ଚୀନ୍‌କୁ ରୋକିବା ପାଇଁ ଭାରତର ବଡ଼ ରଣନୀତି ୨୦୨୪ ସୁଦ୍ଧା ପୂର୍ଣ୍ଣ ସ୍ବାବଲମ୍ବୀ

ନୂଆଦିଲ୍ଲୀ : ବିଶ୍ବକୁ କରୋନା ଭୂତାଣୁ ବାଣ୍ଟିଥିବା ଓ ଏବେ ଅଜଣା ବିହନ ପାର୍ସଲ ପ୍ୟାକେଟ୍‌ରେ ଜୈବିକ ଭୂତାଣୁ ପଠାଇ ବୈଶ୍ବିକ ପରିବେଶ ଓ ଜୈବ ବିବିଧତାକୁ ଧ୍ବଂସ କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚୁଥିବା ଚୀନ୍‌କୁ କେବଳ ଚେକ୍‌ ଦେବା ନୁହେଁ; ବିଶ୍ବରେ ଭାରତ ନିଜକୁ ସଶକ୍ତ ଓ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଗଢିତୋଳିବା ଲାଗି ପ୍ରସ୍ତୁତ କରିଛି ତା’ର ଦୀର୍ଘସ୍ଥାୟୀ ରଣନୀତି। ଭାରତ ନିଜର ସାର୍ବଭୌମତ୍ବର ସୁରକ୍ଷା ଯେ କୌଣସି ମୂଲ୍ୟଦେଇ କରିବ। ଆତ୍ମସମ୍ମାନର ସହିତ ଆଗକୁ ବଢିବା ଲାଗି ଆତ୍ମନିର୍ଭର ହେବାକୁ ପଡିବ। ଏଥିଲାଗି ଉଭୟ ସାମରିକ ଓ ଆର୍ଥିକ କ୍ଷେତ୍ରରେ ଆତ୍ମନିର୍ଭର ହେବା ଲାଗି ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ। ‘ଆଗାମୀ ଦଶନ୍ଧି ଭାରତର’ ଲକ୍ଷ୍ୟନେଇ ଦେଶକୁ ସବୁକ୍ଷେତ୍ରରେ ସ୍ବାବଲମ୍ବୀ କରିବାକୁ ଆରମ୍ଭ ହୋଇଛି ଆତ୍ମନିର୍ଭର ଭାରତ ଅଭିଯାନ।
ବିଦେଶରୁ ପ୍ରତିରକ୍ଷା ସାମଗ୍ରୀର କ୍ରୟକୁ ହ୍ରାସ କରି ସ୍ବଦେଶୀ ଜ୍ଞାନକୌଶଳରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ନିର୍ମାଣ କରିବାକୁ ସ୍ଥିର ହୋଇଛି। ପ୍ରଥମ ପଦକ୍ଷେପ ସ୍ବରୂପ ବିଭିନ୍ନ ଘାତକ ଯୁଦ୍ଧାସ୍ତ୍ର ଓ ଏହାର ଯନ୍ତ୍ରାଂଶର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। ୧୦୧ଟି ଏଭଳି ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧା ସାମଗ୍ରୀର ଆମଦାନୀ ଉପରେ ପର୍ଯ୍ୟାୟକ୍ରମେ ୨୦୨୦ରୁ ୨୦୨୪ ମସିହା ମଧ୍ୟରେ ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଡିଆରଡିଓ ଜରିଆରେ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ଏସବୁ ସାମଗ୍ରୀକୁ ଭାରତ ନିଜେ ପ୍ରସ୍ତୁତ କରିବ। ଏଥିପାଇଁ ପ୍ରଭୂତ ବଜେଟ୍‌ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସ୍ବଦେଶୀ ନିର୍ମାଣକାରୀ ସଂସ୍ଥାଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯିବ। ଏଥିଲାଗି ୪ ଲକ୍ଷ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା ହୋଇଛି। ହାଲୁକା ଯୁଦ୍ଧ ହେଲିକପ୍ଟରଠାରୁ, ଯୁଦ୍ଧାସ୍ତ୍ର ପରିବହନକାରୀ ଏୟାରକ୍ରାପ୍ଟ, ଯୁଦ୍ଧପୋତ, ବୁଡାଜାହାଜ ଆଦି ୨୦୨୪ ସୁଦ୍ଧା ସ୍ବଦେଶୀ ଜ୍ଞାନକୌଶଳରେ ଭାରତ ନିର୍ମାଣ କରିବ।
