ଭୁଟାନରେ ଆଉ ଏକ ଗାଁ ବସାଉଛି ଚୀନ

ବେଜିଂ: ଭୁଟାନ ଭୂଖଣ୍ଡରେ ଆଉ ଏକ ଗାଁ ପ୍ରତିଷ୍ଠା କରୁଛି ଚୀନ। କେବଳ ଗାଁ ପ୍ରତିଷ୍ଠା ନୁହେଁ; ସେଠାକାର ଭାରତୀୟ ସୀମା ସଂଲଗ୍ନ ଅଞ୍ଚଳରେ ଥିବା ଆମୋ ଚୁ ନଦୀ କୂଳରେ ଜୋର୍‌ଦାର ସଡ଼କ ତଥା ସେତୁ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରଖିଛି। ଭାରତ ଦ୍ବାରା ଅଙ୍କିତ ଲୋହିତ ରେଖାକୁ ଅତିକ୍ରମ କରି ଚୀନ ଏହି ନିର୍ମାଣ କାର୍ଯ୍ୟ ଚଳାଇଥିବା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି। ଚୀନ ସେନା ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲଏ) ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ ଜାରି ରହିଛି। ୨୦୧୭ରେ ଭାରତ ସୀମାନ୍ତ ଭୁଟାନର ଡୋକଲାମଠାରେ ଚୀନ ବିସ୍ତୃତ ଅଞ୍ଚଳକୁ ମାର୍ଚ୍ଚ ମାସରୁ ଜୁନ ପର୍ଯ୍ୟନ୍ତ ଅକ୍ତିଆର କରି ରଖିଥିଲା। ଦୀର୍ଘ ୭୩ଦିନ ପରେ ଏହାକୁ ମୁକ୍ତ କରିଥିଲା। ଡୋକଲାମଠାରୁ ପ୍ରାୟ ୯ କିଲୋମିଟର ଦୂର ପାଙ୍ଗଡ଼ାଠାରେ ଚୀନ ଏକ ଗ୍ରାମ ପ୍ରତିଷ୍ଠା ସହ ଏହାକୁ ସାମାରିକ ଘାଟିରେ ପରିଣତ କରିଥିବାର ଖବର ଗତ ସପ୍ତାହରେ ମିଳିଥିଲା; କିନ୍ତୁ କୌଣସି କାରଣରୁ ଭୁଟାନ ଏହାକୁ ଖଣ୍ଡନ କରିଥିଲା। କେବଳ ସେତିକି ନୁହେଁ; ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲଏସି ନିକଟସ୍ଥ ଅଞ୍ଚଳର ୨୪ଟି ସ୍ଥାନକୁ ଚୀନ ଏବେ ସାମରିକ ଘାଟିରେ ରୂପାନ୍ତରିତ କରିଥିବା ଉପଗ୍ରହ ସୂତ୍ରରୁ ଜଣାପଡ଼ିଥିଲା।
ମହାକାଶ ଗବେଷଣା ସଂସ୍ଥା ‘ମକ୍ସର ଟେକ୍‌ନୋଲଜିସ୍‌’ ସୂତ୍ରରୁ ନଗଦ ମିଳିଥିବା ତଥ୍ୟ ଅନୁଯାୟୀ, ଭୁଟାନ ଅଞ୍ଚଳରେ ଚୀନ ନିର୍ବିଘ୍ନରେ ନିଜର ନିର୍ମାଣ କାର୍ଯ୍ୟ ଚଳାଇଛି। ଏହି ଅଞ୍ଚଳ ଭାରତର ସିଲିଗୁଡ଼ି କରିଡର ନିକଟ ‘ଚିକେନ୍‌ ନେକ୍‌’ସ୍ଥିତ ଜଙ୍ଗଲ ପରିବେଷ୍ଟିତ ସରସିଙ୍ଗ୍‌ମା ବା ୟାତୁଙ୍ଗ ଉପତ୍ୟକା ବୋଲି ସ୍ପଷ୍ଟ ହୋଇଛି। ଭୁଟାନର ଜାଣତ କିମ୍ବା ଅଜାଣତରେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି ତାହା