ଆମେରିକୀୟ ଗଣମାଧ୍ୟମର ଦାବି: ଉହାନର ଏକ ଲାବରେଟୋରିରେ କରୋନା ଭୂତାଣୁ ତିଆରି କରିଛି ଚୀନ

ୱାଶିଂଟନ: ମହାମାରୀ ରୂପ ଧାରଣ କରିଥିବା କରୋନା ଭୂତାଣୁକୁ ନେଇ ସାରା ବିଶ୍ଵ ଚିନ୍ତାରେ। ଏହି ଭୂତାଣୁକୁ ନେଇ ଅନେକ ରାଷ୍ଟ୍ର ଚୀନର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଥିବାବେଳେ ଆମେରିକୀୟ ଗଣମାଧ୍ୟମର ଦାବିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚୀନ ଉହାନର ଏକ ଲାବରେଟୋରିରେ ନଭେଲ କରୋନା ଭୂତାଣୁ ତିଆରି କରିଛି ବୋଲି ଆମେରିକୀୟ ନ୍ୟୁଜ ଚ୍ୟାନେଲ ‘ଫକ୍ସ’ ଦାବି କରିଛି। ଏହା ପଛରେ ଚୀନର ସ୍ବତନ୍ତ୍ର ଉଦ୍ଦେଶ୍ୟ ରହିଛି ବୋଲି ଚ୍ୟାନେଲ ତାହାର ରିପୋର୍ଟରେ ପ୍ରକାଶ କରିଛି।

ଆମେରିକାର ଫକ୍ସ ନ୍ୟୁଜ ଚ୍ୟାନେଲ ରିପୋର୍ଟରେ କହିଛି ଯେ, ଚୀନ ସାରା ବିଶ୍ଵକୁ ଜଣାଇବାକୁ ଚାହୁଁଥିଲା ଯେ ତାହାର ବୈଜ୍ଞାନିକମାନେ ଆମେରିକାର ବୈଜ୍ଞାନିକମାନଙ୍କଠାରୁ କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ତେଣୁ ସେ ଏହି ଭୂତାଣୁ ସୃଷ୍ଟି କରିଛି। କରୋନା ଭୂତାଣୁ ତିଆରି କରିବା ଚୀନର ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଏବଂ ଗୁପ୍ତ ଯୋଜନା ଥିଲା। ଏକ ସୂତ୍ରରୁ କୁହାଯାଇଛି ଯେ, ଡାକ୍ତରଙ୍କ ଉଦ୍ୟମ ଏବଂ ଏହି ଭୂତାଣୁକୁ ଆରମ୍ଭରୁ ଲ୍ୟାବରେ ରୋକିବା ସମ୍ପର୍କିତ କେତେକ ଦଲିଲଗୁଡ଼ିକର ଅଧ୍ୟୟନ କରାଯିବା ପରେ ଆହୁରି ଅନେକ ତଥ୍ୟ ଜଣାପଡ଼ିଛି। ସେଥିରୁ ଗୋଟିଏ ମୁଖ୍ୟ କଥା ହେଉଛି, ବର୍ତ୍ତମାନ ସୁଦ୍ଧା ଉହାନର ଯେଉଁ ବଜାରରୁ କରୋନା ଭୂତାଣୁ ବ୍ୟାପିଥିବା କଥା କୁହାଯଉଛି, ସେହି ବଜାରରେ ବାଦୁଡ଼ି ବିକ୍ରି ହୁହନ୍ତି ନାହିଁ। ଭୂତାଣୁ ବ୍ୟାପିବା ପରେ ଚୀନ ଏକ ଚାଲ ଖେଳିଥିଲା। ସେ ଜାଣିଶୁଣି ପଶୁ ବଜାରରୁ ଭୂତାଣୁ ବ୍ୟାପିଥିବା କହିଥିଲା, ଯାହାଫଳରେ ଲ୍ୟାବରେ ଭୂତାଣୁ ସୃଷ୍ଟି କରାଯାଇଥିବା ପ୍ରସଙ୍ଗ ଚପିଯିବ। ଏହି ଭୂତାଣୁ ଜରିଆରେ ଚୀନ ଆମେରିକା ଏବଂ ଇଟାଲୀକୁ ନିଜର ଟାର୍ଗେଟରେ ରଖିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଗତ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଉହାନର ଲ୍ୟାବରୁ କରୋନା ଭୂତାଣୁ ଦୁର୍ଘଟଣାବଶତଃ ବ୍ୟାପିଥିଲା ନା ଜାଣିଶୁଣି ଏହା କରାଯାଇଥିଲା ତାହା ଆମେ ଜାଣିକରି ହିଁ ରହିବୁ। ଅନ୍ୟପଟେ ଟ୍ରମ୍ପଙ୍କ ଏହି ଅଭିଯୋଗ ପରେ ଗତ ଗୁରୁବାର ଚୀନ ସଫେଇ ଦେଇ କହିଛି ଯେ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) କହିସାରିଛି ଯେ, କରୋନା ଭୂତାଣୁ ଉହାନର କୌଣସି ଲ୍ୟାବରେ ତିଆରି କରାଯାଇଛି ବୋଲି କିଛି ପ୍ରମାଣ ନାହିଁ। ଫଳରେ ଚୀନ ଡବ୍ଲ୍ୟୁଏଚଓକୁ ଢାଲ କରି ନିଜର ଉଦ୍ଦେଶ୍ୟ ସଫଳ କରିଥିବା କୁହାଯାଉଛି। ଡବ୍ଲ୍ୟୁଏଚଓର କାର୍ଯ୍ୟକଳାପ ଉପରେ ମଧ୍ୟ ଟ୍ରମ୍ପ ସନ୍ଦେହ ପ୍ରକାଶ କରିବା ସହିତ ଏହି ସଂଗଠନକୁ ଆମେରିକା ପକ୍ଷରୁ ଦିଆଯାଉଥିବା ପାଣ୍ଠିକୁ ବନ୍ଦ କରିଦେଇଛନ୍ତି।

ତେବେ ଏହା ପୂର୍ବରୁ ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପମ୍ପିୟୋ କହିଥିଲେ ଯେ, କରୋନା ଭୂତାଣୁ କିପରି ବ୍ୟାପିଲା ତାହା ଚୀନକୁ କହିବାକୁ ହେବ। ଏହାର ବହୁ ପୂର୍ବରୁ ଆମେରିକାର ବୈଦେଶିକ ବିଭାଗ କହିଥିଲା ଯେ, ସିଟିବିଟି ଚୁକ୍ତିର ପାଳନ କରୁଥିବା ଦାବି କରିବା ସତ୍ବେ ଗୁପ୍ତ ଭାବରେ ପରମାଣୁ ପରୀକ୍ଷଣ କରିଥାଇପାରେ। ଟ୍ରମ୍ପ ଏବଂ ବୈଦେଶିକ ବିଭାଗର ଏଭଳି ଅଭିଯୋଗ ଚୀନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି କରିପାରେ ବୋଲି ଆଶଙ୍କା କରାଯାଉଛି।

Comments are closed.