଥମେ ସକାଳ ୪:୧୩ରେ (ବେଜିଂ ସମୟ) ନୂତନ ଜ୍ଞାନକୌଶଳ ଯୁକ୍ତ ଦୁଇଟି ଉପଗ୍ରହ ଉତକ୍ଷେପଣ କରିଛି। ଚୀନ ଗଣମାଧ୍ୟମ ସିସିଟିଭି ଅନୁଯାୟୀ, ଲଙ୍ଗ ମାର୍ଚ୍ଚ -୧୧ ରକେଟ ସାହାଯ୍ୟରେ ଏହି ଉପଗ୍ରହ ସଫଳତାର ସହ ମହାକାଶକୁ ଉତକ୍ଷେପଣ କରାଯାଇଛି।

ସିସିଟିଭି ରିପୋର୍ଟ ଅନୁଯାୟୀ ଲଙ୍ଗ ମାର୍ଚ୍ଚ -୧୧ର ମୁଖ୍ୟ ଡିଜାଇନର୍ ପେଙ୍ଗ୍ କୁନିଆ କହିଛନ୍ତି ଯେ ପ୍ରଥମ ଥର ପାଇଁ ସିଆଙ୍ଗ ଉପଗ୍ରହ ଉତକ୍ଷେପଣ କେନ୍ଦ୍ରରୁ ଏହି ଉତକ୍ଷେପଣ କରାଯାଇଛି ଯାହା ଚୀନରେ ଥିବା ଅନ୍ୟ ଉତକ୍ଷେପଣ କେନ୍ଦ୍ର ସହ ସମକକ୍ଷ ହୋଇପାରିଛି। ସେହିପରି ମେ’ ୩୧ରେ ପୂର୍ବାହ୍ନ ୪:୫୩ରେ ଜିଉକାନ୍ ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ଲଙ୍ଗ ମାର୍ଚ୍ଚ -୨ଡ଼ି ରକେଟ୍ ସାହାଯ୍ୟରେ ଅନ୍ୟ ଉପଗ୍ରହ ଛଡାଯାଇଛି।

ଏହି ଉପଗ୍ରହ ମଧ୍ୟରୁ ଗୋଟିଏ ହେଉଛି ଗାଓଫେନ -୯ ଯାହା ଜମି ସର୍ବେକ୍ଷଣ, ସହରୀ ଯୋଜନା, ସଡକ ନେଟୱାର୍କ ଡିଜାଇନ୍ ଏବଂ ଫସଲ ଅମଳର ଆକଳନ ତଥା ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବ୍ୟବହୃତ ହେବ। ଅନ୍ୟ ଉପଗ୍ରହ ହେଉଛି ହେଡ଼-୪ ଏବଂ ଏହା ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସକୁ ସହଜ କରିବା ସହ ମହାକାଶରୁ ପୃଥିବୀ ପୃଷ୍ଠକୁ ଯୋଗାଯୋଗ ସହଜ କରି ସଂଯୁକ୍ତ ଉପକରଣଗୁଡ଼ିକୁ କକ୍ଷପଥରୁ ସୂଚନା ପଠାଇବ ଏବଂ ଗ୍ରହଣ କରିବ।