ରହସ୍ୟମୟୀ ଚୀନ୍ ଯୁବତୀଙ୍କ ଲାଗି ଭାରତ-ନେପାଳ ବିବାଦ!

ପଡ଼ୋଶୀ ନେପାଳ ସହ ଭାରତର ବହୁ ପୁରୁଣା ସମ୍ପର୍କ ଏବେ ସବୁଠାରୁ ଖରାପ ସମୟ ଦେଇ ଗତିକରୁଛି । ରୁଟି-ବେଟୀ ସମ୍ପର୍କ ତୁଟିଛି । ନେପାଳ ସଂସଦରେ ବିବାଦୀୟ ରାଜନୈତିକ ନକ୍ସାକୁ ମଞ୍ଜୁରୀ ଦିଆଯାଇଛି । ଦୁଇ ଦେଶ ମଧ୍ୟରେ ଯାତାୟତ ନିମନ୍ତେ ପୂର୍ବରୁ ରହିଥିବା ସ୍ବାଭାବିକତା ନଷ୍ଟ ହୋଇଛି । ସୀମାନ୍ତରେ ସଶସ୍ତ୍ର ପୁଲିସ ମୁତୟନ ହୋଇଛନ୍ତି । ନେପାଳର ନୂଆ ନକ୍ସାରେ ଭାରତର ୩ ଅଞ୍ଚଳ ଲିପୁଲେଖ, କଲାପାନି ଓ ଲିମ୍ପିଆଧୁରାକୁ ନିଜର ଅଞ୍ଚଳ ବୋଲି ଦର୍ଶାଯିବା ପରେ ସ୍ଥିତି ଖରାପ ହେବାରେ ଲାଗିଛି । କୁହାଯାଉଛି ଯେ ନେପାଳକୁ ଏପରି ପଦକ୍ଷେପ ନେବା ନିମନ୍ତେ ଚୀନ ଉସୁକାଇଛି । ବିଶେଷକରି ଏହି ଘଟଣାରେ ନେପାଳରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ହୌ ୟଙ୍ଗିଙ୍କ ଭୂମିକା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଯିଏ କି ପ୍ରଧାନମନ୍ତ୍ରୀ କେ.ପି.ଶର୍ମାଓଲିଙ୍କୁ ଭାରତ ବିରୋଧରେ ଯିବା ପାଇଁ ପ୍ରେରିତ କରିଛନ୍ତି । ଏହି ରହସ୍ୟମୟୀ ସୁନ୍ଦରୀ ଚୀନା ମହିଳାଙ୍କୁ ନେଇ ନେପାଳରେ ବେଶ୍ ଚର୍ଚା ।

ୟଙ୍ଗି ୨୦୧୮ରେ ନେପାଳରେ ଚୀନ୍ ରାଷ୍ଟ୍ରଦୂତ ରୂପେ ନିଯୁକ୍ତି ପାଇଥିଲେ । ୟଙ୍ଗିଙ୍କୁ ଦକ୍ଷିଣ ଏସୀୟ ଦେଶ ମାମଲାରେ ଜଣେ ଭଲ ବିଶେଷଜ୍ଞ ବୋଲି ଗଣାଯାଏ । ଚୀନ୍ ବିଦେଶ ମନ୍ତ୍ରଣାଳୟରେ ସେ ଦୀର୍ଘ ସମୟ ଧରି ଉପ ନିର୍ଦେଶକ ଭାବରେ କାର୍ଯ୍ୟକରିଛନ୍ତି ଓ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିର ଭାଗିଦାର ଥିଲେ । ତାଙ୍କର କିଛି ନିଷ୍ପତ୍ତି ଯୋଗୁଁ ଚୀନର ପଡ଼ୋଶୀ ଦେଶ ସହ ସମ୍ପର୍କ ପ୍ରଭାବିତ ହୋଇଛି । ସେହିପରି ସେ ପାକିସ୍ତାନରେ ମଧ୍ୟ ୩ ବର୍ଷ କାଳ ଚୀନ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ ।