କିନ୍ତୁ ସ୍ପଷ୍ଟ ହୋଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଡୋକଲାମ ନାଲା ବା ନଦୀଠାରୁ ଦକ୍ଷିଣକୁ ଏବଂ ଆମୋ ଚୁ ନଦୀଠାରୁ ପୂର୍ବ ଅଞ୍ଚକୁ ଚୀନ ସେନା ଅତିକ୍ରମ ନ କରିବା ପାଇଁ ଉଭୟ ଭାରତ ଓ ଚୀନ ମଧ୍ୟରେ ବୁଝାମଣା ହୋଇଥିଲେ ମଧ୍ୟ ଚୀନ ଏହାକୁ ଖାତିର ନ କରି ଏହି ରାସ୍ତା ଓ ଗାଁ ନିର୍ମାଣ ଚଳାଇଛି। ଆମୋ ଚୁ ନଦୀ ନିକଟରେ ଚୀନ ଯେଉଁ ସେତୁ ନିର୍ମାଣ କରିଛି ତାହା ନୂଆ ପ୍ରତିଷ୍ଠା ହୋଇଥିବା ପାଙ୍ଗଡ଼ା ଗ୍ରାମ ଫେଜ୍‌-୧ (୩୦ଟି ବାସଗୃହ)ଠାରୁ ଦକ୍ଷିଣକୁ ମାତ୍ର ୪୦୦ମିଟର ଦୂର ଏବଂ ଏହା ୬ମିଟର ପ୍ରସ୍ଥ ହୋଇଥିବାବେଳେ ଲମ୍ବ ହେଉଛି ୪୫ମିଟର। ଏହା ଭାରତର ଲାଲ ରେଖାକୁ ଅତିକ୍ରମ କରିଛି। ତା’ଛଡ଼ା ତିବ୍‌ବତ-ଭୁଟାନ ସୀମାର ୧୨ କିମି ମଧ୍ୟରେ ଏସବୁ ନିର୍ମାଣ କରାଯାଇଛି। ସମସ୍ତ ନିର୍ମାଣ ପିଏଲଏ ଘାଟି ଭଳି ଦେଖାଯାଉଛି। ପୁନଶ୍ଚ ଆମୋ ଚୁ ନଦୀର ପଶ୍ଚିମ ତଟରେ ଚୀନ ପାଙ୍ଗଡ଼ା ଫେଜ୍‌-୨ ଗ୍ରାମ ପ୍ରତିଷ୍ଠା କରୁଛି। ଏହାର ଘରଗୁଡ଼ିକ କଙ୍କ୍ରିଟ ଭିତ୍ତିଭୂମି ଉପରେ ଇସ୍ପାତ ପାଇପ୍‌ରେ ନିର୍ମାଣ ହେଉଛି। ନିର୍ମାଣ ଶୈଳୀ ଦୃଷ୍ଟିରୁ ଏଗୁଡ଼ିକ କେବଳ ସାଧାରଣ ନାଗରିକ ନୁହେଁ; ପିଏଲଏ ସଦସ୍ୟଙ୍କ ବ୍ୟବହାର ପାଇଁ ନିର୍ମାଣ ହେଉଥିବା ଜଣାପଡ଼ୁଛି। ସେଠାରେ ବଙ୍କର ଓ ଅସ୍ତ୍ରାଗାର ନିର୍ମାଣ ହେଲା ଭଳି ମଧ୍ୟ ଅନୁମାନ କରାଯାଉଛି। ଚିତ୍ର କଥା ହେଉଛି କି ଏସବୁ ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରୁଥିଲେ ମଧ୍ୟ ଭୁଟାନ ନିରବ ରହୁଛି। ତିବ୍‌ବତକୁ ଅକ୍ତିଆର କରି ରଖିଥିବା ଚୀନ ଧୀରେ ଧୀରେ ଭୁଟାନକୁ ଦଖଲ କରିବା ଉଦ୍ୟମରେ ରହିଥିବା ପ୍ରତିରକ୍ଷା ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଦୁଇ ଦିନ ପୂର୍ବେ ଭାରତ ଓ ବାଂଲାଦେଶରେ ଜଳ ସଂକଟ ସୃଷ୍ଟି କରିବା ଲକ୍ଷ୍ୟରେ ଚୀନ ବ୍ରହ୍ମପୁତ୍ର ନଦୀରେ ୧୧ଟି ବନ୍ଧ ନିର୍ମାଣ କରିଥିବାବେଳେ ଆଉ ଏକ ବଡ଼ ନଦୀବନ୍ଧ ନିର୍ମାଣ ଚଳାଇଥିବା ଖବର ପ୍ରକାଶ ପାଇଥିଲା।

Comments are closed.