କେବଳ ପ୍ରତିରକ୍ଷା ନୁହେଁ; ଟେକ୍ନୋଲୋଜିଠାରୁ ଖାଦ୍ୟଶସ୍ୟ ଉତ୍ପାଦନ ଭଳି ବିଭିନ୍ନ କ୍ଷେତ୍ରରେ ଭାରତ ଆଉ ଆମଦାନୀ ଭିତ୍ତିକ ନ ହୋଇ କିଭଳି ରପ୍ତାନୀ କରିବ ଓ ନିଜେ ସ୍ବାବଲମ୍ବୀ ହେବ ସେଥିନେଇ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସେମାନଙ୍କ ବ୍ଲୁ-ପ୍ରିଣ୍ଟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଦେଇସାରିଛନ୍ତି। ଏହା ଉପରେ ମନ୍ଥନ ଚାଲିଛି। ମହାତ୍ମା ଗାନ୍ଧୀଙ୍କ ସ୍ବଦେଶୀକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଲାଗି ରଣନୀତି ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୫ ତାରିଖରେ ଲାଲ୍‌କିଲାରୁ ସ୍ବାଧୀନତା ଦିବସ ଉଦ୍‌ବୋଧନରେ ଏନେଇ ଘୋଷଣା କରିବେ। ଏହି ସୂଚନା ଦେଇଛନ୍ତି ରାଜନାଥ। ସେ କହିଛନ୍ତି ଯେ, ଭାରତର ଏକତା, ଅଖଣ୍ଡତାକୁ ସୁଦୃଢ କରିବାକୁ ହେଲେ ଆମକୁ ଆତ୍ମନିର୍ଭର ହେବାକୁ ପଡିବ। ତେଣୁ ପ୍ରତିରକ୍ଷାଠାରୁ କୃଷି ଉତ୍ପାଦନ ଓ ବିଭିନ୍ନ ଜ୍ଞାନକୌଶଳ କ୍ଷେତ୍ରରେ ଆମେ ସ୍ବାବଲମ୍ବୀ ହେବାକୁ ସୁଦୀର୍ଘ ପ୍ରସ୍ତୁତି କରାଯାଇଥିବା ସେ କହିଛନ୍ତି।
ବୈଶ୍ବିକ ମହାମାରୀ କରୋନା ଓ ଗଲୱାନ୍‌ ଘଟଣା ପରେ ଚୀନ୍‌ ସହ ମୁହାଁମୁହିଁ ପରିସ୍ଥିତି ଭାରତକୁ ତା’ର ନୂତନ ରଣନୀତି ପ୍ରସ୍ତୁତ ଲାଗି ପ୍ରକାରାନ୍ତରେ ଏକ କ୍ଷେତ୍ର ପ୍ରସ୍ତୁତି କରିଛି ବୋଲି କୁହାଯାଇପାରେ। ପ୍ରତିରକ୍ଷାଠୁ କୃଷି ଓ ଆନୁସଙ୍ଗିକ, ବିଜ୍ଞାନ କାରିଗରୀଠୁ ମହାକାଶ ଗବେଷଣା, ଜୈବିକ ଇନ୍ଧନ, ବିଜୁଳି ଓ ସୌର ଉର୍ଜା, ଅଟୋମୋବାଇଲ, ନିର୍ମାଣ ଶିଳ୍ପ ଆଦି ସବୁ କ୍ଷେତ୍ରରେ ସ୍ବଦେଶୀ କୌଶଳକୁ ବିକଶିତ କରାଯିବାର ରଣନୀତି ଆରମ୍ଭ ହୋଇଛି। ଗଲୱାନ୍‌ ଘଟଣା ପରେ ଭାରତ ଏବେ ଚୀନ୍‌କୁ ଉଭୟ ସାମରିକ ଓ ଆର୍ଥିକ କ୍ଷେତ୍ରରେ ଘେରାବନ୍ଦୀ କରିବା ଆରମ୍ଭ କରିଛି। ଏଥିପାଇଁ ପ୍ରତି ବିଭାଗରେ ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଧୀନତା ଦିବସ ଅଭିଭାଷଣରେ ଏନେଇ ଘୋଷଣା କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୂଚନା ଦେଇଛନ୍ତି। ୨୦୨୪ ସୁଦ୍ଧା ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ରହିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯ରେ ପ୍ରଧାନମନ୍ତ୍ରୀ ଲାଲ୍‌କିଲାରୁ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ମୁକ୍ତ, ଜନସଂଖ୍ୟା ନିୟନ୍ତ୍ରଣ, ଅଙ୍ଗାରକ ନିର୍ଗମନ ହ୍ରାସ ସହିତ ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ବ ଦେଇ ବିଶ୍ବରେ ଭାରତ ନିଜକୁ ଏକ ଆଦର୍ଶ ରୂପେ ପ୍ରତିଷ୍ଠା କରିବା ଲାଗି ଆହ୍ବାନ ଦେଇଥିଲେ। ସ୍ବଦେଶୀ ଦିଗରେ ସ୍ବଚ୍ଛତାର ପଦକ୍ଷେପକୁ ମଧ୍ୟ ସେ ବହୁମଞ୍ଚରୁ ପ୍ରାଧାନ୍ୟ ଦେଇଆସୁଛନ୍ତି ବୋଲି ରାଜନାଥ କହିଛନ୍ତି।

Comments are closed.