ଭାରତୀୟ ଗୁଇନ୍ଦା ଏଜେନ୍ସି ସୂଚନା ଅନୁସାରେ ୟଙ୍ଗି ପାକିସ୍ତାନରେ ଚୀନ ରାଷ୍ଟ୍ରଦୂତ ଭାବରେ ଅବସ୍ଥାପିତ ହୋଇଥିବା ସମୟରେ ପାକ୍ ସରକାର ନିମନ୍ତେ କେତେକ ନୀତି ପ୍ରଣୟନରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏପରି କିଛି ନୀତି ଭାରତ-ପାକ୍ ସମ୍ପର୍କ ଅଧାରିତ ମଧ୍ୟ ରହିଥିଲା । ତାଙ୍କର ସଫଳତାକୁ ଦୃଷ୍ଟିରେ ରଖି ଚୀନ ସରକାର ତାଙ୍କୁ ନେପାଳ ପଠାଇଥିଲା ଓ ୟଙ୍ଗି ତାଙ୍କ ଦାୟିତ୍ବ ଅତି ନିଷ୍ଠାର ସହ ତୁଲାଇଥିଲେ ।  ପ୍ରଥମଥର ପାଇଁ ଭାରତ-ନେପାଳ ସମ୍ପର୍କରେ ଫାଟ ସୃଷ୍ଟି କରିବାରେ ସେ ସଫଳ ହୋଇଥିବା କୁହାଯାଉଛି ।

ନେପାଳ ଯେବେଠାରୁ ବିବାଦୀୟ ଅଞ୍ଚଳକୁ ନିଜ ନକ୍ସାରେ ସାମିଲ କରିଛି ସେବେଠାରୁ ବିବାଦ ବଢ଼ିଛି । ଦୁଇ ଦେଶ ସାମ୍ନାସାମ୍ନି ହୋଇଛନ୍ତି । କୁହାଯାଉଛି ନେପାଳର ଏହି କାର୍ଯ୍ୟକଳାପ ପଛରେ ୟଙ୍ଗିଙ୍କର ବଡ଼ ଯୋଗଦାନ ରହିଛି । ସେ ପ୍ରଧାନମନ୍ତ୍ରୀ ଓଲି ଓ ନେପାଳ ସଂସଦକୁ ଏଥିପାଇଁ ପ୍ରସ୍ତୁତ କରିଛନ୍ତି । ୟଙ୍ଗିଙ୍କର ପ୍ରଧାନମନ୍ତ୍ରୀ ଓଲିଙ୍କ ଦପ୍ତର ଓ ତାଙ୍କ ବାସଭବନରେ ଅବାଧ ପ୍ରବେଶ ରହିଛି । ଏହା ମଧ୍ୟ କୁହାଯାଉଛି ଯେ ନେପାଳର କ୍ଷମତାସୀନ ଯେଉଁ ପ୍ରତିନିଧିମାନେ ନକ୍ସାର ସଂଶୋଧନ ନିମନ୍ତେ ବିଧେୟକ ପ୍ରସ୍ତୁତ କରିଥିଲେ ୟଙ୍ଗି ନିୟମିତ ତାଙ୍କ ସହ ଯୋଗସୂତ୍ର ସ୍ଥାପନ କରୁଥିଲେ ।

ସାମାଜିକ ଗଣମାଧ୍ୟମରେ ସର୍ବଦା ସକ୍ରିୟ ରହୁଥିବା ୟଙ୍ଗିଙ୍କ କୂଟନୀତିଜ୍ଞ ପ୍ରଖରତା ମଧ୍ୟ ବେଶ ତୀକ୍ଷ୍ମ । ପାକିସ୍ଥାନରେ ସେ କାର୍ଯ୍ୟ କରୁଥିବା ସମୟରେ ନିଜର ଏଜେଣ୍ଡା ଚଳାଇବା ପାଇଁ ଉର୍ଦୁ ଭାଷା ଶିକ୍ଷା କରିଥିଲେ । ସେ ସାମାଜିକ ଗଣମାଧ୍ୟମରେ ଚୀନର ସାଂସ୍କୃତିକ ଓ ସାମାଜିକ ପ୍ରସଙ୍ଗଗୁଡ଼ିକୁ ବଢ଼ାଇଚଢ଼ାଇ ବର୍ଣନା କରିଥାଆନ୍ତି । ଯାହାକୁ ସଫ୍ଟ ପାୱାର ବଢ଼ାଇବା କୁହାଯାଇଥାଏ । (ସୌଜନ୍ୟ: ଅମର ଉଜାଲା)

Comments are closed.